ନୂଆଦିଲ୍ଲୀ: ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ରବିବାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓପି ସୋନୀଙ୍କୁ ୨୦୧୬ରୁ ୨୦୨୨ ମଧ୍ୟରେ ଆୟରୁ ଅଧିକ ସମ୍ପତ୍ତି ମାମଲାରେ ଗିରଫ କରିଛି । ଭିଜିଲାନ୍ସ ଟିମର ଅଧିକାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାଗମନ୍ତ ମାନଙ୍କ ନିର୍ଦ୍ଦେଶରେ ଦୁର୍ନୀତି ବିରୋଧରେ ଚାଲିଥିବା ଅଭିଯାନ ଭିତରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଭିଜିଲାନ୍ସ ଟିମର ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୬ ଏପ୍ରିଲ ୧ରୁ ୨୦୨୨ ମାର୍ଚ୍ଚ ୩୧ ଯାଏଁ ପୂର୍ବତନ ଡେପୁଟୀ ସିଏମ ଏବଂ ତାଙ୍କ ପରିବାରର ଆୟ ୪,୫୨,୧୮,୭୭୧ ଟଙ୍କା ଥିଲା, ଅନ୍ୟପଟେ ଖର୍ଚ୍ଚ ୧୨,୪୮,୪୨,୬୯୨ ଟଙ୍କା ଥିଲା । ଅଧିକାରୀ ଜଣକ କହିଛନ୍ତି ଯେ ଏହି ଅବଧିରେ ଅଭିଯୁକ୍ତ ଓପି ସୋନୀ ନିଜ ପତ୍ନୀ ସୁମନ ସୋନୀ ଏବଂ ପୁଅ ରାଘବ ସୋନୀଙ୍କ ନାଁରେ ସମ୍ପତ୍ତି କରିଥିଲେ ।
ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ସୋନୀଙ୍କ ବିରୋଧରେ ଦୀର୍ଘ ଦିନରୁ ତଦନ୍ତ ଚାଲିଥିଲା । ଉଲ୍ଲେଖଯୋଗ୍ୟ ଯେ ଆୟରୁ ଅଧିକ ସମ୍ପତ୍ତି ମାମଲାରେ ତାଙ୍କ ବିରୋଧରେ ଗତ ବର୍ଷ ନଭେମ୍ୱର ୮ରେ ଚଣ୍ଡିଗଡ଼ରେ ଏକ ମାମଲା ରୁଜୁ ହୋଇଥିଲା । ଏଥିରେ ଅଭିଯୋଗ ହୋଇଥିଲା ଯେ ଉପମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ସୋନୀ କଂଗ୍ରେସ ସରକାରରେ ନିଜ ପଦର ଦୁରୁପଯୋଗ କରି ଆୟରୁ ଅଧିକ ସମ୍ପତ୍ତି ଠୁଳ କରିଥିଲେ ।
ପଢନ୍ତୁ: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ CM ଆକ୍ସନ: ୩ ଚାକିରିରୁ ବରଖାସ୍ତ, ୬ ଜଣଙ୍କ ପେନ୍ସନ୍ ବନ୍ଦ
ଓପି ସୋନୀଙ୍କ ସହ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂ ଚନ୍ନୀଙ୍କ ବିରୋଧରେ ମଧ୍ୟ ଭିଜିଲାନ୍ସ ବ୍ୟୁରୋ ଆୟରୁ ଅଧିକ ମାମଲାରେ ତଦନ୍ତ କରୁଛି । ଚଳତ ସପ୍ତାହରେ ହିଁ ଭିଜିଲାନ୍ସ ବ୍ୟୁରୋ ଚନ୍ନୀଙ୍କୁ ପଚରାଉଚରା କରିଥିଲା । ଏହା ପୂର୍ବରୁ ଏପ୍ରିଲ ଏବଂ ଜୁନରେ ମଧ୍ୟ ଚନ୍ନୀଙ୍କୁ ଭିଜିଲାନ୍ସ ପଚରାଉଚରା କରିଥିଲା ।