ମହଙ୍ଗା ହୋଇପାରେ ଏଫଏମସିଜି ସାମଗ୍ରୀ, ଦାମ୍‌ ବଢ଼ାଇବାକୁ ଯୋଜନା କରୁଛନ୍ତି କମ୍ପାନି

Published By : Prameya-News7 Bureau | November 06, 2024 IST

ନୂଆଦିଲ୍ଲୀ: ମହଙ୍ଗା ହୋଇପାରେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ । ଖୁବଶୀଘ୍ର ବଢ଼ିପାରେ ଏଫଏମସିଜି ପ୍ରଡକ୍ଟର ମୂଲ୍ୟ। ଅର୍ଥାତ ଏଣିକି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଖାଉଟିଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ ଅଧିକ ଟଙ୍କା। କାରଣ ଦେଶର ଏଫଏମସିଜି ସେକ୍ଟରର କିଛି ପ୍ରମୁଖ କମ୍ପାନି ଦାମ୍‌ ବୃଦ୍ଧି କରିବା ନେଇ ସଙ୍କେତ ଦେଇଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି। 

ପ୍ରକୃତରେ ଏଫଏମସିଜି ସେକ୍ଟରର ବଡ଼ କମ୍ପାନି HUL, ଗୋଦରେଜ କନଜ୍ୟୁମର ପ୍ରୋଡକ୍ଟସ ଲିମିଟେଡ, ଡାବର, ନେସଲେ କିଛି ସାମଗ୍ରୀର ଦାମ୍‌ ବୃଦ୍ଧି କରିବା ନେଇ ସଙ୍କେତ ଦେଇଛନ୍ତି। ଏହା ପରେ ଏବେ ବିଭିନ୍ନ ଅତ୍ୟାବଶ୍ୟକ ଏଫଏମସିଜି ଉତ୍ପାଦ ଯେମିତିକି ସାବୁନ, ସାମ୍ପୁ, ତେଲ, କଫି, ଚକୋଲେଟ ଡାଲି ଚାଉଳ, ମସଲା ଆଦି ମୂଲ୍ୟ ବଢ଼ିବା ନେଇ ଅନୁମାନ କରାଯାଉଛି। 

କମ୍ପାନିଗୁଡ଼ିକର କହିବା ଅନୁଯାୟୀ, ବର୍ତ୍ତମାନ ସହରାଞ୍ଚଳରେ ଚାହିଦା କମ୍ ରହିଛି ଫଳରେ ବିକ୍ରି ହ୍ରାସ ହୋଇଛି। ଆହୁରି ମଧ୍ୟ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପାଦାନର ମୂଲ୍ୟ ବୃଦ୍ଧି ସହିତ ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ବଢ଼ୁଛି। ଏଥିପାଇଁ ସହରାଞ୍ଚଳରେ ଗ୍ରାହକ ବ୍ୟବହାର କରୁଥିବା ଏଫଏମସିଜି ସାମଗ୍ରୀ ବ୍ୟବହାର ହ୍ରାସ ପାଇଛି। ଫଳରେ ଲାଭ ଏବଂ ମାର୍ଜିନ ଉପରେ ଏହାର ପ୍ରଭାବ ପଡ଼ୁଛି।  

ପ୍ରକୃତରେ ଏଫଏମସିଜି କମ୍ପାନିଙ୍କ ସମୁଦାୟ ବିକ୍ରିରେ ସହରୀ ଚାହିଦାର ଅଂଶ ୬୫-୬୮ ପ୍ରତିଶତ ରହିଥାଏ। ଯଦି କୌଣସି କାରଣରୁ ଏଥିରେ ହ୍ରାସ ହୋଇଥାଏ, ତେବେ ସ୍ପଷ୍ଟ ଭାବରେ ଏହାର ପ୍ରଭାବ ଏଫଏମସିଜି ପ୍ରଡକ୍ଟ ଉପରେ ଦେଖିବାକୁ ମିଳିପାରେ। ଏମିତିରେ ଦରରେ ଆବଶ୍ୟକ ବୃଦ୍ଧି କରି ଲାଭରେ ହେଉଥିବା ହ୍ରାସରେ ସୁଧାର ଆଣିବାକୁ ପ୍ରୟାସ କ୍ରମରେ ଏଭଳି ନିର୍ଣ୍ଣୟ ନେଉଥିବା କହିଛନ୍ତି କମ୍ପାନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.