ନ୍ୟୁୟର୍କ ୧୪।୩: ଟାରିଫ ୱାର ଯୋଗୁ ବିଶ୍ୱର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ଅମେରିକା ଷ୍ଟକ୍ ମାର୍କେଟ୍ ମୁଦ୍ରାସ୍ପିତି ଓ ମାନ୍ଦାବସ୍ଥା ଭୟରେ ଗୁରୁବାର କ୍ରାସ ହୋଇଯାଇଛି। ତିନି ପ୍ରମୁଖ ଆମେରିକୀୟ ଷ୍ଟକ୍ ଇଣ୍ଡେକ୍ସ ନିମ୍ନ ସ୍ତରରେ ବନ୍ଦ ହୋଇଛି। ଟେକ୍ ଓ ଟେକ୍ ସମ୍ପର୍କିତ ମେଗା କ୍ୟାପ୍ ସେୟାରରେ ବ୍ୟାପକ ବିକାବିକି ଯୋଗୁ ନାସଡାକ୍ ପାଖାପାଖି ୨% ହ୍ରାସ ହୋଇଛି। ଏଥିରେ ବେଞ୍ଚମାର୍କ ଏସ ଆଣ୍ଡ ପି-୫୦୦ ଏବେ କରେକ୍ସନ ସ୍ଥିତିରେ ଅଛି।
ଶୁକ୍ରବାର ହୋଲି ଯୋଗୁ ଘରୋଇ (ଭାରତୀୟ) ସେୟାର ମାର୍କେଟ୍ ବନ୍ଦ ରହିଛି। ଏଣୁ ହୋଲି ପରେ ସୋମବାର ଯେବେ ଘରୋଇ ମାର୍କେଟ ଖୋଲିବ ଏହା ଲାଲ ସଂକେତରେ ଖୋଲିବ ବୋଲି ଆକଳନ କରାଯାଉଛି। ଡାଉଜୋନ୍ସ ଇଣ୍ଡଷ୍ଟ୍ରିଆଲ ଆଭରେଜ ୫୩୭.୩୬ ପଏଣ୍ଟ ଅର୍ଥାତ ୧.୩୦ ପ୍ରତିଶତ ହ୍ରାସ ହୋଇ ୪୦,୮୧୩.୫୭ରେ ବନ୍ଦ ହୋଇଛି। ସେହିପରି ଏସ ଆଣ୍ଡ ପି-୫୦୦ରେ ୭୭.୭୮ ପଏଣ୍ଟ ଅର୍ଥାତ ୧.୩୯ ପ୍ରତିଶତ ହ୍ରାସ ସହ ୫,୫୨୧.୫୨ରେ ବନ୍ଦ ହୋଇଛି। ଏଥିରେ ନାସଡାକ୍ କମ୍ପୋଜିଟ୍ ୩୪୫.୪୪ ପଏଣ୍ଟ ହ୍ରାସ ହୋଇ ୧୭,୩୦୩.୦୧ରେ ବନ୍ଦ ହୋଇଛି।
ଏସ ଆଣ୍ଡ ପି-୫୦୦ର ସମସ୍ତ ୧୧ଟିଯାକ ସେକ୍ଟରରୁ କେବଳ ୟୁଟିଲିଟିଜକୁ ଛାଡିଦେଲେ ବାକି ସେକ୍ଟର ନେଗେଟିଭ ଜୋନରେ ବନ୍ଦ ହୋଇଛନ୍ତି। ଏଥିରେ କମ୍ୟୁନିକେସନ ସର୍ଭିସେସ ଓ କଞ୍ଜ୍ୟୁମର ଡିସ୍କ୍ରେଶନାରୀ ସେକ୍ଟରରେ ସବୁଠୁ ଅଧିକ ହ୍ରାସ ଦେଖାଯାଇଛି। ଇଣ୍ଟେଲ ସେୟାର ୧୪.୬% ପ୍ରତିଶତ ଚଢିଥିବା ବେଳେ ଏଡୋବ ସେୟାର ୧୩.୯% ହ୍ରାସ ହୋଇଛି। ଡଲାର ଜେନେରାଲ ସେୟାର ୬.୮% ବଢିଥିବା ବେଳେ ଟେସ୍ଲା ସେୟାର ୩% ପ୍ରତିଶତ ହ୍ରାସ ହୋଇଛି। ଆପଲ ସେୟାର ୩.୩୬% ହ୍ରାସ ହୋଇଥିବା ବେଳେ ଆମାଜନ ସେୟାର ୨.୫୧% ତଳେ ରହିଛି।
ୟୁରୋପୀୟ ସଂଘ ଷ୍ଟିଲ ଓ ଆଲୁମିନିୟମ ଉପରେ ଆମେରିକା ଟାରିଫ ଜବାବରେ ଆମେରିକୀୟ ହ୍ୱିସ୍କି ରପ୍ତାନୀ ଉପରେ ୫୦ ପ୍ରତିଶତ ଟ୍ୟାକ୍ସ ଧାର୍ଯ୍ୟ କରିଛି। ଏହା ପରେ ଆମେରିକା ରାଷ୍ଟ୍ରପତି ଟ୍ରୁଥ ସୋସାଲରେ ୟୁରୋପୀୟ ୱାଇନ ଓ ସ୍ପିରିଟର ଆମଦାନୀ ଉପରେ ୨୦୦ % ଟ୍ୟାକ୍ସ ଲଗେଇବେ ବୋଲି ଧମକ ଦେଇଛନ୍ତି। ରୟେଟର୍ସ/ଇପସୋସ୍ ଦ୍ୱାରା ୧୧ ଓ ୧୨ମାର୍ଚ୍ଚରେ କାରଯାଇଥିବା ସର୍ଭେକ୍ଷଣରେ ୫୭ ପ୍ରତିଶତ ଲୋକେ ଭାବନ୍ତି ଯେ ଅର୍ଥ ବ୍ୟବସ୍ଥାକୁ ବଦଳାଇବା ପାଇଁ ଟ୍ରମ୍ପଙ୍କ ଉଦ୍ୟମ ଅପ୍ରତ୍ୟାସିତ। ସେହିପରି ୫୨ ପ୍ରତିଶତ ଲୋକେ ଟାରିଫ ୱାର ଦ୍ୱାରା କ୍ଷତି ଛଡା ବିଶେଷ ଲାଭ ହେବ ନାହିଁ ବୋଲି କହିଛନ୍ତି।
ଷ୍ଟକ୍ ମାର୍କେଟରେ ହ୍ରାସର ପ୍ରଭାବରେ ଏବେ ଦେଶର ସୁରକ୍ଷିତ ନିବେଶ ଆମେରିକା ସରକାରୀ ବଣ୍ଡର ଚାହିଦା ଅଚାନକ ବଢି ଯାଇଛି। ଏଣୁ ୟୁଏସ୍ ଟ୍ରେଜରୀ ୟିଲ୍ଡରେ ଗୁରୁବାର ହ୍ରାସ ଦେଖାଯାଇଛି। ୧୦ ବର୍ଷିୟ ନୋଟସ୍ ର ୟିଲ୍ଡ ୩.୪ ବେସିସ ପଏଣ୍ଟ ହ୍ରାସ ହୋଇ ୪.୨୮୨%କୁ ପହଞ୍ଚି ଯାଇଛି। ପୂର୍ବରୁ ଏହା ୪.୩୫୩ % ଥିଲା। ସେହିପରି ୨ ବର୍ଷିୟ ନୋଟ୍ ର ୟିଲ୍ଡ ୪.୨ ବେସିସ ପଏଣ୍ଟ ହ୍ରାସ ହୋଇ ୩.୯୫୩%କୁ ଖସି ଆସିଛି।