ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଆଉ କେଇଟା ଦିନ ବାକି ରହିଛି। ନଭେମ୍ବର ୨୦ରେ ରାଜ୍ୟର ସମସ୍ତ ୨୮୮ ସିଟ୍ ପାଇଁ ମତଦାନ ହେବ ଏବଂ ଭୋଟ୍ ଗଣତି ନଭେମ୍ବର ୨୩ ତାରିଖ ରହିଛି। ମୁକାବିଲା ବିଜେପି, ଶିବସେନା ଓ ଏନସିପିର ମେଣ୍ଟ ଓ ମହାୟୁତିର କଂଗ୍ରେସ, ଶରଦ ପାଓ୍ଵାର ଓ ଉଦ୍ଧବ ଠାକରେଙ୍କ ପାର୍ଟି ଏମଭିଏ ମଧ୍ୟରେ ହେବାକୁ ଯାଉଛି। ଏହା ମଧ୍ୟରେ ଏମଭିଏ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ଏଥିରେ ମହାରାଷ୍ଟ୍ରବାସୀଙ୍କୁ ୫ ଗ୍ୟାରେଣ୍ଟି ଦିଆଯାଇଛି। କ୍ଷମତାକୁ ଆସିଲେ କୃଷକଙ୍କ ଋଣଛାଡ଼, ମହିଳାଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ଓ ଜାତିଗତ ଜନଗଣନା କରାଯିବ ବୋଲି ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
ଏମଭିଏ ମହାରାଷ୍ଟ୍ରରେ ପୂର୍ବରୁ ଚାଲି ଆସିଥିବା ଲଡକି ବହିନ ଯୋଜନା ଆଧାରରେ ମହାୟୁତି ସରକାର ଦ୍ଵାରା ମହିଳାଙ୍କୁ ଦିଆଯାଉଥିବା ନଗଦ ସହାୟତାକୁ ଦୁଇ ଗୁଣ କରାଯିବ ବୋଲି ଘୋଷଣା କରିଛି। ବିଜେପି ନେତୃତ୍ଵାଧୀନ ମହାୟୁତି ସରକାରରେ ମହିଳାଙ୍କୁ ମାସିକ ୧୫ ଶହ ଟଙ୍କା ଦିଆଯାଉଛି। ଏମଭିଏ ସରକାରକୁ ଆସିଲେ ପ୍ରତି ମାସରେ ମହିଳାଙ୍କୁ ୩ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି।
ଏମଭିଏର ୫ ଗ୍ୟାରେଣ୍ଟି
୧ . ମହାଲକ୍ଷ୍ମୀ- ମହିଳାଙ୍କୁ ମାସିକ ୩ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ପୂରା ମହାରାଷ୍ଟ୍ରରେ ବସଗୁଡ଼ିକରେ ମାଗଣା ପରିବହନ ସୁବିଧା ମିଳିବ।
୨ . କୃଷି ସମୃଦ୍ଧି- ପୂରା ମହାରାଷ୍ଟ୍ରରେ ସମସ୍ତ କୃଷକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କରାଯିବ। ଏହା ବ୍ୟତୀତ ନିୟମିତ ଋଣ ପରିଶୋଧ କରୁଥିବା କୃଷକଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।
୩. ଯୁବକନ୍ନା ଶବ୍ଦ- ମହାରାଷ୍ଟ୍ରରେ ବେରୋଜଗାର ଯୁବକଙ୍କୁ ମାସିକ ୪ ହଜାରର ସହାୟତା ରାଶି ପ୍ରଦାନ କରାଯିବ।
୪ . କୁଟୁମ୍ବ ରକ୍ଷଣ- ମହାରାଷ୍ଟ୍ରର ସବୁ ପରିବାରକୁ ୨୫ ଲକ୍ଷ ଟଙ୍କାର ରିହାତି ସ୍ଵାସ୍ଥ୍ୟ ବୀମା ପ୍ରଦାନ କରାଯିବ। ସରକାରୀ ହସ୍ପିଟାଲ୍ ଗୁଡ଼ିକରେ ଆବଶ୍ୟକ ଔଷଧ ପ୍ରଦାନ କରାଯିବ।
୫.ସମାନତା ହାମୀ- ଅବହେଳିତ ଅବସ୍ଥାରେ ଥିବା ସମୁଦାୟର ରକ୍ଷା ଓ ସେମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ମହାରାଷ୍ଟ୍ରରେ ସାମାଜିକ-ଆର୍ଥିକ ଜାତି ଜନଗଣନା କରାଯିବ। ଜାତି ଗଣନା ପରେ ଏମଭିଏ ସଂରକ୍ଷଣ ଉପରୁ ୫୦ ପ୍ରତିଶତ ସୀମା ହଟାଇ ଦେବ।
ନଭେମ୍ବର ୨୦ରେ ନିର୍ବାଚନ
ମହାରାଷ୍ଟ୍ରର ୨୮୮ ବିଧାନସଭା ସିଟ୍ରେ ଗତ ନିର୍ବାଚନରେ ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪ ଓ କଂଗ୍ରେସକୁ ୪୪ ସିଟ୍ ମିଳିଥିଲା। ତେବେ ନିର୍ବାଚନପରେ ଶିବସେନା ଏନଡିଏଠୁ ଅଲଗା ହୋଇ ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲେ। ଶିବସେନା ପକ୍ଷରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୨ ଜୁନରେ ଶିବସେନାରେ ଆଭ୍ୟନ୍ତରୀଣ କନ୍ଦଳ ଦେଖା ଦେଇଥିଲା। ଏହାପରେ ଏକନାଥ ସିନ୍ଦେ ଶିବସେନାର ୪୦ ବିଧାୟକଙ୍କ ସହ ବିଦ୍ରୋହ କରିଥିଲେ। ପୁଣି ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ଶିବସେନା ଦୁଇ ଗୋଷ୍ଠୀରେ ବିଭାଜନ ହୋଇ ସାରିଛି। ଶରଦ ପାଓ୍ଵାରଙ୍କ ଏନସିପି ମଧ୍ୟ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ସାରିଛି। ଗୋଟିଏ ହେଉଛି ଶରଦ ପାଓ୍ଵାର ଓ ଅନ୍ୟଟି ହେଉଛି ଅଜିତ ପାଓ୍ଵାରଙ୍କ ଦଳ।