ନୂଆଦିଲ୍ଲୀ: ଭାରତରେ ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ର ପ୍ରବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ଏୟାରଟେଲ୍ ଓ ଜିଓ ସହ ଚୁକ୍ତିନାମା ପରେ ଷ୍ଟାର୍ଲିଙ୍କ୍ର ଭାରତରେ ପ୍ରବେଶ କିଛି ମାତ୍ରାରେ ସ୍ପଷ୍ଟ ହୋଇଛି । କିନ୍ତୁ ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ସାଟେଲାଇଟ୍ ବ୍ରଡ୍ବ୍ୟାଣ୍ଡ ସେବା ପାଇଁ ଲାଇସେନ୍ସ ଅବଧିକୁ ୫ ବର୍ଷ ଯାଏ ସୀମିତ ରଖିବା ପାଇଁ ଯୋଜନା କରୁଛି । ଏହି ନିଷ୍ପତ୍ତି ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କ୍ ପାଇଁ ବଡ଼ ଝଟକା ହୋଇପାରେ, କାରଣ କାମ୍ପାନି ୨୦ ବର୍ଷ ପାଇଁ ଲାଇସେନ୍ସ ଦାବି କରୁଥିଲା ।
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସେବା ପାଇଁ ସ୍ପେକ୍ଟ୍ରମ୍ ଆବଣ୍ଟନକୁ ନଇ ବଡ଼ ବିବାଦ ଚାଲିଛି । ମସ୍କଙ୍କ ଷ୍ଟାର୍ଲିଙ୍କ୍ ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ୍ ଚାହୁଁଛି, ଫଳରେ କମ୍ପାନି ଲଙ୍ଗ୍ ଟର୍ମ ପ୍ଲାନିଂ କରିପାରିବ ଓ ଶସ୍ତା ସେବା ପ୍ରଦାନ କରିପାରିବ । ଅନ୍ୟପଟେ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଓ ଭାରତୀ ଏୟାରଟେଲ୍ ଏହି ଅବଧି ୩-୫ ବର୍ଷ ମଧ୍ୟରେ ସୀମିତ ରହୁ ବୋଲି ଚାହୁଁଛନ୍ତି । ଏହାଦ୍ୱାରା ଭାରତ ସରକାର ସମୟ-ସମୟରେ ବଜାରର ଆକଳନ କରିପାରିବେ । ଏବେ ଟ୍ରାଇ ଅମ୍ୱାନୀ ଓ ଏୟାରଟେଲ୍ର ପ୍ରସ୍ତାବକୁ ମାନି ୫ ବର୍ଷର ସମୟ-ସୀମା କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ରିପୋର୍ଟ ଅନୁସାରେ, ଭାରତ ସାଟେଲାଇଟ୍ ବ୍ରଡ୍ବ୍ୟାଣ୍ଡର ବଜାରକୁ ପ୍ରଥମେ ପରଖିବାକୁ ଚାହୁଁଛି, ଯାହାଦ୍ୱାରା ସ୍ପେକ୍ଟ୍ରମ୍ ମୂଲ୍ୟ ସ୍ଥିର କରାଯାଇପାରିବ । ଏବେ ପାରମ୍ପାରିକ ଟେଲିକମ୍ କମ୍ପାନିକୁ ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ ନିଲାମୀ ଜରିଆରେ ମିଳିଥାଏ । କିନ୍ତୁ ସାଟେଲାଇଟ୍ ସେବା ପାଇଁ ଶସ୍ତା ଓ ସୀମିତ ସମୟ ପାଇଁ ସ୍ପେକ୍ଟ୍ରମ୍ ଆବଣ୍ଟନ କରାଯିବ । ଟ୍ରାଇ ଆଗାମୀ ଏକ ମାସ ଭିତରେ ନିଜର ଚୂଡ଼ାନ୍ତ ସୁପାରିଶଗୁଡ଼ିକୁ ଦୂରସଂଚାର ମନ୍ତ୍ରଣାଳୟକୁ ପଠାଇବ । ଏହାପରେ ସରକାର ଏହାକୁ କରିବା ଉପରେ ନିଷ୍ପତ୍ତି ନେବେ । ଭାରତରେ ୨୦୨୮ ସୁଦ୍ଧା ସାଟେଲାଇଟ୍ କମ୍ୟୁନିକେସନ ସେକ୍ଟରର ଆକାର ୨୫ ବିଲିୟନ ଡଲାର ଯାଏ ପହଞ୍ଚିବାର ଅନୁମାନ ରହିଛି ।
ସେପଟେ ଷ୍ଟାରଲିଙ୍କ୍ ଆଗରେ ଭାରତ ସରକାର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛନ୍ତି । କେନ୍ଦ୍ର ସରକାର ମସ୍କଙ୍କ ସାଟେଲାଇଟ୍ ଭେଞ୍ଚର ଷ୍ଟାରଲିଙ୍କୁ ଭାରତରେ ଏକ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ କରିବା ପାଇଁ କହିଛନ୍ତି । ଏହାଦ୍ୱାରା ଆଇନ ଓ ବ୍ୟବସ୍ଥା ବଜାୟ ରଖାଯାଇପାରିବ, ଆବଶ୍ୟକ ସ୍ଥଳେ ସମ୍ୱେଦନଶୀଳ ଓ ଅଶାନ୍ତ କ୍ଷେତ୍ରରେ ଟେଲିକମ୍ୟୁନିକେସନ ସେବାକୁ ସସପେଣ୍ଡ କିମ୍ୱା ବନ୍ଦ କରାଯାଇପାରିବ ।