ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | June 18, 2024 IST

ଭୁବନେଶ୍ବର ୧୮।୬: ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ । ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ଚିହ୍ନଟ ହୋଇଛନ୍ତି । ୫ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡାରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ବନ୍ଧୁଗାଁରୁ ଜଣେ, କଳାହାଣ୍ଡିରୁ ୪-୫ ଜଣ ସନ୍ଦିଗ୍ଧ ଡିପଥେରିଆ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ RMRCକୁ ପଠାଯାଇଛି । କୋରାପୁଟ ବନ୍ଧୁଗାଁରୁ ଚିହ୍ନଟ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି, ତାଙ୍କୁ MKCGକୁ ପଠାଯାଇଛି । ଏକ ସ୍ବତନ୍ତ୍ର ଟିମ୍ ମନିଟର କରୁଛି । 

କଳାହାଣ୍ଡି ରୋଗୀଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରାୟଗଡ଼ାରେ ମାମଲା ସ୍ଥିର ରହିଛି । ଆଗ୍ରା, ହାଇଦ୍ରାବାଦରୁ ଆଣ୍ଟି ଡିପଥେରିଆଲ ସିରମ୍ ଅଣାଯାଇ ଆକ୍ରାନ୍ତଙ୍କୁ ଦିଆଯାଉଛି । ସଂକ୍ରମଣର ମୁକାବିଲା ପାଇଁ ୩ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଓ WHO ଟିମ୍ ମିଳିତ ଭାବେ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଣ୍ଟିବାୟୋଟିକ ଦ୍ଵାରା ଏ ସଂକ୍ରମଣ ମୂଳପୋଛ କରାଯାଇପାରିବ । ତେବେ ଯେହେତୁ ଏହା ବାୟୁ ଦ୍ୱାରା ସଂକ୍ରମିତ ହେଉଛି, ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

You Can Read :

ବାଲେଶ୍ଵର ପୌରପାଳିକା ଅଞ୍ଚଳରେ ବଢିଲା କର୍ଫ୍ୟୁ ଅବଧି, ଇଣ୍ଟରନେଟ୍ ବନ୍ଦ ପାଇଁ ନିଷ୍ପତ୍ତି

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.