ନୂଆଦିଲ୍ଲୀ ୬।୧୧: ସୁପ୍ରିମକୋର୍ଟ ବୁଧବାର ଉତ୍ତରପ୍ରଦେଶ (ୟୁପି) ସରକାରଙ୍କୁ ବୁଲଡୋଜର ଆକ୍ସନ ଲାଗି ଭର୍ତ୍ସନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ମାମଲା ୟୁପି ମହାରାଜଗଞ୍ଜର। ସଡ଼କ ପ୍ରଶସ୍ତିକରଣ ପ୍ରକଳ୍ପ ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ପ୍ରଶାସନ ବୁଲଡୋଜର ଲଗାଇ ଘର ଭାଙ୍ଗିଥିଲେ। ସୁପ୍ରିମକୋର୍ଟ ଏହି ମାମଲାର ସ୍ୱତଃ ସଂଜ୍ଞାନ ନେଇଥିଲେ। ଏହା ଉପରେ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ୟୁପି ସରକାରଙ୍କୁ ଯେଉଁ ଘର ଭାଙ୍ଗିଛ ସେଥି ପାଇଁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଆପଣ କହୁଛନ୍ତି ସେ ୩.୭ ବର୍ଗମିଟର ଜବରଦଖଲ କରିଥିଲେ। ଆପଣ କହୁଛନ୍ତି ଓ ଆମେ କେବଳ ଶୁଣୁଛୁ, ହେଲେ ଏ ବାବଦେ ଏ ପର୍ଯ୍ୟନ୍ତ ଆପଣ କୌଣସି କାଗଜପତ୍ର ଦେଖାଉ ନାହାନ୍ତି। ଏପରି କୌଣସି ଲୋକର ଘର ଭାଙ୍ଗିବା ଅରାଜକତା, ଆପଣ ଏମିତିରେ କେମିତି କାହା ଘରକୁ ଭାଙ୍ଗି ଦେବେ? ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଥି ପାଇଁ କୌଣସି ଠାରେ ଆପଣ ଉଚିତ ପ୍ରକ୍ରିୟା ଆବଲମ୍ବନ କରିଥିବାର ପ୍ରମାଣ ମଧ୍ୟ ନାହିଁ। ଏହା ସବୁ ମନଇଛା କାମ ବୋଲି କୋର୍ଟ କହିଛନ୍ତି।
କୋର୍ଟ କହିଛନ୍ତି ଯେ ଆମ ପାଖରେ ଆଫିଡେଭିଟ ଅଛି ଆପଣ ନୋଟିସ୍ ମଧ୍ୟ ଜାରି କରି ନାହାନ୍ତି। କେବଳ ସାଇଟ୍ ଭିଜିଟ କରିଛନ୍ତି ଓ ତା ପରେ ସଡ଼କ ପ୍ରଶସ୍ତିକରଣ ନିମନ୍ତେ ଯେତିକି ଜମି ଆବଶ୍ୟକ ଥିଲା ଲୋକଙ୍କ ଘର ଭାଙ୍ଗି କାଢି ନେଇଛନ୍ତି। ଏଥି ପାଇଁ ଆମେ ଦଣ୍ଡାତ୍ମକ କ୍ଷତିପୂରଣ ଦେବା ପାଇଁ ଇଛା କରିପାରୁ, ହେଲେ ଏଥିରେ ନ୍ୟାୟର ମୂଳ ଉଦ୍ଦେଶ୍ୟ ପୂରଣ ହୋଇ ପାରିବ କି? ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ ରାଜ୍ୟ ସରକାରଙ୍କ ଓକିଲଙ୍କୁ ଏହା ମଧ୍ୟ ପଚାରିଛନ୍ତି ଯେ ଆପଣ କେତେ ଲୋକଙ୍କ ଘର ଭାଙ୍ଗିଛନ୍ତି? ଏଥିରେ ରାଜ୍ୟ ସରକାରଙ୍କ ଓକିଲ ୧୨୩ ଅବୈଧ ନିର୍ମାଣ ଭଙ୍ଗାଯାଇଥିବାର କୋର୍ଟଙ୍କୁ କହିଛନ୍ତି।
ସିଜେଆଇ କହିଛନ୍ତି ଯେ ୱାର୍ଡ ନମ୍ବର ୧୬, ହମ୍ମିଦନଗର ମହଲାସ୍ଥିତ ମନୋଜ ଟିବରେୱାଲ ଲେଖିଥିବା ପତ୍ରକୁ କୋର୍ଟ ସଂଜ୍ଞାନକୁ ନେଇଛନ୍ତି। ପତ୍ରରେ ଟିବରେୱାଲ ତାଙ୍କ ପୈତୃକ ଘର ଓ ଦୋକାନକୁ ବିୁଧ୍ୱଂସୀକରଣରେ ଧ୍ୱଂସ୍ତ କରାଯାଇଥିବା ଅଭିଯୋଗ କରିଛନ୍ତି। ଏହି ପୁରା ଘଟଣାକ୍ରମ ଅଧିଗ୍ରହଣ କରିବା ଭଳି। ଏଣୁ ସିଜେଆଇ ପୁରା ଘଟଣାକ୍ରମର ଯାଞ୍ଚ ହେବା ଜରୁରି ଆବଶ୍ୟକ ବୋଲି କହିଛନ୍ତି। ମାମଲାରେ ସରକାର ୟୁପି ଷ୍ଟେଟ୍ ଏନଏଚର ମୂଳ ଚୌଡା ଦର୍ଶାଇବା ପାଇଁ ମଧ୍ୟ କୌଣସି ଡକ୍ୟୁମେଣ୍ଟ ଉପସ୍ଥାପନ କରୁ ନାହାନ୍ତି।
ସେହିପରି ଅତିକ୍ରମଣ ଚିହ୍ନତ କରିବା ପାଇଁ କୌଣସି ଯାଞ୍ଚ କରାଯାଇଥିଲା ତାର ମଧ୍ୟ କୌଣସି ଭୌତିକ କାଗଜପତ୍ର ନାହିଁ। ସେହିପରି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭୂମି ଅଧିଗ୍ରହଣ କରାଯାଇଥିଲା ତାହା ମଧ୍ୟ ସରକାର ଦେଖାଇ ପାରୁ ନାହାନ୍ତି। ରାଜ୍ୟ ସରକାର ଜବରଦଖଲର ସଠିକ ସୀମା କେତେ ତାହା ମଧ୍ୟ ସ୍ପଷ୍ଟ କରିପାରୁ ନାହାନ୍ତି। ଏଥିରେ ଏନଏଚ ରିପୋର୍ଟ କହୁଛି ଭଙ୍ଗାଯାଇଥିବା ଅଞ୍ଚଳ ୩.୭୫ ମିଟରରୁ ଅନେକ ଅଧିକ ଥିଲା। ଏଣୁ ରାସ୍ତା ପ୍ରଶସ୍ତି କରଣ ପାଇଁ ରାଜ୍ୟ ସରକାର ଯେଉଁମାନଙ୍କ ଘର ଭାଙ୍ଗିଛନ୍ତି ସେମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଅନ୍ତୁ ବୋଲି ସୁପ୍ରିମକୋର୍ଟ ବୁଧବାର କହିଛନ୍ତି।