ସରି ସରି ଆସୁଛି ବାଇଡେନ୍‌ଙ୍କ କାର୍ଯ୍ୟକାଳ, ହାତରେ ଦୁଇମାସ ସମୟ, ନେବେ କି ବଡ ନିଷ୍ପତ୍ତି?

Published By : Prameya-News7 Bureau | November 14, 2024 IST

ନୂଆଦିଲ୍ଲୀ ୧୪/୧୧: ଆମେରିକାରେ ସରିଛି ବାଇଡେନ୍ ଯୁଗ । ଆଗକୁ ଚାଲିବ ଟ୍ରମ୍ପ ଶାସନ । ଟ୍ରମ୍ପଙ୍କ ଦାୟିତ୍ୱ ନେବାକୁ ପାଖାପାଖି ବାକି ଅଛି ଦୁଇ ମାସ ସମୟ । ସେ ଯାଏ ଓପଲ ଅଫିସରୁ ଦେଶର କାର୍ଯ୍ୟଭାର ଚଳାଇବେ ଜୋ ବାଇଡେନ । ପୁରୁଣା ରାଷ୍ଟ୍ରପତିଙ୍କ ବିଦାୟ, ନୂଆ ରାଷ୍ଟ୍ରପତିଙ୍କ ଆଗମନ ସମୟକୁ କୁହାଯାଏ ଲେମ-ଡକ୍ ପିରିୟଡ୍ । 

ଏହି ସମୟ ମଧ୍ୟରେ ବର୍ତ୍ତମାନର ରାଷ୍ଟ୍ରପତିଙ୍କ ଚେଷ୍ଟା ଥାଏ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର । କିନ୍ତୁ ଏହି ଲେମ-ଡକ୍ ପିରିୟଡରେ କିପରି ନିଷ୍ପତ୍ତି ନେବେ ବାଇଡେନ୍? ବିବାଦୀୟ ନିଷ୍ପତ୍ତି ନା ସୌହାର୍ଦ୍ଦ୍ୟପୂର୍ଣ୍ଣ? କଣ ଆମେରିକାରେ ଆଇନଗତ ହେବ ଗର୍ଭପାତ? ନା ଟ୍ରମ୍ପଙ୍କ ବିରୋଧକୁ ମିଳିବ ସମର୍ଥନ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ପ୍ରତିଟି ଆମେରିକୀୟ  । 

ଆମେରିକାର ସତ୍ତା ପରିବର୍ତ୍ତନ ନିୟମ ବହୁତ ଭିନ୍ନ । ଖାସ୍ କରି ଲେମ-ଡକ୍ ପିରିୟଡ ବହୁତ ଲମ୍ୱା । ଯୁକ୍ତରାଷ୍ଟ୍ରରେ ଅଢେଇ ମାସ ଅବଧିର କାରଣ ବି ଅଛି । ଏଠାରେ ନୂଆ ରାଷ୍ଟ୍ରପତିଙ୍କୁ ଗଢିବାକୁ ପଡେ ନୂଆ ପ୍ରଶାସନିକ ଟିମ୍ । ଏମିତିକି ନିର୍ବାଚିତ ରାଷ୍ଟ୍ରପତି ବର୍ତ୍ତମାନର ରାଷ୍ଟ୍ରପତି ସମାନ ଦଳରୁ ହୋଇଥିଲେ ବି ଗଢେ ନୂଆ ଦଳ । ଏସବୁ ପାଇଁ ଲାଗିଯାଏ ପାଖାପାଖି ଦୁଇମାସ ସମୟ । 

ଲେମ୍-ଡକ୍ ପିରିୟଡରେ, ଥିବା ରାଷ୍ଟ୍ରପତିଙ୍କ ପାଖରେ ଥାଏ ସମସ୍ତ ସାମ୍ବିଧାନିକ କ୍ଷମତା । ଦରକାର ପଡିଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବି ନେଇପାରନ୍ତି । ହେଲେ ଏଥିପାଇଁ ରଖାଯାଇଥାଏ ସର୍ତ୍ତାବଳୀ । ଯଦି ନିଷ୍ପତ୍ତି କାର୍ଯ୍ୟକାରୀ ହେବାକୁ ମାସ ମାସ କିମ୍ବା ବର୍ଷ ଲାଗେ, ତେବେ ଏହା ପାଲଟିଯାଏ ନିରର୍ଥକ । ଆହୁରି ବି ଯଦି ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ନିଷ୍ପତ୍ତି ପସନ୍ଦ ନ ଆସେ ବା ମତଠାରୁ ଭିନ୍ନ ଥାଏ, ତେବେ କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ଏହାକୁ କରିପାରିବେ ବରଖାସ୍ତ ।


