ସ୍ପେନ ଜଳପ୍ରଳୟରେ ମୃତ୍ୟୁ ସଂଖ୍ୟା ୨୦୦ ପାର୍, ସରକାରଙ୍କ ଏମରଜେନ୍ସି ଘୋଷଣା

Published By : Prameya-News7 Bureau | November 02, 2024 IST

ମାଦ୍ରିଦ୍‌,୦୨/୧୧: ସ୍ପେନରେ ଦୀର୍ଘ ୫୦ ବର୍ଷ ପରେ ସବୁଠାରୁ ବଡ ବନ୍ୟା ଆସିଛି । ଭାଲେନ୍‌ସିଆ ସହରରେ ଆସିଥିବା ଏହି ବନ୍ୟାରେ ୨୦୫  ଜଣଙ୍କର ମୃତ୍ୟୁ ଘଟିଛି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ସେମାନଙ୍କୁ  ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ହସ୍ପିଟାଲ ବାହାରେ ଅସ୍ଥାୟୀ ଶବ  ସଂରକ୍ଷଣ ଗୃହ ପ୍ରତିଷ୍ଠା କରାଯାଇଚି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ୧୦୦୦  ସୈନ୍ୟଙ୍କୁ ନିୟୋଜିତ କରାଯାଇଛି । 

ସୂଚନା ଅନୁସାରେ ଗତ ୨୯ ତାରିଖରେ ଏହି ଅଞ୍ଚଳରେ ମାତ୍ର ୮  ଘଣ୍ଟାରେ ୧୨ ଇଞ୍ଚ ବର୍ଷା ହୋଇଥିଲା । ଏତେ ପରିମାଣ ବର୍ଷା ୧ ବର୍ଷ ଭିତରେ  ହୋଇଥାଏ । କିନ୍ତୁ ହଠାତ୍‌ ଏତେ ବର୍ଷା ହେବା ଫଳରେ ଅଚାନକ ବନ୍ୟା  ଆସିଥିଲା । ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ଲାଗି ସମୟ ପାଇ ନଥିଲେ । 

ଭୂମଧ୍ୟ ସାଗର ଉପକୂଳରେ ଏହି ସହର ଅବସ୍ଥିତ ଏବଂ ଏଠାରେ ପ୍ରାୟ  ୫୦ ଲକ୍ଷ ଲୋକ ବସବାସ କରନ୍ତି । ବନ୍ୟାରେ ଏତେ ସଂଖ୍ୟକ ଲୋକଙ୍କ  ମୃତ୍ୟୁ ହେବା ସ୍ପେନର ନିକଟ ଅତୀତରେ ଏହା ସବୁଠାରୁ ବଡ ବିପର୍ଯ୍ୟୟ ।  ଏହା ପୂର୍ବରୁ ୧୯୭୩ରେ ଆସିଥିବା ବନ୍ୟାରେ ୧୫୦ ଜଣ ଏବଂ ୧୯୫୭ରେ  ଆସିଥିବା ବନ୍ୟାରେ ୮୧ ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରଧାନମନ୍ତ୍ରୀ ପେଟ୍ରୋ  ସାଞ୍ଚେଜ ଭୟବହତାକୁ ଦୃଷ୍ଟିରେ ରଖି ଦେଶରେ ୩ ଦିନିଆ ଜରୁରି ପରିସ୍ଥିତି  ଘୋଷଣା କରିଛନ୍ତି । 

ଶନିବାର ପର୍ଯ୍ୟନ୍ତ ଏହି ଜରୁରି  ପରିସ୍ଥିତି ବଳବତ୍ତର ରହିବ । ସରକାରଙ୍କ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ  ଜୋର୍‌ଦାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି ।  ବନ୍ୟା ଯୋଗୁ ଅନେକ ଅଞ୍ଚଳ ପାଣି ଘେରରେ ରହିଥିଲା ବେଳେ ରାସ୍ତାଘାଟ  ନଷ୍ଟ ହେବା ପୋଲ ଭୁଶୁଡି ପଡିଛି । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି ।  ଘରଦ୍ୱାର ଭାଙ୍ଗିଯାଇଛି । ଯାହାଫଳରେ ଅନେକ ଅଞ୍ଚଳକୁ ଉଦ୍ଧାରକାରୀ ଦଳ  ପହଞ୍ଚି ପାରିନାହାନ୍ତି । 

ଘର ଭିତରେ ପାଣି ଓ ଅଳିଆ ଭର୍ତ୍ତି ହୋଇଯାଇଛି ।  ପାଣିପାଗ ବିଜ୍ଞାନୀଙ୍କ କହିବାନୁଯାୟୀ ଏଭଳି ଅଚାନକ ବର୍ଷା ଓ ବନ୍ୟାର  କାରଣ ହେଉଛି କଟ-ଅଫ୍‌ ଲୋ ପ୍ରେସର ସିଷ୍ଟମ । ଥଣ୍ଡା ଓ ଗରମ ପବନ  ମିଶିବା ଫଳରେ ଘନ ବାଦଲ ସୃଷ୍ଟି ହୋଇଥିଲା ଏବଂ ଯାହାଫଳରେ ପ୍ରବଳ  ବର୍ଷିଥିଲା । ଏଭଳି ସିଷ୍ଟମ ଯୋଗୁ କେବଳ ସ୍ପେନ ନୁହେଁ, ଅନ୍ୟାନ୍ୟ ଦେଶରେ  ମଧ୍ୟ ଏଭଳି ବର୍ଷା ଓ ବନ୍ୟା ହୋଇଛି । 

ଅନ୍ୟ କିଛି ବୈଜ୍ଞାନିକଙ୍କ କହିବାନୁଯାୟୀ  ଭୂମଧ୍ୟ ସାଗର ଅଧିକ ଗରମ ହେବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଚଳିତବର୍ଷ ଅଗଷ୍ଟରେ ଭୂମଧ୍ୟ ସାଗରରେ ତାପମାତ୍ରା ୨୮.୪୭ ଡିଗ୍ରୀ ସେଲ୍‌ସିୟସ  ରେକର୍ଡ କରାଯାଇଥିଲା । ଯାହାକି ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ତାପମାତ୍ରା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.