ଭୁବନେଶ୍ୱର 02/02 : ରାଜଧାନୀରେ ଅଭାବନୀୟ ଘଟଣା। ଖାଇବା ପାଇଁ ପ୍ରଣାନ୍ତକ ଆକ୍ରମଣ। ସମୟ ଅପରାହ୍ନ ସାଢ଼େ 3ଟା ରୁ 4ଟା। ହଠାତ୍ ନାକା ଗେଟ୍ ନିକଟରେ ଥିବା ଅଞ୍ଜଳି ହୋଟେଲକୁ ଆସିଲେ କିଛି ଯୁବକ ଆଉ ଏକାଧିକ ଆଇଟମ ଖାଇବାକୁ ଦେଲେ ଫରମାଇସ୍। ସାଲାଡ୍ ସହିତ ମାଗିଲେ ମାଛ ଝୋଳ। ଏକାଧିକ ଆଇଟମ ପ୍ରସ୍ତୁତ କରିବାକୁ ରୋଷେୟା 2ମିନିଟ ବିଳମ୍ବ କରିଦେଇଥିଲେ। ସେତିକିରେ ହୋଟେଲ୍ କୁ ଆସିଥିବା କଷ୍ଟମର୍ ଙ୍କ ମୁଣ୍ଡକୁ ଚଢିଥିଲା ପିତ। ଆଉ ୱେଟରଙ୍କୁ କଲେ ସଂଘବଧ ଆକ୍ରମଣ। ଯେଉଁଥିରେ ଲହୁଲୁହାଣ ହୋଇଥିଲେ ହୋଟେଲରେ ୱେଟର ଭାବେ କାମ କରୁଥିବା ସତ୍ୟରଞ୍ଜନ ଦାସ। ସିସିଟିଭିରେ ପୂରା ଘଟଣା ହୋଇଛି କଏଦ।
ଭରତପୁର ଥାନା ଅଧୀନସ୍ଥ ଘାଟିକିଆ ନାକା ଗେଟ୍ ଗଛ ନିକଟରେ ଥିବା ଅଂଜଳି ହୋଟେଲରେ ଘଟିଛି ଏହି ଘଟଣା। ସେପଟେ ହୋଟେଲ ମାଲିକଙ୍କ ଅନୁପସ୍ଥିତିରେ ଏପରି ଘଟଣା ଘଟି ଥିବାରୁ ନିଜେ ହୋଟେଲ ମାଲିକ ମଧ୍ୟ ଆଶ୍ଚର୍ଯ୍ୟ। ତେବେ ପ୍ରାଥମିକ ସ୍ତରରେ ଖାଇବାକୁ ଆସିଥିବା ଦୁର୍ବୃତ୍ତ ମାନେ ହୋଟେଲ ମାଲିକଙ୍କ ଜଣାଶୁଣା ଆଉ ସେମାନେ ହୋଟେଲକୁ ପୂର୍ବରୁ ଛତୁ ସପ୍ଲାଏ କରନ୍ତି ହେଲେ ସେମାନଙ୍କ ଠାରୁ ହୋଟେଲ ମାଲିକ ଆଉ ଛତୁ ଆଣିବା ବନ୍ଦ୍ କରିଦେଇଥିବାରୁ ସେମାନେ ଏପରି କାଣ୍ଡ ଭିଆଇ ଥିବା ଅନୁମାନ କରିଛନ୍ତି ହୋଟେଲ ମାଲିକ। ସେପଟେ ଘଟଣାର ସିସିଟିଭି ଫୁଟେଜ ଓ ସମସ୍ତ ତଥ୍ୟ ପୋଲିସର ହସ୍ତଗତ ହୋଇଛି। ଆକ୍ରମଣକାରୀ ଦୁର୍ବୃତ୍ତ ମାନେ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଭରତପୁର ଥାନା ପୋଲିସ ବିଭିନ୍ନ ଜାଗାରେ ଜୋରଦାର ଚଢାଉ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ।
ଗତ ଚାରିମାସ ତଳେ ଡମଣା ଛକରେ ଥିବା ହୋଟେଲରେ ଠିକ୍ ଏହିପରି ଭାବେ ମାଛ ମୁଣ୍ଡ ଖାଇବାକୁ ନଦେବାରୁ ହତ୍ୟାକାଣ୍ଡ ହୋଇଥିଲା ଆଉ ଏବେ ପୁଣି ଖାଇବାକୁ ଦେବାରେ ଡେରି ହେବାରୁ ୱେଟରଙ୍କୁ ସଂଘବଦ୍ଧ ଆକ୍ରମଣ। ଯାହା ନିହାତି ଭାବେ ଅମାନବୀୟ। ଏଭଳି ଘଟଣା ଜଣେ ମଣିଷର ଧର୍ଯ୍ୟ ଓ ସହନଶୀଳତା ଉପରେ ଉଠାଇଛି ଅନେକ ପ୍ରଶ୍ନବାଚୀ।
Also Read- ମୋବାଇଲ୍ ବ୍ୟାଟେରୀ ଧରି ଖେଳୁଥିଲେ, ଫାଟିଯିବାରୁ ଦୁଇ ଶିଶୁ ଗୁରୁତର