ମିଆଁମାରରେ ଜୁଣ୍ଟା ଆର୍ମି-ପିଡିଏଫ୍‌ ମଧ୍ୟରେ ସଂଘର୍ଷ: ମିଜୋରାମ ସୀମାରେ ଡେରା ପକାଇଛନ୍ତି ଶତାଧିକ ଶରଣାର୍ଥୀ

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ମିଆଁମାର ସୀମାନ୍ତ ମିଜୋରାମରେ ଜୁଣ୍ଟା ଆର୍ମି ଓ ପିପୁଲ୍ସ ଡିଫେନ୍ସ ଫୋର୍ସର ବିଦ୍ରୋହୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଘମାଘୋଟ ଲଢେଇ। ଏହି ବିଦ୍ରୋହୀମାନେ କ୍ରମାଗତ ଭାବରେ ସାମରିକ ନିୟମକୁ ଚ୍ୟାଲେଞ୍ଜ କରିଆସୁଛନ୍ତି। ମିଆଁମାରର ଶତାଧିକ ନାଗରିକ ଆଶ୍ରୟ ନେବାକୁ ଏବେ ସୀମା ନିକଟରେ ଅଟକି ରହିଛନ୍ତି।

ମିଆଁମାର ସୀମାନ୍ତ ମିଜୋରାମରେ ଅଶାନ୍ତି ବୃଦ୍ଧି ପାଇଛି। ଏହି ସମୟରେ, ଭାରତୀୟ ସେନାର ଆସାମ ରାଇଫଲ୍ସ ମିଆଁମାର ସୀମା ନିକଟ ମିଜୋରାମର ବସ୍ତିରେ ବିଭିନ୍ନ ନାଗରିକ ସମାଜ ଗୋଷ୍ଠୀର ନେତାମାନଙ୍କୁ ଭେଟିଛନ୍ତି। ଏହି ବୈଠକରେ ମିଆଁମାରର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା।

ଗୁଇନ୍ଦା ବିଭାଗ ସୂଚନାଅନୁସାରେ ଏହି ସଂଘର୍ଷ ଯୋଗୁଁ ମିଜୋରାମ ଦେଇ ମିଆଁମାରରୁ ଚୀନ୍-କୁକି ଶରଣାର୍ଥୀମାନେ ଭାରତକୁ ପ୍ରବେଶ କରିଛନ୍ତି। ନଭେମ୍ବର ୭ରେ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ନିକଟ ଅତୀତରେ ମିଆଁମାରରୁ ୩୨ ହଜାରରୁ ଅଧିକ ଶରଣାର୍ଥୀଙ୍କୁ ପରିବାର ଏବଂ ସମ୍ପର୍କୀୟ କାରଣ ଦର୍ଶାଇ ସ୍ୱାଗତ କରିଛନ୍ତି।

ଜୁଣ୍ଟା ସେନା ଏବଂ ପିଡିଏଫ ମଧ୍ୟରେ ଗୁଳି ବିନିମୟ ହେତୁ ଶହ ଶହ ଶରଣାର୍ଥୀ ମିଜୋରାମର ସୀମାନ୍ତ ଗ୍ରାମକୁ ପଳାଇଥିବା ବୋଲି ଗୁଇନ୍ଦା ସୂତ୍ରରୁ ପ୍ରକାଶ। ଏପରିକି ମିଆଁମାରର ୧୦୦ରୁ ଅଧିକ ପରିବାର ମିଜୋରାମର ଚମ୍ପାଇ ଜିଲ୍ଲାର ଜୋଖଥାର ଗ୍ରାମରେ ଆଶ୍ରୟ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.