ଜେଲରେ ଚାଲିଥିଲା ‘ରାମ ଲୀଳା’, ବାନର ଭୂମିକାରେ ଅଭିନୟ କରୁଥିବା ୨ କଏଦୀ ଫେରାର

Published By : Prameya-News7 Bureau | October 12, 2024 IST

ହରିଦ୍ୱାର ୧୨।୧୦: ଉତ୍ତରାଖଣ୍ଡର ହରିଦ୍ୱାର ଜେଲରୁ ୨ କଏଦୀ ଫେରାର ହେବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କୁହାଯାଉଛି ଜେଲରେ ନିର୍ମାଣ କାମ ଚାଲିଥିଲା, ଏହାର ଫାଇଦା ଉଠାଇ କଏଦୀ ଫେରାର ହୋଇଯାଇଛନ୍ତି। ରିପୋର୍ଟ ଅନୁସାରେ ନବରାତ୍ରି ଲାଗି ଜେଲରେ ରାମଳୀଳା ଆୟୋଜନ କରାଯାଇଥିଲା। ଫେରାର ୨ କଏଦୀ ବାନର ଭୂମିକାରେ ଅଭିନୟ କରୁଥିଲେ। ଅଧିକାରୀ ଓ କର୍ମଚାରୀ ରାମଲୀଳା ଦେଖିବାରେ ମଗ୍ନ ଥିବା ବେଳେ ସେମାନେ ସୁଯୋଗ ଦେଖି ଫେରାର ହୋଇଯାଇଛନ୍ତି। 

ଏଥିରେ ଫେରାର କଏଦୀ ପଙ୍କଜ ରୁରକିର ବାସିନ୍ଦା ହୋଇଥିବା ବେଳେ ସେ ଏକ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିଲା। ସେହିପରି ତା ସହ ଫେରାର ହୋଇଥିବା ରାଜ କୁମାର ଉତ୍ତରପ୍ରଦେଶର ବାସିନ୍ଦା ଓ ସେ ବିଚାରାଧୀନ ବନ୍ଦୀ ଥିଲା। ସୂଚନା ଅନୁସାରେ ଜେଲରେ ହାଇ ସିକ୍ୟୁରିଟି ବ୍ୟାରକର ନିର୍ମାଣ ହେଉଛି। ଏଥି ପାଇଁ ଭାରା ବନ୍ଧା ଯାଇଥିଲା। ଏହାକୁ ବ୍ୟବହାର କରି ୨ କଏଦୀ ଜେଲରୁ ପଳାୟନ କରିବାରେ ସକ୍ଷମ ହୋଇଛନ୍ତି। ଜିଲ୍ଲା କାରାଗାରର ବରିଷ୍ଠ ଜେଲ ଅଧିକ୍ଷକ ମନୋଜ କୁମାର ଆର୍ଯ୍ୟ ଘଟଣାର ସୂଚନା ଦେଇଛନ୍ତି। 

କାହା ଭୁଲ ଯୋଗୁ ଜେଲରୁ କଏଦୀ ଫେରାର ହେଲେ ତାର ଏବେ ଯାଞ୍ଚ ଚାଲିଛି। ତେବେ ବରିଷ୍ଠ ଜେଲ ଅଧିକ୍ଷକ ଘଟଣା ବେଳେ ଛୁଟିରେ ଥିଲେ ବୋଲି କହିଛନ୍ତି। ଏଣୁ କଏଦୀ କିପରି ଫେରାର ହେଲେ ସେ ସଠିକ କହିପାରି ନାହାନ୍ତି। ତେବେ ରାତିରେ ବ୍ୟାରାକ ବନ୍ଦ କରାଯିବା ବେଳେ କଏଦୀମାନଙ୍କୁ ଗଣାଯାଏ। ଏହି ଗଣତି ବେଳେ ୨ ବନ୍ଦୀ ଅନୁପସ୍ଥିତ ଥିବା ଜଣାପଡିଥିଲା। ଏହା ପରେ ଜେଲର ସିସିଟିଭି ଯାଞ୍ଚ କରାଯାଇଥିଲା। ସେଥିରେ କଏଦୀ ନିର୍ମାଣ ପାଇଁ ବନ୍ଧା ଯାଇଥିବା ଭାରାରେ ଚଢି ଫେରାର ହେଉଥିବା ଦେଖାଯାଇଥିଲା। କଏଦୀ ଫେରାର ହୋଇଥିବା ନେଇ ସ୍ଥାନୀୟ ପୋଲିସକୁ ତୁରନ୍ତ ସୂଚିତ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.