ସୁନ୍ଦରଗଡ଼ରେ ପୁଣି ଫୁଟିଲା ଗୁଳି, ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | February 02, 2025 IST

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୁଣି ଫୁଟିଲା ଗୁଳି। ସଦର ଥାନା କରମଡିହିରେ ଜଣେ ଯୁବକଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ରବିବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଏକ କଳା ସ୍କର୍ପିଓରେ ଆସି ଯୁବକଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରିଛନ୍ତି। ଯୁବକଙ୍କ ପାଦରେ ଗୁଳି ବାଜିଥିବାବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ମାରିଛନ୍ତି। ଆହତ ଯୁବକଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ କିଏ ଓ କାହିଁକି ଗୁଳି କରିଛି ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶୁକ୍ରବାର ଭଷ୍ମା ଥାନା ଶରଧାପାଲିରେ ସୂରଜ ପଟେଲ ନାମକ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏନ୍‌ଟିପିସି ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ବର୍ଜ୍ୟ ପାଉଁଶ ପରିବହନ ବ୍ୟବସାୟକୁ ନେଇ ଏହା ଘଟିଥିବା ସନ୍ଦେହ କରାଯାଉଥିବାବେଳେ, ଲେଫ୍ରିପଡ଼ା ପୋଲିସ ଜିଲ୍ଲାର ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। 

ପୂର୍ବରୁ ମଧ୍ୟ ଗତ ୭ ତାରିଖ ଟାଉନ୍‌ଥାନା ସଂଲଗ୍ନ ଜେଡିଆର୍‌ ହୋଟେଲ୍ ପଛପଟେ ଏକ ଗୁଳିକାଣ୍ଡ ହୋଇଥିଲା। ଏଥିରେ ସୁନ୍ଦରଗଡ଼ ସୁନାରିପଡ଼ା ନିବାସୀ ରାଜ୍ ଯାଦବ (୨୫) ନାମକ ଯୁବକ ଗୁରୁତର ହୋଇଥିଲେ। ରାଜ୍ ହୋଟେଲ୍ ପଛପଟେ ଥିବା ଏକ ପୋଖରୀ ନିକଟରେ ବସିଥିବାବେଳେ ରାତି ୮ଟାରୁ ୮ଟା ୩୦ ମଧ୍ୟରେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ଗୁଳିଟି ତାଙ୍କ ବାମ ଗୋଡ଼ରେ ବାଜି ରହି ଯାଇଥିଲା। ତାଙ୍କୁ ତୁରନ୍ତ ସୁନ୍ଦରଗଡ଼ ଡାକ୍ତରଖାନା ନିଆଯାଇଥିଲା। ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.