ଗଜପତି ୨୪।୦୨ : ତାତିଲେ ଚାଷୀ । ଧାନ କିଣିବା ଦାବିରେ ଚାଷୀଙ୍କ ପକ୍ଷରୁ ଚାଲିଛି ରାସ୍ତାରୋକ । ଗଜପତି ଜିଲ୍ଲା କାଶୀନଗର ବନ୍ଦ ଡାକରା ସହ ରାସ୍ତାରେ ଧାରଣାରେ ବସିଛନ୍ତି ଚାଷୀ । ଯାହାଫଳରେ ରାସ୍ତାର ଉଭୟ ପଟେ ଅନେକ ଗାଡି ଅଟକି ରହିଛି ।
ଚାଷୀଙ୍କୁ ଟୋକେନ ଦିଆଯାଇଥିଲେ ମଧ୍ୟ ମିଲରମାନେ ଧାନ ଗ୍ରହଣ କରୁନାହାନ୍ତି। ମିଳିଥିବା ଟାର୍ଗେଟର ଧାନ ସଂଗ୍ରହ ହୋଇସାରିଛି। ଅଧିକ ଟାର୍ଗେଟ ମିଳିଲେ ଧାନ ସଂଗ୍ରହ କରାଯିବ ବୋଲି ମିଲର ମାନେ କହିଛନ୍ତି । ଏନେଇ ଚାଷୀମାନେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଟୋକେନ ଅବଧି ସରିବାକୁ ବସିଲାଣି। ତେଣୁ ଚାଷୀମାନେ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଗଜପତି ଜିଲ୍ଲା କାଶୀନଗର ଷ୍ଟେଟ ବ୍ୟାଙ୍କ ଛକ ଓ ଠାକୁରାଣୀ ମନ୍ଦିର ନିକଟରେ ଚାଷୀଙ୍କ ପକ୍ଷରୁ ରାସ୍ତାରୋକ ହୋଇଛି । ଯେଉଁଥି ଲାଗି ପାରଳାଖେମୁଣ୍ଡି-ଗୁଣପୁର ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଗାଡ଼ି ଅଟକି ରହିଛି। ସାଧାରଣ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ କାଶୀନଗର ପୋଲିସ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା କରୁଛି, କିନ୍ତୁ ଏଯାଏଁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି।
ପାଟଣାରେ ଭୟଙ୍କର ଦୁର୍ଘଟଣା ; ଟ୍ରକ ଓ ଅଟୋ ମୁହାଁମୁହିଁ, ୭ ମୃତ