ନୀଳଗିରି ୨୭।୦୮ : ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡ଼ିହାରେ ଥମୁନି ହାତୀ ଉପଦ୍ରବ। ମଙ୍ଗଳବାର ସକାଳେ କୂଳଡ଼ିହା ଅଭୟାରଣ୍ୟରୁ ଏକ ହାତୀ ଆସି ଔପଦା ବ୍ଲକ ଢୋଲପୁର ଗାଁରେ ପଶି ଆତଙ୍କ ଖେଳାଇଛି। ଗାଁର ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିବା ସହ ଘର ଛପରକୁ ଓପାଡି ଫିଙ୍ଗି ଦେଇଛି। ଗାଁରେ ହାତୀ ଉପଦ୍ରବ କରୁଥିବା ବେଳର ଲାଇଭ୍ ଭିଡିଓ କ୍ୟାମେରାରେ କଏଦ ହୋଇଛି।
ଖବର ଅନୁଯାୟୀ, ମଙ୍ଗଳବାର ସକାଳେ ଔପଦା ବ୍ଲକ ଢୋଲପୁର ଗାଁରେ ଏକ ହାତୀ ପଶି ଉପଦ୍ରବ କରୁଛି। ହାତୀଟି ଗାଁର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ଘର ଆଜବେଷ୍ଟ ଛପରକୁ ମୁଣ୍ଡରେ ଟେକି ଫୋପାଡି ଦେଇଛି। ଏହା ସହ ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିଛି। ଏହି ଘଟଣା ବେଳର ଲାଇଭ୍ ଭିଡିଓ ସାମ୍ନାକୁ ଆସିଛି। ସେପଟେ ଖବର ପାଇ ବନ ବିଭାଗ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି। ତେବେ ଗାଁରେ ବାରମ୍ବାର ହାତୀ ପଶି ଉପଦ୍ରବ କରୁଥିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ସ୍ଥାୟୀ ପ୍ରତିକାର ଦାବିରେ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି।