କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବଡ଼ିଲା ଅଡ଼ୁଆ, ମନି ଲଣ୍ଡ୍ରିଂ ମାମଲା ରୁଜୁ କଲା ଇଡି

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢିପାରେ । MUDA ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିଛି । ମହୀଶୂର ସହର ବିକାଶ ପ୍ରାଧିକରଣ (MUDA) ଭୂମି ଆବଣ୍ଟନରେ ଆର୍ଥିକ ଅନିୟମିତା ଅଭିଯୋଗରେ ସିଏମ୍ ସିଦ୍ଦରମୈୟାଙ୍କ ବିରୋଧରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଲୋକାୟୁକ୍ତଙ୍କ ଆଦେଶରେ ରୁଜୁ କରାଯାଇଥିବା ଏଫ୍‌ଆଇଆର୍ ଉପରେ ସଜ୍ଞା ନେଇ ଏହି ମାମଲା ରୁଜୁ କରାଯାଇଛି ।

ମହୀଶୂର ସ୍ଥିତ ଲୋକୟୁକ୍ତ ସେପ୍ଟେମ୍ୱର ୨୭ରେ ରୁଜୁ କରିଥିବା ଏଫ୍‌ଆଇଆର୍‌ରେ ସିଦ୍ଦରମୈୟା, ତାଙ୍କ ପତ୍ନୀ ପିଏମ୍ ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ ସ୍ୱାମୀ ଏବଂ ଦେବରାଜୁଙ୍କ ନାଁ ସାମିଲ କରିଥିଲା । ଦେବରାଜୁଠାରୁ ଜମି କିଣି ପାର୍ବତୀଙ୍କ ଉପହାର ଦେଇଥିଲେ ସ୍ୱାମୀ । ଗତ ସପ୍ତାହରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ସିଦ୍ଦରମୈୟାଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସିଦ୍ଦରମୈୟାଙ୍କ ବିରୋଧରେ ଏମୟୁଡିଏ ଦ୍ୱାରା ତାଙ୍କ ପତ୍ନୀ ବି.ଏମ.ପାର୍ବତୀଙ୍କୁ ୧୪ଟି ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗ ରହିଛି ।

ରାଜ୍ୟପାଳ ଥାବରଚନ୍ଦ ଗେହଲଟଙ୍କ ଦ୍ୱାରା ବରିଷ୍ଠ କଂଗ୍ରେସ ନେତାଙ୍କ ବିରୋଧରେ ଏମୟୁଡିଏ ଦ୍ୱାରା ତାଙ୍କ ପତ୍ନୀଙ୍କୁ ୧୪ ପ୍ଲଟ୍ ଆବଣ୍ଟନରେ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ମଞ୍ଜୁରି ଦେଇଥିଲେ । ହାଇକୋର୍ଟ ଏହି ଆଦେଶକୁ ବଜାୟ ରଖିଥିଲେ । ଏହାର ଗୋଟିଏ ଦିନ ପରେ ସ୍ୱତନ୍ତ୍ର କୋର୍ଟ ଏଫଆଇଆର୍ ରୁଜୁ ପାଇଁ ଆଦେଶ ଦେଇଥିଲେ । 

ମହୀଶୂର ସହର ବିକାଶ ପ୍ରାଧିକରଣ ପାର୍ବତୀଙ୍କ ୩.୧୬ ଏକର ଜମି ବଦଳରେ ତାଙ୍କୁ ୫୦:୫୦ ଅନୁପାତରେ ଭୂଖଣ୍ଡ ଆବଣ୍ଟିତ କରିଥିଲା । ଏହି ବିବାଦୀୟ ଯୋଜନା ଅଧିନରେ ଏମୟୁଡିଏ ସେହିମାନଙ୍କୁ ୫୦ ପ୍ରତିଶତ ବିକଶିତ ଜମି ଆବଣ୍ଟିତ କରିଥିଲା ଯେଉଁମାନେ ନିଜ ଅବିକଶିତ ଜମି ହରାଇଥିଲେ । ଅଭିଯୋଗ ରହିଛି ଯେ ମହୀଶୂର ତାଲୁକାର କସାବା ହୋବଲିର କସାରେ ଗାଁର ସର୍ଭେ ନମ୍ୱର ୪୬୪ରେ ସ୍ଥିତ ୩.୧୬ ଏକର ଜମି ଉପରେ ପାର୍ବତୀଙ୍କ କୌଣସି ଆଇନଗତ ଅଧିକାର ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.