ବାତ୍ୟା UPDATE: ଲ୍ୟାଣ୍ଡଫଲ୍‌କୁ ରହିଲା ଆଉ କେଇ ଘଣ୍ଟା, ୧୩ କିମି ବେଗରେ ଆଗକୁ ବଢୁଛି ଦାନା

Published By : Prameya-News7 Bureau | October 24, 2024 IST

ଭୁବନେଶ୍ଵର: ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା ‘ଦାନା’। ଆଉ କେଇ ଘଣ୍ଟା ପରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ଼। ବାତ୍ୟା ଦାନା ବର୍ତ୍ତମାନ ପାରାଦୀପଠୁ ୧୦୦  କି.ମି ଦୂରରେ ରହିଥିବା ବେଳେ ଧାମରାଠୁ ଏହା ୧୩୦ କି.ମି. ଦୂରରେ ରହିଛି। ସେହିପରି ସାଗରଦ୍ଵୀପଠୁ ଏହା ୧୩୦ କି.ମି. ଦୂରରେ ରହିଛି। ଗତ ୬ ଘଣ୍ଟାରେ ସାମୁଦ୍ରିକ ଝଡ଼ ଘଣ୍ଟା ପ୍ରତି ୧୩ କିମି ବେଗରେ ଗତି କରୁଛି। ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ। 

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ଦାନା ଆଜି ରାତି ଓ ଆସନ୍ତାକାଲି ସକାଳେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଦେଇ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିବ। ଝଟକା ସମୟରେ ଏହାର ବେଗ ସର୍ବାଧିକ ୧୨୦ କିମି ରହିବ। ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ପ୍ରଭାବ ୬ ଘଣ୍ଟା ଧରି ରହିବ। ଏହି ସମୟରେ ବାତ୍ୟାର ଦିଗ ସାମାନ୍ୟ ବଦଳି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଆ ଅଭିମୁଖେ ଗତି କରିବ। ଏହାରି ପ୍ରଭାବରେ ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ବର୍ଷା ହେବ। ବାତ୍ୟା ପାଇଁ ୧୪ଟି ଜିଲ୍ଲାକୁ ଆଲର୍ଟ ରଖାଯାଇଛି। ବିଶେଷ କରି ସ୍ଥଳଭାଗ ଛୁଇଁବା ସମୟରେ ବାଲେଶ୍ଵର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ବେଶୀ ପବନ ହେବା ସହ ସମୁଦ୍ରରେ ଜୁଆର ୧ ମିଟରରୁ ୨ ମିଟର ଉଚ୍ଚ ଉଠିବ। 

ବାତ୍ୟା ଦାନା ଉପକୂଳ ଅତିକ୍ରମ କରିବା ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିପାରେ। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କ.ମି ରହିବ। ପୁରୀ ଓ କଟକରେ ଘଣ୍ଟାପ୍ରତି ୬୦ରୁ ୮୦କିମି ପବନ ହେବାକୁ ଥିବାବେଳେ ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ୱରରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ୭୦ କିଲୋମିଟର  ରହିବାର ସମ୍ଭାବନା ରହିଛି।

ଗୁରୁବାର ପାଇଁ ୭ ଜିଲ୍ଲା   ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୫ ଜିଲ୍ଲାକୁ କେନ୍ଦୁଝର, ଢ଼େଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୨୫ ତାରିଖ ଅର୍ଥାତ ଶୁକ୍ରବାର ୪ ଜିଲ୍ଲାରେ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ମୟୁରଭଞ୍ଜ, କେନ୍ଦୁଝର , ବାଲେଶ୍ୱର ଓ ଭଦ୍ରକ। ସେହିପରି ୬ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। 

 

 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.