ନୂଆଦିଲ୍ଲୀ ୬।୧୧ : ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଗରିକତା ମାମଲାର ସିବିଆଇ ତଦନ୍ତ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ହାଇକୋର୍ଟ ବୁଧବାର ଏକ ଶୁଣାଣିରେ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏଲହାବାଦ ହାଇକୋର୍ଟରେ ଶୁଣାଣି କରାଯାଉଥିବା ଏକ ଜନସ୍ୱାର୍ଥ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଗରିକତାର ସିବିଆଇ ତଦନ୍ତ କରାଯାଉଛି।
ଆବେଦନକାରୀ କର୍ଣ୍ଣାଟକ ବିଜେପିର କାର୍ଯ୍ୟକର୍ତ୍ତା ଏସ.ଭିଗ୍ନେସ ଶିଶିର ଏଲହାବାଦ ହାଇକୋର୍ଟରେ ରୁଜୁ କରିଥିବା ଜନସ୍ୱାର୍ଥ ଆବେଦନ ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ମନମୋହନ ଓ ଜଷ୍ଟିସ୍ ତୁଷାର ରାଓ ଗେଡେଲାଙ୍କ ବେଞ୍ଚ କହିଛନ୍ତି ଯେ କୌଣସି ବିରୋଧାଭାସ ଆଦେଶ ଗୃହୀତ ହେଉ ତାହା ଆମ୍ଭେ ଚାହୁଁନା। ଏଣୁ ବେଞ୍ଚ ଏସ. ଭିଗ୍ନେସ ଶିଶିରଙ୍କୁ ଏଲହାବାଦ ହାଇକୋର୍ଟରେ ତାଙ୍କ ଜନସ୍ୱାର୍ଥ ପିଟିସନ ବାଦେ ପ୍ରାସଙ୍ଗିକ ଘଟଣାକ୍ରମ ଉପରେ ଏକ ସତ୍ୟପାଠ ଦାଖଲ କରିବାକୁ ଅନୁମତି ଦେଇ କହିଛନ୍ତି କାର୍ଯ୍ୟାନୁଷ୍ଠାନର ଗୋଟିଏ କାରଣ ଲାଗି ଦୁଇଟି ସମାନ୍ତର ପିଟିସନ ହୋଇ ପାରିବ ନାହିଁ।
ଦିଲ୍ଲୀ ହାଇକୋର୍ଟରେ ମାମଲା ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ଉପରେ ଥିଲା, ଯେଉଁଥିରେ ରାହୁଲ ଗାନ୍ଧିଙ୍କ ଭାରତୀୟ ନାଗରିକତା ରଦ୍ଦ ଦାବି ସହ ଓ ତାଙ୍କ ପ୍ରତିନିଧିତ୍ୱ ଉପରେ ନିଷ୍ପତ୍ତି ନେବା ପାଇଁ ଗୃହମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଥିଲା। ତେବେ ସ୍ୱାମୀ କହିଛନ୍ତି ଯେ ଏଲହାବାଦ ହାଇକୋର୍ଟରେ ବିଚାରାଧୀନ ମାମଲା ସହ ତାଙ୍କ ମାମଲାର କୌଣସି ନେଣଦେଣ ନାହିଁ ଓ ଉଭୟ କୋର୍ଟରେ ରୁଜୁ ଆବେଦନ ସମ୍ପୂର୍ଣ୍ଣ ଭିନ୍ନ।
ତେବେ ଏସ୍.ଭିଗ୍ନେସ ଶିଶିର କହିଛନ୍ତି ଯେ ସ୍ୱାମୀଙ୍କ ଆବେଦନ କାରଣରୁ ସମାନନ୍ତର କାର୍ଯ୍ୟାନୁଷ୍ଠାନ ହୋଇଛି। କୋର୍ଟ ଶିଶିରଙ୍କୁ ତାଙ୍କ ସମକ୍ଷରେ ଉପସ୍ଥାପିତ ଆବେଦନରେ ପକ୍ଷଧର ହେବା ଲାଗି ଆବେଦନ ଦାୟର କରିବାକୁ କହିଛନ୍ତି ଓ ଏହି ମାମଲାକୁ ଡିସେମ୍ବର ୬ ତାରିଖକୁ ସୂଚୀବଦ୍ଧ କରିଛନ୍ତି। ଶୁଣାଣି କାଳରେ ଶିଶିର କହିଛନ୍ତି ଯେ ତାଙ୍କ ଆବେଦନ ଉପରେ ଶେଷ ଥର ଅକ୍ଟୋବର ୨୪ରେ ଏଲହାବାଦ ହାଇକୋର୍ଟ ଶୁଣାଣି କରିଥିଲେ ଓ ମାମଲାର ଯାଞ୍ଚ ସିବିଆଇ ଦ୍ୱାରା କରାଯାଉଥିବା କହିଥିଲେ। କାରଣ ଏଲହାବାଦ ହାଇକୋର୍ଟରେ ମାମଲା ଉନ୍ନତ ପର୍ଯ୍ୟାୟରେ ଥିଲା।