ପଦ୍ମଶ୍ରୀ ଗୁରୁ ଗୋପିନାଥ ସ୍ୱାଇଁଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

Published By : Prameya-News7 Bureau | July 16, 2024 IST

ଛତ୍ରପୁର ୧୬।୦୭ : ପଦ୍ମଶ୍ରୀ ଗୁରୁ ଗୋପିନାଥ ସ୍ୱାଇଁଙ୍କୁ ସହାୟତା ପ୍ରଦାନ । ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟାର ଆଶୁ ଚିକିତ୍ସା ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୋମବାର ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। 

ଖବର ଅନୁଯାୟୀ, ଗୁରୁ ଗୋପିନାଥ ସ୍ୱାଇଁ ଗତକିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ହିଞ୍ଜିଳିକାଟୁ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ପରେ ଶେରଗଡ ସ୍ଥିତ ନିଜ ଗ୍ରାମ ଗୋବିନ୍ଦପୁର ଠାରେ ଅଛନ୍ତି। ଆର୍ଥିକ ସମସ୍ୟା ଯୋଗୁଁ ନିଜ ସ୍ୱାସ୍ଥ୍ୟର ଯତ୍ନ ସକାଶେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଶେଷରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ପରିବାର ବର୍ଗଙ୍କ ସହିତ ଏହି ସମ୍ପର୍କରେ ଫୋନ ଯୋଗେ ଆଲୋଚନା କରିଥିଲେ। ଆଉ ଏବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। 

ତେବେ ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକ ସ୍ଥିତ ଗୋବିନ୍ଦପୁର ବଡଦଣ୍ଡା ସାହି ନିବାସୀ ଗୋପିନାଥ ସ୍ୱାଇଁ ଲୋକନାଟକ କୃଷ୍ଣଲୀଳାର ଗାୟକ ଭାବେ ସୁପ୍ରତିଷ୍ଠିତ। ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବାଦନ ଯୋଗଁ ତାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ ହୋଇଛନ୍ତି। ପଦ୍ମଶ୍ରୀ ଗୋପିନାଥ ସ୍ୱାଇଁଙ୍କ ସ୍ୱାସ୍ଥ୍ୟ ଜନିତ ଖବର ପାଇବା ପରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ତାଙ୍କ ଗ୍ରାମକୁ ଯାଇ ତାଙ୍କ ସ୍ୱାସ୍ଥ୍ୟଜନିତ ଖବର ବୁଝିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହାପରେ ପଦକ୍ଷେପ ଗ୍ରହଣ କରାଯାଇ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲିପ ରାଉତରାୟ ହସ୍ତକ୍ଷେପ କରି ଯଥାଶୀଘ୍ର ଆର୍ଥିକ ଅନୁଦାନ ଲାଗି ସମସ୍ତ ପ୍ରକାର ସହଯୋଗ କରିଥିଲେ। 

ବର୍ତମାନ ଗୋପିନାଥ ସ୍ୱାଇଁଙ୍କ ବୟସ ୧୦୬ ବର୍ଷ। ୧୯୧୮ ଫେବୃଆରୀ ୧୫ରେ ଜନ୍ମଗ୍ରହଣ କରିଥିଲେ। ୧୦ବର୍ଷ ବୟସରୁ ସେ କୃଷ୍ଣଲୀଳା ଶିଖିବା ଆରମ୍ଭ କରିଥିଲେ। ଚଳିତ ବର୍ଷ ଜାନୁଆରୀ ୨୬ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ନାମ ଘୋଷଣା ହେବା ସହ ଅପ୍ରେଲ ୨୨ରେ ଗୁରୁ ଗୋପିନାଥ ସ୍ୱାଇଁଙ୍କୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଗୁରୁ ଗୋପିନାଥ ସ୍ୱାଇଁ ଗତ ୯ ଦଶନ୍ଧି ଧରି ପାରମ୍ପରିକ କୃଷ୍ଣଲୀଳାର ଜଣେ ଗୁରୁ ଓ କଳାକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୨୫ଶହ ଟଙ୍କା ଭତ୍ତା ମିଳୁଥିବା ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.