କଣାସରେ ଝାଡାବାନ୍ତି ନେଲାଣି ୪ ଜୀବନ, ଦୟା ନଦୀ ପାଣି ବ୍ୟବହାର ନ କରିବାକୁ ପରାମର୍ଶ

Published By : Prameya-News7 Bureau | January 20, 2025 IST

କଣାସ୨୦/୧:  ଜୀବନ ନେଉଛି ଝାଡାବାନ୍ତି । ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ।ଏବେବି  ୩୦ ରୋଗୀ ଚିକିତ୍ସାଧୀନ ଅଛନ୍ତି । ସ୍ଥିତି ପରଖିଲା ପ୍ରଶାସନ । ଦୟା ନଦୀରେ ହଇଜା ଭୂତାଣୁ ଥିବା ସନ୍ଦେହରେ  ପାଣି ନ ପିଇବାକୁ ପରାମର୍ଶ । କଣାସ ବ୍ଲକରେ ଝାଡାବାନ୍ତିକୁ ନେଇ କୋକୁଆ ଭୟ ।ଏବେ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । 

ନୂଆଗାଁର ଅହଲ୍ୟା ଦଳାଇ, ତାରା ବେହେରା ଓ କବିତା ରାଉତରାୟ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । କଣାସର ବିଭିନ୍ନ ଗାଁକୁ ଝାଡାବାନ୍ତି ବ୍ୟାପିବା ପ୍ରଶାସନର ନିଦ ହଜାଇ ଦେଇଛି । କଣାସ ବ୍ଲକରେ ପହଞ୍ଚିଛନ୍ତି ପ୍ରଶାସନିକ ଅଧିକାରୀ । ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ମେଡିସିନ ବଣ୍ଟନ କରାଯାଇଛି । ଦୟାନଦୀର ପାଣି ବ୍ୟବହାର ନକରିବାକୁ କୁହାଯାଇଛି । 

ପୂର୍ବରୁ ନୂଆଗାଁର ସାରଥୀ ପ୍ରଧାନ ଓ ସଚଳା ସାହୁଙ୍କ ଜୀବନ ନେଇଥିଲା ଝାଡାବାନ୍ତି । ରବିବାର ରାତିରେ ମାଗି ଦଳାଇ ଓ ଗୁରେଇ ସେଠିଙ୍କର ମୃତ୍ୟୁ  ପରେ  ଲୋକଙ୍କ ମଧ୍ୟରେ ଭୟ ବଢୁଛି । ଦୟା ନଦୀର ପାଣି ବିଷାକ୍ତ ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଟ୍ୟାଙ୍କରରେ ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

ତେବେ ଠିକ ଭାବରେ ପାଣି ଯୋଗାଣ ହେଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ନୂଆଗାଁରେ ୪ଟି ୱାର୍ଡରେ ୨୩୦ ପରିବାରରେ ୧୫୨୦ ଜଣ ଲୋକ ରହୁଛନ୍ତି । ସେହିପରି ଜାଗୁଳେଇ ପଦରରେ ୪ଟି ୱାର୍ଡ, ୮ଶହ ପରିବାରରେ ଲୋକ ସଂଖ୍ୟା ରହିଛି ୩୪୦୦ । ଏତେ ସଂଖ୍ୟକ ଲୋକଙ୍କ ପାଇଁ ଦିନକୁ ଗୋଟିଏ ଟ୍ୟାଙ୍କର ପାଣି ଯଥେଷ୍ଟ ନୁହେଁ ୪ ଟ୍ୟାଙ୍କର ପାଣି ଯୋଗାଇ ଦେବାକୁ ଦାବି ହୋଇଛି ।


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.