ମୟୁରଭଞ୍ଜ ୨୦/୧:ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ । ମୃତକ ମୟୁରଭଞ୍ଜ ଖୁଣ୍ଟା ଥାନା ଟିଟିଆ ଗାଁର ଅଭିଜିତ ଗିରି । ସେ କୋଟାରେ ରହି ଜେଇଇ କୋଚିଂ ନେଉଥିଲେ । ବେଶ ଭଲ ପାଠ ପଢୁଥିଲେ ଅଭିଜିତ । ତେଣୁ ପୁଅର ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ପୁଅ କେବେ ଜୀବନ ହାରିବନି ତାକୁ ମାରିଦିଆଯାଇଥିବା ଅଭିଯୋଗ କରିଛନ୍ତି ।
ସୋମବାର ସକାଳୁ ଟିଟିଆ ଗାଁରେ ଅଭିଜିତଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଅର ମୃତଦେହ ପାଖରେ ବସି ବୁକୁ ଫଟାଇ କାନ୍ଦୁଛି ମାଆ । ମୁଣ୍ଡ ପାଖରେ ପୁଅର ମନପସନ୍ଦର ଆରିସା ପିଠା ରଖିଥିବାବେଳେ ବଡମାଆ ମ୍ୟାଗି ଖୁଆଉଥିବାର ଦୃଶ୍ୟ ଆଖିରେ ଲୁହ ଆଣିଦେବ । ପୁଅର ହତ୍ୟାକାରୀକୁ ଧରିବାକୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ଲୋକ ।