ଉପବାଚସ୍ପତି ପଦ ନ ମିଳିଲେ ଲୋକସଭା ବାଚସ୍ପତି ନିର୍ବାଚନରେ ପ୍ରାର୍ଥୀ ଦେବେ ବିରୋଧୀ

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ ୧୫।୬: ଜୁନ ୨୪ ତାରିଖରୁ ଆରମ୍ଭ ହେବ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ। ଜୁନ ୨୬ ତାରିଖରେ ଲୋକସଭା ନିଜର ନୂଆ ବାଚସ୍ପତିଙ୍କୁ ଚୟନ କରିବ। ଏଥିରେ ଆକଳନ କରାଯାଉଛି ବାଚସ୍ପତି ନିର୍ବାଚନରେ ବିରୋଧୀ ଦଳ ନିଜର ପ୍ରାର୍ଥୀ ଦେଇପାରନ୍ତି। ଜୁନ ୪ ତାରିଖ ଦିନ ଲୋକସଭା ନିର୍ବାଚନର ଫଳାଫଳ ଆସିଥିଲା। ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୩ ଆସନରେ ବିଜୟୀ ହୋଇଛି। ଏଥିରେ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ୍‌କୁ ୨୩୪ଟି ଆସନ ମିଳିଛି। 

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଯଦି ବିରୋଧୀ ଦଳଙ୍କୁ ଉପବାଚସ୍ପତି ପଦ ଦିଆ ନ ଯାଏ ତେବେ ସେମାନେ ବାଚସ୍ପତି ପଦ ପାଇଁ ତାଙ୍କର ପ୍ରାର୍ଥୀ ଦେଇ ପାରନ୍ତି। ଏନେଇ ବିରୋଧୀ ଦଳ ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଦଳଙ୍କ ଆସନ ବଢିବା ସହିତ ଦୀର୍ଘ ୧୦ ବର୍ଷ ପରେ ଲୋକସଭାକୁ ବିରୋଧୀ ଦଳ ନେତା ମିଳିବେ। ଏଣୁ ବିରୋଧୀ ଦଳ ଉପବାଚସ୍ପତି ନିର୍ବାଚନ ନିମନ୍ତେ ଆଶା କରିବା ସ୍ୱଭାବିକ। ଉଲ୍ଲେଖଯୋଗ୍ୟ ଯେ ଲୋକସଭାରେ ଗତ ୫ ବର୍ଷ ହେଲା ଉପବାଚସ୍ପତି ପଦ ଖାଲି  ପଡିଛି। 

ସପ୍ତଦଶ ଲୋକସଭାରେ ୫ ବର୍ଷ ଧରି ଉପବାଚସ୍ପତି ପଦ ଖାଲି ରହିଥିଲା, ଏହା ସହିତ ସଦନରେ ଦ୍ୱିତୀୟବାର କେହି ନେତା ପ୍ରତିପକ୍ଷ ନଥିଲେ। ସାଧାରଣତଃ ଉପବାଚସ୍ପତି ପଦଟିକୁ ବିରୋଧୀ ଦଳକୁ ଦିଆଯାଇଥାଏ। ଏଥିରେ ବିରୋଧୀ ଦଳର ଜନୈକ ନେତା ଏଥର ଉପବାଚସ୍ପତି ପଦ ଯେପରି ରିକ୍ତ ନ ରହେ ସେଥି ପାଇଁ ଗୃହରେ ଚାପ ସୃଷ୍ଟି କରିବେ ବୋଲି କହିଛନ୍ତି। ଜେଡିୟୁ ନେତା କେ.ସି.ତ୍ୟାଗୀ ଦିନକ ପୂର୍ବରୁ କହିଥିଲେ ଯେ ତାଙ୍କ ପାର୍ଟି ଓ ତେଲଗୁ ଦେଶମ ପାର୍ଟି (ଟିଡିପି) ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଅଂଶ ବିଶେଷ ଓ ବାଚସ୍ପତି ପଦ ପାଇଁ ବିଜେପି ଦ୍ୱାରା ନାମିତ ପ୍ରାର୍ଥୀଙ୍କୁ ସମର୍ଥନ କରିବେ। 

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବୁଧବାର କହିଥିଲେ ଯେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୨୪ରେ ଆରମ୍ଭ ହେବ ଓ ଜୁଲାଇ ୩ରେ ସମାପ୍ତ ହେବ। ଏହି ୯ ଦିବସୀୟ ସ୍ୱତନ୍ତ୍ର ଅଧିବେଶନ କାଳରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ ଓ ନୂଆ ସାଂସଦମାନେ ଶପଥ ଗ୍ରହଣ କରିବେ। ଏଥି ମଧ୍ୟରେ ରାଜ୍ୟସଭାର ୨୬୪ତମ ଅଧିବେଶନ ଜୁନ ୨୭ରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦୧୪ ପରେ ରାଜ୍ୟସଭାର ଏହା ଏପରି ପ୍ରଥମ ଅଧିବେଶନ ହେବ ଯେଉଁଥିରେ ବିଜେପିର ସଦସ୍ୟ ସଂଖ୍ୟା କମ୍ ରହିବ। ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ ୨୭ ତାରିଖ ଦିନ ମିଳିତ ସଦନକୁ ସମ୍ବୋଧିତ କରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.