ବର୍ତ୍ତମାନର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ଯାଏଁ ନୂଆ ଚୁକ୍ତିନାମା କରିବାର ରହିଛି ସାମ୍ବିଧାନିକ ଅଧିକାର । କିନ୍ତୁ ଅନେକାଂଶରେ ଏହା ପ୍ରାୟତଃ ହୋଇଥାଏ ବିବାଦୀୟ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଓବାମା ଓ ଟ୍ରମ୍ପଙ୍କ ମଧ୍ୟରେ । ୨୦୧୬ରେ ଋଷ ହସ୍ତକ୍ଷେପ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ ଓବାମା । 

ଏହା ଉପରେ ଲଗାଇଥିଲେ ଅନେକ ପ୍ରତିବନ୍ଧକ । ଫ୍ରିଜ୍ ହୋଇଯାଇଥିଲା ଋଷର ଅନେକ ସମ୍ପତ୍ତି । ହେଲେ ଦାୟିତ୍ୱ ନେବା ପରେ  ଓବାମାଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ ଟ୍ରମ୍ପ । ପ୍ରତିବନ୍ଧକଗୁଡିକରେ କିଛି ମାତ୍ରାରେ ଆଶ୍ୱସ୍ତି ବି ଦେଇଥିଲେ । ଆହୁରି ବି ଋଷ ପ୍ରତି ତାଙ୍କ ପ୍ରଶାସନର ନୀତି ବି ଥିଲା ଅତି ଉଦାର । ଯାହା ସ୍ପଷ୍ଟ କରେ କି ଗୋଟିଏ ଦେଶର ଦୁଇ ରାଷ୍ଟ୍ରପତି ଅନ୍ୟ ଦେଶ ପାଇଁ ନୁହଁନ୍ତି ସମାନ ।

ଲିମିଟେଡ୍ ପରିୟଡରେ ବର୍ତ୍ତମାନ ରାଷ୍ଟ୍ରପତିଙ୍କୁ ଭାବିଚିନ୍ତି ନେବାକୁ ପଡିବ ଅନେକ ନିଷ୍ପତ୍ତି । ଯଦି ସେପରି ନହୁଏ ତେବେ ଛାଡିବା ସମୟରେ ପଡିପାରେ ରାଜନୈତିକ ଚାପ । ଖରାପ ହୋଇପାରେ ପଲିଟିକାଲ କ୍ୟାରିୟର । ଆହୁରି ବି ନୂଆ ରାଷ୍ଟ୍ରପତି ଆସିବା ମାତ୍ରେ ଯଦି ଏହାକୁ ବାତିଲ କଲେ, ତେବେ ଏଥିରେ ଖର୍ଚ୍ଚ ହୋଇଥିବା ସମ୍ବଳ ବି ହେବ ନଷ୍ଟ । 

କିଛି ପ୍ରମୁଖ ନିଷ୍ପତ୍ତି ପାଇଁ ଦ୍ୱିପାକ୍ଷିକ ସହଯୋଗ ଏକାନ୍ତ ଆବଶ୍ୟକ । ସେଥିପାଇଁ ତ ଚର୍ଚ୍ଚା ହେଉଛି କି, ଲେମ୍-ଡକ୍ ପରିୟଡ ବହୁତ କଷ୍ଟସାଧ୍ୟ । ଭାବିଚିନ୍ତି ନେବାକୁ ପଡିଥାଏ ନିଷ୍ପତ୍ତି । ଆଉ ଏବେ ସେହି ସମୟ ଦେଇ ଗତି କରୁଛନ୍ତି ଜୋ ବାଇଡେନ୍ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.