କୁମାର ପୂର୍ଣ୍ଣମୀରେ ଦେଖାଗଲା 'ସୁପରମୁନ୍‌': ବିଶେଷଜ୍ଞ କହିଲେ-୨୦୨୪ର ସବୁଠୁ ବଡ଼

Published By : Prameya-News7 Bureau | October 17, 2024 IST

News7

ଭୁବନେଶ୍ୱର: ଅକ୍ଟୋବର ୧୭ ତାରିଖରେ ୨୦୨୪ ମସିହାର ତୃତୀୟ “ସୁପରମୁନ" ଦେଖାଯାଇଛି । ୨୦୨୪ ମସିହାରେ ୪ ସୁପରମୁନ ସିରିଜର ପ୍ରଥମ ସୁପରମୁନ ଅଗଷ୍ଟ ୧୯ ତାରିଖରେ ଦେଖାଯାଇଥିଲା। ୨୦୨୪ ମସିହାର ଶେଷ "ସୁପରମୁନ" ଆସନ୍ତା ନଭେମ୍ବର ମାସ ୧୫ ତାରିଖରେ ଦେଖାଯିବ।

ଅକ୍ଟୋବର ୧୭ ତାରିଖର “ସୁପରମୁନ ୨୦୨୪ ମସିହାର ସବୁଠାରୁ ବଡ "ସୁପରମୁନ ଅଟେ। ଭାରତୀୟ ସମୟ ସଂଧ୍ୟା ୫.୫୬ ରେ ଏହା ସବୁଠାରୁ ବଡ ଦେଖାଯାଇଥିଲା। ଏହା ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଓଡିଶା ତଥା ଭାରତର ସବୁ ଅଞ୍ଚଳରେ ଦେଖାଯାଇଥିଲା। "ସୁପରମୁନ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥବୀ ତଥା ଆମ ଉପରେ ପଡେନାହିଁ ବୋଲି କହିଛନ୍ତି ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ପ୍ରାକ୍ତନ ଉପନିର୍ଦ୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ। 

"ସୁପରମୁନ” ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଇ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଧୀରେ ଧୀରେ "ସୁପରମୁନ“ ଶବ୍ଦଟି ଖୁବ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି। ଆମେ ଜାଣିଛେ ସେ ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୮ ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ବୁଲିଥାଏ। ପ୍ରାୟ ୨୯ ଦିନରେ ଥରେ ଗୋଟିଏ ପୂର୍ଣ୍ଣମୀ ପଡିଥାଏ । ଅଣ୍ଡାକୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିଲାବେଳ ଚନ୍ଦ୍ର ଆମଠାରୁ ପ୍ରାୟ ୩,୫୬ ଲକ୍ଷ କିଲୋମିଟର ଦୂରରେ ଥାଏ ଓ ସବୁଠାରୁ ଦୂରରେ ୪,୦୬ ଲକ୍ଷ କିଲୋମିଟର ଦୂରରେ ଥାଏ।

ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା'ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ ତା'ହେଲେ ସେହି ଚନ୍ଦ୍ରକୁ “ସୁପରମୁନ“ କୁହାଯାଏ। କାରଣ ସେ ସମୟରେ ତାହା ଆମକୁ ବଡ ଓ ଉଜ୍ଜଳ ଦେଖାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ଘଟିଥାଏ ବୋଲି କହିଛନ୍ତି ଡ ଶୁଭେନ୍ଦୁ ପଟ୍ଟନାୟକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.