ବିକଶିତ ଭାରତ ପାଇଁ ଆମକୁ ବିଶ୍ବବନ୍ଧୁ ହେବା ନିହାତି ଜରୁରୀ : ଏସ୍. ଜୟଶଙ୍କର

Published By : Prameya-News7 Bureau | May 05, 2024 IST

କଟକ ୫।୫: କଟକରେ ବିଜେପିର ବୁଦ୍ଧିଜୀବୀ ଓ ବୃତ୍ତିଜୀବୀ ସମ୍ମିଳନୀ । ଏହି ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଏସ୍ ଜୟଶଙ୍କର ଯୋଗଦେଇ ଭାରତର ବିଦେଶ ନୀତି ତିଆରିରେ କିଭଳି ପ୍ରତ୍ୟେକ ଭୋଟରଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି, ତାହା ଉପରେ ବିଶେଷ ଆଲୋକପାତ କରିଥିଲେ । ବୁଦ୍ଧିଜୀବୀ ସମ୍ମିଳନୀରେ ଉଦବୋଧନ ଦେଇ ଜୟଶଙ୍କର କହିଲେ ବୁଥ୍ ଭିତରକୁ ଭୋଟ୍ ଦେବାକୁ ଗଲା ବେଳେ ପ୍ରତ୍ୟେକ ଭୋଟର ଏକଥା ନିଶ୍ଚିତ ମନେ ରଖିବା ଆବଶ୍ୟକ ଯେ, 'ମୋ ଭୋଟର ଆନ୍ତର୍ଜାତିକ ସ୍ତରରେ ପ୍ରଭାବ ରହିଛି।' ଏହାସହ ଜୟଶଙ୍କର କହିଛନ୍ତି, କେନ୍ଦ୍ରରେ ସ୍ଥିର ସରକାର ହେଲେ ଦେଶର ଆର୍ଥିକ ପ୍ରଗତି ତ୍ବରାନ୍ବିତ ହେବ। ଆଉ ଗୋଟିଏ ଦେଶ ଆର୍ଥିକ ଭାବେ ଉନ୍ନତି କଲେ ହିଁ ବିଶ୍ବରେ ସେହି ଦେଶର ସମ୍ମାନ ବଢିବ ବୋଲି ଜୟଶଙ୍କର କହିଛନ୍ତି । 

ଗତ ୧୦ ବର୍ଷରେ କେନ୍ଦ୍ରରେ ସ୍ଥାୟୀ ସରକାର ଥିବାରୁ ପ୍ରଗତି ହୋଇଛି । ଆମେ ଏବେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରୁଛୁ । ତେଜସ୍ ଭଳି ଯୁଦ୍ଧ ବିମାନ ଆମେ ତିଆରି କରିପାରିଛୁ । ଆମର ୫ଜି ସ୍ବଦେଶୀ ଜ୍ଞାନକୌଶଳରେ ଚାଲୁଛି । ପୂର୍ବରୁ ୨ଜି ଆଉ ୩ଜି ଚାଇନାରେ ତିଆରି ହୋଇଥିବା ବେଳେ ଆମେ ଏବେ ଡିଜିଟାଲ ଦୁନିଆ କଥା ହେଉ ବା ପ୍ରତିରକ୍ଷା କଥା ହେଉ ସବୁଥିରେ ଆତ୍ମନିର୍ଭର ହୋଇପାରିଛୁ । ଗୋଟିଏ ଦେଶ ଆତ୍ମନିର୍ଭର ଓ ସଶକ୍ତ ହେଲେ ବିଶ୍ବ ଦରବାରରେ ସେହି ଦେଶର ସମ୍ମାନ ବଢିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଜେପି ସପକ୍ଷରେ ମତଦାନ କରି ପୁଣି ଥରେ ଏକ ସ୍ଥିର ସରକାର ପ୍ରତିଷ୍ଠା ପାଇଁ ଭୋଟରମାନେ ନିଷ୍ପତ୍ତି ନେବା ପାଇଁ ଜୟଶଙ୍କର ଆହ୍ବାନ ଦେଇଛନ୍ତି । ଏବେ ଭାରତ ଏଭଳି ଏକ ଦେଶ । 

ଭାରତ ସଶକ୍ତ ହୋଇଥିବାରୁ ଅନ୍ୟ ଦେଶ ଭାରତ ସହ ସମ୍ପର୍କ ସ୍ଥାପନ ପାଇଁ ଆଗେଇ ଆସୁଛନ୍ତି । ଆମେ ସବୁ କ୍ଷେତ୍ରରେ ନିଜର ଆବଶ୍ୟକତା ପୂରଣ କରିବା ସହ ଅନ୍ୟ ଦେଶକୁ ସହାୟତା ଦେଇ ପାରୁଛୁ । ତେଣୁ ବିଶ୍ଵ ଦରବାରରେ ଭାରତର ନୂଆ ପରିଚୟ ସୃଷ୍ଟି ହୋଇଛି ବୋଲି କହିଛନ୍ତି ଏସ୍ ଜୟଶଙ୍କର । ତେଣୁ ଆପଣ ମାନଙ୍କ ଭୋଟର ଅନ୍ତର୍ଜାତୀୟ ପ୍ରଭାବ ରହିଛି ବୋଲି ଜୟଶଙ୍କର କହିଛନ୍ତି । ସେପଟେ ସ୍ଥାନୀୟ ବିଜେପି ନେତା ମାନେ କହିଛନ୍ତି ଉପସ୍ଥିତ ବୁଦ୍ଧିଜୀବୀ ଓ ବୃତ୍ତିଜୀବୀ ମାନେ ଜୟଶଙ୍କରଙ୍କର ଏହି କଥାକୁ ଗାଁ ଗାଁରେ ପହଞ୍ଚାଇବେ ଓ ବିଜେପି ସପକ୍ଷରେ ମତଦାନ ପାଇଁ ଲୋକଙ୍କୁ ପ୍ରେରଣା ଦେବେ।

 You Can Read :

କେ.ବଲାଙ୍ଗ ଥାନା ଅଞ୍ଚଳରେ ସ୍ଥିତି ଜାହିର କଲେ ମାଓବାଦୀ, ଲଗାଇଲେ ପୋଷ୍ଟର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.