ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଚତୁର୍ଥ ଅଭିଯୁକ୍ତ ଗିରଫ, ଜଲନ୍ଧରରୁ ଧରାପଡିଲା ଜୀଶାନ ଅଖ୍ତର

Published By : Prameya-News7 Bureau | October 13, 2024 IST

ଜଲନ୍ଧର ୧୩।୧୦: ବାବା ସିଦ୍ଦିକୀ ହତ୍ୟାକାଣ୍ଡରେ ପୋଲିସକୁ ଆଉ ଏକ ସଫଳତା ମିଳିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଚତୁର୍ଥ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ବାବା ସିଦ୍ଦିକୀ ମର୍ଡର କେସର ଚତୁର୍ଥ ଅଭିଯୁକ୍ତ ଜୀଶାନ ଅଖ୍ତରକୁ ଜଲନ୍ଧରରୁ ଗିରଫ କରାଯାଇଛି। ଜୀଶାନ ଜଲନ୍ଧରର ବାସିନ୍ଦା ବୋଲି କୁହାଯାଉଛି। ୨୦୨୨ରେ ଜୀଶାନ ଗିରଫ ହେବା ପରେ ଜେଲ ଯାଇଥିଲା। ପଟିୟାଲା ଜେଲରେ ତାର ସମ୍ପର୍କ ଲରେନ୍ସ ଗ୍ୟାଙ୍ଗ ସହିତ ହୋଇଥିଲା। ଏହା ପରେ ସେ ଜେଲରୁ ମୁକୁଳି ମୁମ୍ବାଇ ଚାଲିଯାଇଥିଲା। 

ଜଲନ୍ଧରର ନକୋଦର ଅଞ୍ଚଳର ଶକର ଗାଁରେ ଜୀଶାନ ଅଖ୍ତରର ଘର। କୁହାଯାଉଛି ଜଲନ୍ଧର ପୋଲିସ ତାକୁ ୨୦୨୨ ମସିହାରେ ହତ୍ୟା ଓ ଡକୈତୀ ମାମଲାରେ ଗିରଫ କରିଥିଲା। ପୋଲିସ ସୂଚନା ଅନୁସାରେ ଜୁନ ୭ ତାରିଖରେ ଜୀଶାନ ଜେଲରୁ ମୁକୁଳି ପ୍ରଥମେ ଗୁରମେଲକୁ ଭେଟିବା ପାଇଁ ହରିୟାଣାର କୈଥଲ ଯାଇଥିଲା। ଏହା ପରେ ସେ ମୁମ୍ବାଇ ଚାଲି ଯାଇଥିଲା। ପୋଲିସ ସୂଚନା ଅନୁସାରେ ସମସ୍ତ ଅଭିଯୁକ୍ତ ମୁମ୍ବାଇରେ ଏକାଠି ରହୁଥିଲେ। 

ବାବା ସିଦ୍ଦିକୀ ହତ୍ୟାକାଣ୍ଡରେ ଜୀଶାନ ୩ ସୁଟରଙ୍କୁ ନିର୍ଦ୍ଦେଶ ଦେଉଥିଲା ଓ ଏଥି ପାଇଁ ସେ ମୁମ୍ବାଇରେ ଘରଭଡ଼ା ସହିତ ସମସ୍ତ ଲଜିଷ୍ଟିକ ସପୋର୍ଟ ମଧ୍ୟ ଯୋଗାଡ କରିଥିଲା। ଜୀଶାନ ଅଖ୍ତରର ବୟସ ମାତ୍ର ୨୧ ବର୍ଷ, ତେବେ ସେ ଏତେ ଚତୁର ଥିଲା ଯେ ବିଦେଶୀ ନମ୍ବରରେ ହ୍ୱାଟସଆପ ଚଳାଇ ୨୦୨୨ ମସିହାରେ ପୋଲିସ ଦ୍ୱାରା ଗିରଫ ହୋଇଥିଲା। ଜୀଶାନ ଗାଁ ସରକାରୀ ସ୍କୁଲରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛି। ଅଭିଯୁକ୍ତର ପିତା ମହମ୍ମଦ ଜମିଲ ଟାଇଲ ଠିକାଦାର କାମ କରନ୍ତି। ଜୀଶାନର ଭାଇ ମଧ୍ୟ ତା ବାପାଙ୍କ ସହ କାମ କରେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.