ତିନି ରଥରେ ପାର୍ଶ୍ଵ ଦେବାଦେବୀ ସଂସ୍ଥାପିତ, ଶେଷ ପର୍ଯ୍ୟାୟରେ ରଥର ରଙ୍ଗ କାର୍ଯ୍ୟ

Published By : Prameya-News7 Bureau | July 04, 2024 IST

SJTA

ପୁରୀ,୦୪/୦୭: ଆଉ ମାତ୍ର ୩ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଏଣୁ ରଥ ନିର୍ମାଣ ସାରିବାକୁ ବ୍ୟଗ୍ର ନିର୍ମାଣକାରୀ । ସବୁଦିନପରି ଆଜି ସକାଳ ୮ଟାରେ ରଥ ନିର୍ମାଣ କାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ରହି ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି

(ଗତକାଲି ତିନି ରଥରେ କଳସ, ଓଲଟ ଶୁଆ ଏବଂ ଅଁଳା ସ୍ଥାପନ ସହ ପ୍ରଭାରେ ରୂପ ଖୋଦେଇ ଶେଷ ହୋଇଥିଲା, ଏଥିସହ ଚିତ୍ରକାର ସେବକଙ୍କ ଦ୍ଵାରା ପ୍ରଭାରେ ରଙ୍ଗ କାର୍ଯ୍ୟ ଆରମ୍ଭ ସହ ତିନି ରଥର  ଦୁଆର ବେଢ଼ାରେ କନା ପକାକାର୍ଯ୍ୟ ଆରମ୍ଭ ହୋଇଥିଲା...)

  • ତିନି ରଥର ନିର୍ମାଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ... ତିନିରଥରେ ପାର୍ଶ୍ଵ ଦେବ ଦେବୀ ସଂସ୍ଥାପିତ। ଆଜି ତିନି ରଥର ମହାରଣା ସେବକ ଏବଂ ଭୋଇ ସେବକ ମାନେ ମିଶି ତିନି ରଥର ସମ୍ମୁଖ ଭାଗକୁ ଛାଡି ପ୍ରତି ପାର୍ଶ୍ୱରେ ତିନୋଟି ଲେଖାଏଁ ୯ ଗୋଟି ପାର୍ଶ୍ଵ ଦେବାଦେବୀଙ୍କୁ ଜଳଯନ୍ତ୍ର ଖାପରେ ସେଟିଙ୍ଗ କରି, ଶିଖର ଡମ୍ବରୁ (ଆସ୍ଥାନ) ସଂଯୋଗ କରିଛନ୍ତି।
  • ଚିତ୍ରକାର ସେବକ ମାନେ ତିନି ରଥ ପ୍ରଭା ଗୁଡ଼ିକର ରୂପ ଖୋଦେଇ ଅଂଶରେ ରଙ୍ଗ ଚିତ୍ର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
  • ନନ୍ଦି ଘୋଷ ରଥ ବେଦୀ ସିଂହାସନ ଚାରି ପଟେ ଗାଈ ଗୋଠ ଚିତ୍ର ଅଙ୍କନ ଶେଷ ହେବାସହ ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ବେଦୀ ସିଂହାସନ ଚାରିପାଖରେ ଗାଈ ଗୋଠ ଚିତ୍ର ଅଙ୍କନ ଜାରୀ ରହିଛି।
  • ଚିତ୍ରକାର ସେବକ ମାନେ ତିନି ରଥର ଘୋଡ଼ା, ସାରଥି, ସକ୍ଷୀ ଇତ୍ୟାଦିର ରଙ୍ଗ କାର୍ଯ୍ୟ  ସମେତ ତିନି ରଥର ବାହ୍ୟ ଅଂଶର ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
  • ତିନି ରଥର ଦୁଇଟି ଲେଖାଏଁ ବ୍ରେକ ପୁଲି ଲାଗିବା ସହ ବ୍ରେକ ଗୁଡିକର ତଳ ପାର୍ଶ୍ଵ ଆବଶ୍ୟକୀୟ ମରାମତି ସହ ଲାଗିଥିବା ରବର ମ୍ୟାଟ ବଦଳାଯାଇ ନୂଆ ରବର୍ ମ୍ୟାଟ ପଡ଼ି କଣ୍ଟା ପଡ଼ିବା ଶେଷ ହୋଇଅଛି। ରଙ୍ଗ କାର୍ଯ୍ୟ ବାକି ରହିଛି।
  • ଦରଜୀ ସେବକ ମାନେ ରଥ କନା କାର୍ଯ୍ୟ ଶେଷ କରି, ରଥ ଉପରେ କନା ପଡ଼ିବା ପାଇଁ  କନା ଯୋଡଣି କାର୍ଯ୍ୟ ଶେଷ କରି, ଉଡା ଛନ୍ଦୁଆ, ସାରଥି ପୋଷାକ, ବିଜେ ଚକାପାଇଁ ବାନାରସି ଜରି କନା ଖୋଳ ଏବଂ ଠାକୁରଙ୍କ ପିଠି ଏବଂ ମସ୍ତକ ପଶ୍ଚାତ ଭାଗ ପାଇଁ ଅପସର ତକିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
  • ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ପ୍ରଭା ବିଡିଆ କଣ୍ଟା ,ବ୍ରେକ କଣ୍ଟା ସହ ଭୋଇ ସେବକ ଏବଂ କୋଠ ସୁଆଁସିଆ ସେବକ ମାନଙ୍କ ପାଇଁ ଆବଶ୍ୟକୀୟ କଟୁରୀ ନିର୍ମାଣ ଶେଷ କରିଛନ୍ତି।
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.