ବଡବିଲ ୨।୨: ଦାଦାବଟି ନଦେବାରୁ ଗାଡ଼ି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । କେନ୍ଦୁଝର ବାମେବାରୀ ଥାନା ଜୁରୁଡ଼ି ନିକଟସ୍ଥ କ୍ରେଚ୍ ହଟିଂ ନିକଟରେ ଏଭଳି ଘଟଣା ଘଟିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଜଣ ଗାଡ଼ି ମାଲିକ ଗୁରୁତର ଆହତ ହୋଇ ଯୋଡ଼ା ଟାଟା ଷ୍ଟିଲ ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି । ଏମାନେ ହେଲେ ଯୋଡ଼ା ଅଞ୍ଚଳର ସୁନୀଲ ସେଠୀ ଏବଂ ଲଳିତ ରଞ୍ଜନ ପାତ୍ର । ଏନେଇ ବାମେବାରୀ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ, ଗତ ରାତିରେ କିଛି ଅସାମାଜିକ ଯୁବକ କ୍ରେଚ୍ ହଟିଂ ନିକଟରେ ବିଭିନ୍ନ ଟ୍ରକକୁ ଅଟକାଇ ଦାଦା ବଟି ଆଦାୟ କରୁଥିଲେ । ଏହି ସମୟରେ ସୁନୀଲ ଏବଂ ଲଳିତଙ୍କ ଗାଡ଼ିକୁ ମଧ୍ୟ ଅଟକାଇ ଟଙ୍କା ମାଗିଥିଲେ ଦୁର୍ବୃତ୍ତ । ତେବେ ଟଙ୍କା ନାହିଁ କହିବାରୁ ଡ୍ରାଇଭରଙ୍କୁ ସେମାନେ ମାଡ଼ ମାରିଥିଲେ । ଏନେଇ ଖବର ପାଇବା ପରେ ଗାଡ଼ି ମାଲିକ ସୁନୀଲ ସେଠୀ ଏବଂ ଲଳିତ ରଞ୍ଜନ ପାତ୍ର ଘଟଣାସ୍ଥଳରେ ପହଞ୍ଚି କିଏ ଡ୍ରାଇଭରକୁ ମାଡ଼ ମାରିଛି ବୋଲି ପଚାରିଥିଲେ । ତେବେ ଦୁର୍ବୃତ୍ତ ମାନେ କିଛି ନକହି ସେଠାରୁ ଚାଲିଯାଇଥିଲେ ।
ଏହାପରେ ଟ୍ରକ୍କୁ ସେଠାରୁ ପଠାଇ ଦେଇ ଉଭୟ ଫେରୁଥିବା ସମୟରେ ୧୫/୨୦ ଜଣ ତାଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଖଣ୍ଡା, ଭୁଜାଲି, ଲୁହା ରଡ୍ ଲାଠି ଆଦିରେ ଉଭୟଙ୍କୁ ଆକ୍ରମଣ କରିଥିଲେ । ପରେ କିଛି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଆକ୍ରମଣରେ ସୁନୀଲ ସେଠୀଙ୍କ ମୁଣ୍ଡ ଫାଟି ଯାଇଛି ଏବଂ ଲଳିତ ରଞ୍ଜନ ପାତ୍ରଙ୍କ ଡାହାଣ ହାତରେ ଗଭୀର କ୍ଷତ ହୋଇଛି । ଅଭିଯୋଗ ପରେ ବାମେବାରୀ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିବା ସହ ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।
You Can Read:
ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲକୁ ଜେରା କରିବ ଆୟକର ବିଭାଗ, ୬ଘଣ୍ଟା ପଚରାଉଚରା ପାଇଁ ମିଳିଲା ଅନୁମତି