ଭଦ୍ରକ ୨୮/୧୨: ଚମ ଧୁଡୁ ଧୁଡୁ ଚେହେରା । ମନରେ କୋହ ଲୁହରେ ଭର୍ତ୍ତି ଆଖି । ହାତରେ ଗୋଟିଏ ଫଟୋ ଧରି ଯାହାକୁ ଦେଖୁଛନ୍ତି ପଚାରୁଛନ୍ତି ମୋ ଝିଅକୁ କେହି ଦେଖିଛ କି ? ବୟସର ଅପରାହ୍ମରେ ଝିଅ ପାଇଁ କାନ୍ଦୁଥିବା ଏ ଦୁଃଖିନୀ ମାଆ ଭଦ୍ରକ ଜିଲ୍ଲା ଚରମ୍ପା ଅଧିନ ବିଦାଙ୍ଗ ଗାଁର ଅନ୍ନପୂର୍ଣ୍ଣା ଧଡା । ବୟସ ୬୦ ଟପିଲାଣି । ପୂର୍ବରୁ ତାଙ୍କ ଅବସ୍ଥା ଏମିତି ନଥିଲା । ସ୍ବାମୀ ଓ ୨ ଝିଅଙ୍କ ସହ ଥିଲା ହସଖୁସିର ସଂସାର । ଅଭାବ ଅନଟନରେ ଭିତରେ ଜୀବନ ଜିଉଁଥିଲେ । ଏଥିରେ ବି ଦାଉ ସାଧିଲା ଦଇବ । ହଠାତ ଟ୍ରେନ ଦୁର୍ଘଟଣାରେ ଚାଲିଗଲା ସାନ ଝିଅ । କିଛି ମାସ ପରେ ଝିଅ ପଛେ ପଛେ ସ୍ବାମୀ ଲକ୍ଷ୍ମୀଧର ମଧ୍ୟ ଚାଲିଗଲେ । ସ୍ବାମୀ ଓ ଝିଅକୁ ହରାଇବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ ଅନ୍ନପୂର୍ଣ୍ଣା । ହେଲେ ଦିବ୍ୟାଙ୍ଗ ବଡ ଝିଅ କମିଳିନୀର ମୁହଁକୁ ଚାହିଁ ବାକି ଜୀବନ ତକ କଟାଇ ଦେବେ ବୋଲି ଭାବିଥିଲେ । ହେଲେ ସବୁ ଯେମିତି ଓଲଟପାଲଟ ହୋଇଗଲା । ଜଗା ଦର୍ଶନ କରିବାକୁ ଯାଇ ବଡଦାଣ୍ଡରେ ଝିଅକୁ ହଜାଇ ଦେଲେ ।
୨୦୧୮,ଜୁଲାଇ ୨୩ । ଅନ୍ନପୂର୍ଣ୍ଣାଙ୍କ ପାଇଁ ଯେମିତି ଥିଲା ଅଶୁଭ । ଜୀବନର ସବୁ ଦୁଃଖ ଭୁଲି ବଡ ଝିଅ କମଳିନୀକୁ ଧରି ବାହାରିଥିଲେ ପୁରୀ କାଳିଆ ସାଆନ୍ତକୁ ଦର୍ଶନ ପାଇଁ । ବଡଦାଣ୍ଡରେ ପହଞ୍ଚିବା ପରେ ଖୁସିରେ ନାଚି ଉଠିଥିଲେ । ଆଗରେ ଝିଅକୁ ରଖି ପଛେ ପଛେ ଚାଲିଥିଲେ ଅନ୍ନପୂର୍ଣ୍ଣା । ରଥଯାତ୍ରା ସମୟ ଥିବାରୁ ଅସମ୍ଭାଳ ଭିଡ ଥିଲା । ଆଉ ଟ୍ରାଫିକ ଜାମରେ ଫସିଯାଇଥିଲେ ମାଆ-ଝିଅ । ଭିଡ ଥମିଲା ବେଳକୁ ଆଉ କମଳିନୀକୁ ପାଇନଥିଲେ ଅନ୍ନପୂର୍ଣ୍ଣା । ତାଙ୍କ ପାଦ ତଳୁ ଯେମିତି ମାଟି ଖସିଯାଇଥିଲା । ବହୁ କଷ୍ଟରେ ନିଜକୁ ସମ୍ଭାଳି ଝିଅକୁ ଖୋଜିଥିଲେ । ହେଲେ ନ ପାଇବାରୁ ସିଂହଦ୍ବାର ଥାନା, ଟାଉନ ଥାନା ଓ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ । କାଳିଆ ପାଖରେ ଗୁହାରି ବି କରିଥିଲେ । କାଳିଆ ମୋ ଝିଅକୁ ମୋତେ ଫେରାଇ ଦେ । ହେଲେ ଆଜି ଯାଏ ଝିଅର ପତ୍ତା ମିଳିନି । ୬ ବର୍ଷରୁ ଅଧିକ ହେବ ଝିଅ ପାଇଁ ଗୁମୁରି ଗୁମୁରି କାନ୍ଦୁଛି ମାଆ ମନ । ବେଳେ ବେଳେ ଜଗା ଉପରେ ଭାରି ଅଭିମାନ ବି ଆସୁଛି । କାନ୍ଦି କାନ୍ଦି କହୁଛନ୍ତି ଜଗା ତୁ ଯଦି ମୋ ଝିଅକୁ ଖୋଜି ଆଣିବୁ ମୁଁ ପୁଣି ତୋତେ ଦର୍ଶନ କରିବାକୁ ଯିବି ।
ସମୟ ଚକ୍ର ଗଡି ଗଡି ଚାଲିଛି । ହେଲେ ଯେଉଁଠି ସେଇଠି ଥମ୍ ହୋଇଯାଇଛି ଅନ୍ନପୂର୍ଣ୍ଣାଙ୍କ ଜୀବନ । ଏତେ ବଡ ଅଘଟଣ ବଡଦାଣ୍ଡରେ ଘଟିଲା, ଶେଷ ସାହାରା ଥିବା ଝିଅ ହଜିଗଲା ତଥାପି ଜଗା ଉପରେ ରାଗି ନାହାନ୍ତି ଅନ୍ନପୂର୍ଣ୍ଣା । ଆଜିବି ଅପେକ୍ଷା କରିଛନ୍ତି ଜଗା ନିଶ୍ଚୟ ତାଙ୍କ ଡାକ ଶୁଣିବ ।