ଜଗତସିଂହପୁର ୩୧/୧୨: କେତେ କଷ୍ଟରେ ଧାର କରଜ କରି ଧାନ ଫସଲ ଫଳାଇଥିଲେ । ଅଦିନିଆ ବର୍ଷା ସବୁ ସାରିଦେଲା । ପାଣିରେ ପଡି ନଷ୍ଟ ହେବା ସହ ଗଜା ହୋଇଗଲା ବର୍ଷକର ଆହାର । ଧାନ ବିଲର ଏପରି ଅବସ୍ଥା ଦେଖି ସହିପାରିଲେନି । ବେକରେ ରଶି ଲଗାଇ ଜୀବନ ହାରିଦେଲେ । ଅଦିନିଆ ବର୍ଷା ଯେ କେବଳ ଫସଲ ଦୋଇନେଇଛି ତାହା ନୁହେଁ ପୁଣି ଏକ ସଂସାର ଉଜାଡି ଦେଇଛି ।
ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅସାରଣା ଗାଁରେ ଶୋକାକୁଳ ପରିବେଶ । ମୁଣ୍ଡପିଟି କାନ୍ଦୁଛନ୍ତି ବୁଢା ବାପା-ମାଆ ଓ ସ୍ତ୍ରୀ । ଫସଲ ନଷ୍ଟ ଯୋଗୁ ଚାଷୀ କୃତିବାସ ସ୍ବାଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୃତିବାସ ଚାଷ ପାଇଁ ବିଭିନ୍ନ ସଂସ୍ଥାରୁ ଟଙ୍କା ସୁଧ ଆଣି ଲଗାଇଥିଲେ । ବର୍ଷା ପୂର୍ବରୁ ଗୋଟିଏ ଏକର ଧାନ କାଟି ଦେଇଥିଲେ । ଆଉ ଯେତକ ଥିଲା ବର୍ଷା ସବୁ ଧୋଇନେଲା । ପାଣିରେ ପଶି ନଷ୍ଟ ହେବା ସହ ଗଜା ହୋଇଗଲା । ବିଲର ଏମିତି ଅବସ୍ଥା ଦେଖି ମାନସିକ ଭାରସାମ୍ୟ ହରାଇ ବସିଥିଲେ କୃତିବାସ ।
ଧାରକରଜ କେମିତି ସୁଝା ହେବ,ଘର ସଂସାର କେମିତି ଚାଲିବ ସେହି ଚିନ୍ତା ତାଙ୍କୁ ଘାରିଥିଲା । ସୋମବାର ସକାଳେ ବିଲକୁ ଯାଇ କାମ କରିବା ପରେ ସଂଧ୍ୟାରେ ଗାଇ କାମ କରିଥିଲେ । ଘର ଲୋକେ ବସି ଖାଉଥିବାବେଳେ କୃତିବାସ ଶୋଇବାକୁ ଯାଇଥିଲେ । ହେଲେ ଆଉ ବାହାରକୁ ଆସିନଥିଲେ । କବାଟ ନଖୋଲିବାକୁ ପରିବାର ଲୋକେ କବାଟ ଭାଙ୍ଗି ପଶିଥିଲେ । ଯାହା ଦେଖିଲେ ପାଦତଳୁ ମାଟି ଖସିଗଲା । ଫ୍ୟାନରେ କୃତିବାସଙ୍କ ମୃତଦେହ ଝୁଲୁଥିଲା । ସେଠାରୁ ଉଦ୍ଧାର କରାଯାଇ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା । କୃତିବାସଙ୍କ ଜୀବନ ଚାଲିଯାଇଥିଲା ।
ଘରର ଏକମାତ୍ର ରୋଜଗାରିଆ ପୁଅ ଏମିତି ଅକାଳରେ ଚାଲିଯିବା ପରେ ଘର ଲୋକଙ୍କ ଦୁଃଖ ବଢିଯାଇଛି । କୃତିବାସଙ୍କ ପରେ ତାଙ୍କ ବୃଦ୍ଧ ବାପା-ମାଆ,ସ୍ତ୍ରୀ ଓ ୨ଟି କୁନି କୁନି ଝିଅଙ୍କ କଥା କିଏ ବୁଝିବ ? ସେମାନେ କେମିତି ଚଳିବେ ? ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କୃତିବାସଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।