ENG vs AUS: ଇଂଲିଶଙ୍କ ଶତକ ଆଗରେ ଇଂଲଣ୍ଡ ଧରାଶାୟୀ, ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସବୁଠୁ ବଡ଼ ଲକ୍ଷ୍ୟ ପିଛା କଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | February 22, 2025 IST

ଲାହୋର: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ହାଇସ୍କୋରିଂ ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ବିଶ୍ଵ ଚାମ୍ପିଅନ  ଅଷ୍ଟ୍ରେଲିଆ। ଜୋସ୍ ଇଂଲିଶଙ୍କ ଶତକ ଆଗରେ ଫିକା ପଡ଼ିଲା ବେନ ଡକେଟ୍‌ଙ୍କ ଐତିହାସିକ ଶତକୀୟ ଇନିଂସ।। ଚାମ୍ପିଅନ୍ସ ଟ୍ରଫି ଇତିହାସରେ ୩୫୧ ରନର ବିଶାଳ ସ୍କୋର କରି ବି ପରାଜୟ ଭୋଗିଛି ଇଂଲଣ୍ଡ।  ଇଂଲିଶଙ୍କ ୧୨୦ ରନର ସ୍ମରଣୀୟ ବିସ୍ଫୋରକ ଶତକ ସହ ଆଲେକ୍ସ କେରିଙ୍କ ୬୯ ରନ ଓ ମାଥ୍ୟୁ ସର୍ଟଙ୍କ ୬୩ ରନ ବଳରେ ଅଷ୍ଟ୍ରେଲିଆ ୪୭.୩ ଓଭରରେ ୫ ଓ୍ଵିକେଟ୍ ହରାଇ ରେକର୍ଡ ବିଜୟ ହାସଲ କରିଛି। ଇଂଲଣ୍ଡ ପକ୍ଷରୁ ଡକେଟ୍‌ ୧୬୫ ରନ ଓ ଜୋ ରୁଟ୍ ୬୮ ରନ କରିଥିଲେ। ୩୫୧ ରନର ବିଜୟ ଲକ୍ଷ୍ୟ ପିଛା କରି ଅଷ୍ଟ୍ରେଲିଆ ଆଇସିସି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ପିଛା କରିବାର ରେକର୍ଡ ନିଜ ନାଁରେ କରିଛି। ବିଜୟ ସହ ଅଷ୍ଟ୍ରେଲିଆ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ପରାଜୟ ଭୋଗିଛି ଇଂଲଣ୍ଡ। 

Also read: ପାକିସ୍ତାନ ବିପକ୍ଷରେ ବିରାଟ ଶତକ ମାରିବେ, ମୁଁ ଭାଙ୍ଗଡ଼ା ନାଚିବି: ହରଭଜନ ସିଂହ

୩୫୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆର ଆରମ୍ଭ ନୈରାଶ୍ୟଜନକ ଥିଲା। ୨୭ ରନ ସ୍କୋରରେ ଅଷ୍ଟ୍ରେଲିଆ ଦୁଇ ପ୍ରମୁଖ ବ୍ୟାଟରଙ୍କୁ ହରାଇଥିଲା। ଟ୍ରେଭିସ ହେଡ(୬) ଓ ଷ୍ଟିଭ ସ୍ମିଥ(୫) ଶସ୍ତାରେ ପାଭିଲିୟନ ଫେରିଥିଲେ। ଏହା ପରେ ମାଥ୍ୟୁ ସର୍ଟ ଓ ମାର୍ନସ ଲାବୁସେନ ତୃତୀୟ ଓ୍ଵିକେଟ୍‌ରେ ୯୫ ରନ ଯୋଡ଼ି ଅଷ୍ଟ୍ରେଲିଆର ସ୍ଥିତି ମଜବୁତ କରିଥିଲେ। ଲାବୁସେନ ୪୫ ବଲରୁ ୫ ଚୌକା ସହ ୪୭ ରନ କରିଥିଲେ। ମାଥ୍ୟୁ ସର୍ଟ ୬୩ ରନର ଅର୍ଦ୍ଧଶତକୀୟ ଉପଯୋଗୀ ଇନିଂସ ଖେଳିଥିଲେ। ୧୩୬ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା ଅଷ୍ଟ୍ରେଲିଆ।

