ନୂଆଦିଲ୍ଲୀ: ମାର୍କେଟ୍ରେ ମାନ୍ଦାବସ୍ଥା ଯୋଗୁ ମ୍ୟୁଚୁଆଲ ଫଣ୍ଡ ଇକ୍ୱିଟିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଫେବୃଆରୀରେ ଇକ୍ୱିଟି ମ୍ୟୁଚୁଆଲ୍ ପ୍ରବାହ(ଇନ୍ଫ୍ଲୋ) ୨୬% ହ୍ରାସ ପାଇଛି। ଜାନୁଆରୀ ମାସରେ ଏହା ୩୯,୬୮୭ କୋଟି ଟଙ୍କା ଥିଲା। ଏବେ ୨୯,୩୦୩ କୋଟି ଟଙ୍କାକୁ ହ୍ରାସ ପାଇଛି। ଫଳରେ ମ୍ୟୁଚୁଆଲ ଫଣ୍ଡ ପ୍ରବାହ ୧୦ ମାସର ସର୍ବ ନିମ୍ନ ସ୍ତରକୁ ଖସି ଯାଇଛି। ଭାରତୀୟ ମ୍ୟୁଚୁଆଲ୍ ଫଣ୍ଡ୍ ସଂଘ (AMFI) ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ମାନ୍ଦାବସ୍ଥା ଯୋଗୁ ନିବେଶକମାନେ ନିବେଶ ଅପେକ୍ଷା ଅଧିକ ସତର୍କ ଅବଲମ୍ବନ କରୁଛନ୍ତି। ଯାହା ବଜାର ଅସ୍ଥିରତା ମୁଖ୍ୟ କାରଣ ପାଲଟିଛି।
ସେହିପରି ଡେବ୍ଟ ମ୍ୟୁଚୁଆଲ ଫଣ୍ଡରେ ଫେବ୍ରୁଆରୀ ମାସରେ ୬,୫୨୫ କୋଟି ଟଙ୍କାର ବାହାର କରାଯାଇଛି। ତେବେ ଜାନୁଆରୀରେ ଓଲଟି ୧.୨୮ ଲକ୍ଷ ନିବେଶ ହୋଇଥିଲା।
ପଢନ୍ତୁ- ସରକାରୀ ଟେଲିକମ କମ୍ପାନୀ BSNLରୁ ହେଉଛି ୟୁଜର୍ସଙ୍କ ମୋହଭଙ୍ଗ, ଜାଣନ୍ତୁ କାହିଁକି?
ଡେବ୍ଟ ମ୍ୟୁଚୁଆଲ ଫଣ୍ଡ କ’ଣ ?
ଡେବ୍ଟ ମ୍ୟୁଚୁଆଲ୍ ଫଣ୍ଡ ହେଉଛି ଏକ ପ୍ରକାରର ନିବେଶ ମାଧ୍ୟମ, ଯେଉଁଥିରେ ବିଭିନ୍ନ ନିବେଶକଙ୍କଠାରୁ ଟଙ୍କା କାଢ଼ି ଏହାକୁ ମୁଖ୍ୟତଃ ସରକାରୀ ବଣ୍ଡ, କର୍ପୋରେଟ୍ ବଣ୍ଡ ଏବଂ ଟ୍ରେଜେରୀ ବିଲ୍ ଭଳି ସ୍ଥିର-ଆୟ ସିକ୍ୟୁରିଟିରେ ନିବେଶ କରେ। ଯାହା ଇକ୍ୱିଟି ନିବେଶ ତୁଳନାରେ କମ୍ ରିକ୍ସ ଥାଏ ରିଟର୍ଣ୍ଣ ସୁନିଶ୍ଚିତ ହୋଇଥାଏ।
ଏହି ହ୍ରାସ ସତ୍ତ୍ୱେ ସେକ୍ଟୋରାଲ ଓ ଥିମାଟିକ ଫଣ୍ଡସ(ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିବେଶ)ରେ ନିବେଶ ବଢିଛି। ଏଥିରେ ୫,୭୧୧ କୋଟି ଟଙ୍କା ନିବେଶ ଆସିଛି। ଫଳରେ ୧୧ଟି ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ ମଧ୍ୟରେ ନିବେଶ ଆକର୍ଷଣ କରିବାରେ ଏହା ଶୀର୍ଷରେ ରହିଛି। ସେହିପରି ଏହା ପଛକୁ ରହିଛି ଫ୍ଲେକ୍ସି କ୍ୟାପ୍ ଫଣ୍ଡସ। ଏଥିରେ ବି ୫,୧୦୪ କୋଟି ନିବେଶ ହୋଇଛି।
ମ୍ୟୁଚୁଆଲ୍ ଫଣ୍ଡ ପ୍ରବାହ ହ୍ରାସ ପାଉଥିବାରୁ, ଯେଉଁମାନେ ସେମାନଙ୍କ ନିବେଶକୁ ବିଭିନ୍ନ କ୍ଷେତ୍ରରେ ନିବେଶ କରି ରିକ୍ସ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ନିବେଶର ଭଲ ବିକଳ୍ପ ଗୁଡ଼ିକ ଜାଣି ରଖିବା ଦରକାର।
ଇକ୍ୱିଟି ସେଭିଂ ଫଣ୍ଡ, ବାଲାନ୍ସଡ୍ ଆଡଭାଣ୍ଟେଜ ଫଣ୍ଡ, ମଲ୍ଟି-ଆସେଟ୍ ଫଣ୍ଡ ଏବଂ ଆସେଟ୍ ଆଲୋକେଟର ଫଣ୍ଡ ଭଳି ହାଇବ୍ରିଡ୍ ଫଣ୍ଡଗୁଡ଼ିକ ଇକ୍ୱିଟି ଏବଂ ଡେବ୍ଟ ମିଶ୍ରିତ ଫଳାଫଳ ପ୍ରଦାନ କରନ୍ତି, ସମ୍ଭାବ୍ୟ ରିଟର୍ଣ୍ଣ ବଜାୟ ରଖିବା ସହିତ ରିକ୍ସ ହ୍ରାସ କରିବାରେ ମଧ୍ୟ ଏହା ସହଯୋଗ କରେ।
ମ୍ୟୁଚୁଆଲ ଫଣ୍ଡ ଇଣ୍ଡଷ୍ଟ୍ରୀରେ ଟୋଟାଲ ଆସେଟ ଅଣ୍ଡର ମ୍ୟାନେଜମେଣ୍ଟ(ଏୟୁଏମ) ୪ ପ୍ରତିଶତ ହ୍ରାସ ପାଇ ଜାନୁଆରୀର ୬୬.୯୮ ଲକ୍ଷ କୋଟିରୁ ଫେବ୍ରୁଆରୀରେ ୬୪.୨୬ କୋଟି ଟଙ୍କାକୁ ଖସି ଆସିଛି।