ଏହା ପରେ ଜୋଶ ଇଂଲିଶ ଓ ଆଲେକ୍ସ କେରି ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କୁ ପ୍ରହାର କରିଥିଲେ। ଇଂଲିଶ ଓ କେରି ଚତୁର୍ଥ ଓ୍ଵିକେଟ୍ ପାଇଁ ୧୪୬ ରନ ଯୋଡ଼ି ଅଷ୍ଟ୍ରେଲିଆର ବିଜୟ ସୁନିଶ୍ଚିତ କରିଥିଲେ। ଇଂଲିଶ ଦଳ ପାଇଁ ସଙ୍କଟମୋଚକ ସାଜିବା ସହ ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଛନ୍ତି। ଇଂଲିଶ ୮୬ ବଲ୍‌ରୁ ୮ ଚୌକା ଓ ୬ ଛକା ସହ ୧୨୦ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଗ୍ଲେନ ମ୍ୟାକ୍ସଓ୍ଵେଲ ୧୫ ବଲରୁ ୩୨ ରନ କରିଛନ୍ତି। 

ଇଂଲଣ୍ଡ ଇନିଂସ

ଏହି ମ୍ୟାଚ୍‌ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତି ପ୍ରାରମ୍ଭିକ କିଛି ଓଭର ସଠିକ୍ ସାବ୍ୟସ୍ତ ହୋଇଥିଲା। କାରଣ ଇଂଲଣ୍ଡ ପ୍ରଥମ ୬ ଓଭରରେ ଦୁଇ ବ୍ୟାଟର ଫିଲ ସଲ୍ଟ(୧୦) ଓ ଜେମିଏ ସ୍ମିଥ(୧୫)ଙ୍କ ଓ୍ଵିକେଟ୍ ହରାଇଥିଲା। ମାତ୍ର ଏହା ପରଠୁ ଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ ଡକେଟ୍। ସେ ଓ ଜୋ ରୁଟ୍ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳି ୧୫୮ ରନର ବିଶାଳ ଭାଗିଦାରୀ କରିଥିଲେ। ରୁଟ୍ ୬୮ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ। ଅନ୍ୟପଟେ ଡକେଟ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା। ସେ ଦିନିକିଆରେ ଷଷ୍ଠ ଶତକ ପୂରଣ କରିଥିଲେ। 

ଲାହୋରର ଗଦାଫି ଷ୍ଟାଡିୟମରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୫୦ ଓଭରରେ ୮ ୱିକେଟ ହରାଇ ୩୫୧ ରନ କରି ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ଦଳୀୟ ସ୍କୋରର ଏକ ନୂତନ ରେକର୍ଡ ସ୍ଥାପନ କରିଛି । ପୂର୍ବରୁ ୨୦୦୪ ମସିହାରେ ନ୍ୟୁଜିଲାଣ୍ଡ ଆମେରିକା ବିପକ୍ଷରେ ୩୪୭ ରନ କରିଥିଲା । ଇଂଲଣ୍ଡ ପକ୍ଷରୁ ବେନ୍ ଡକେଟ ୧୪୩ ବଲରେ ୧୬୫ ରନ୍ କରିଛନ୍ତି । ଡକେଟ ୧୭ଟି ଚୌକା ଏବଂ ୩ଟି ଛକା ମାରିଛନ୍ତି । ଜୋ ରୁଟ୍ (୬୮ ରନ୍) ଏକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ୧୦ ବଲ୍ ରୁ ୨୧ ରନ୍ କରି ଅପରାଜିତ ଥିବା ଜୋଫ୍ରା ଆର୍ଚର ଇନିଂସର ଶେଷ ତିନୋଟି ବଲ୍ ରୁ ୧୨ ରନ୍ କରି ଇଂଲଣ୍ଡକୁ ପୂର୍ବ ରେକର୍ଡ ଅତିକ୍ରମ କରାଇବାରେ ସହାୟକ ହୋଇଛନ୍ତି । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ବେନ୍ ଦ୍ୱାରସିସ୍ ୩ଟି ୱିକେଟ ନେଇଥିବା ବେଳେ ଆଦାମ ଜାମ୍ପା ଏବଂ ମାର୍ନସ୍ ଲାବୁଶେନ୍ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.