ପଳାତକ ଜାକିର ନାଇକକୁ ପାକିସ୍ତାନରେ ଭବ୍ୟ ସମ୍ବର୍ଦ୍ଧନା, ନୱାଜ ସରିଫଙ୍କ ସମେତ ଭେଟିଲେ ବଡ଼ବଡ଼ ନେତା

Published By : Prameya-News7 Bureau | March 17, 2025 IST

ରାୱଲପିଣ୍ଡି ୧୭।୩: ଭାରତ ବିରୋଧରେ ବିଷ ଉଦଗାରୁଥିବା ବିବାଦୀୟ ଇସ୍ଲାମ ଉପଦେଶକ ଜାକିର ନାଇକ୍ କୁ ସୋମବାର ରାୱଲପିଣ୍ଡିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସ୍ଲିମ ଲିଗ-ନୱାଜ(ପିଏମଏଲ-ଏନ) ନେତା ମିଆଁ ନୱାଜ ସରିଫ ଭବ୍ୟ ସ୍ୱାଗତ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ମଧ୍ୟ ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ଉପସ୍ଥିତ ଥିଲେ। ଏହି ସାକ୍ଷାତ ଆଲୋଚନା କାଳରେ ପିଏମଏଲ-ଏନ ନେତାମାନେ ଜାକିର ନାଇକ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। 

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି କଥାବାର୍ତ୍ତା ନେଇ କୌଣସି ଅଧିକାରୀକ ବୟାନ ଜାରି ହୋଇ ନାହିଁ। ଭିଡିଓରେ ନୱାଜ ସରିଫଙ୍କୁ ଜାକିର ନାଇକର ଅତିଥି ସତ୍କାର କରୁଥିବା ଦେଖାଯାଇଛି। ଏହି ସାକ୍ଷାତ ଆଲୋଚନା ଏଭଳି ସମୟରେ ହୋଇଛି ଯେତେବେଳେ ହାଫିଜ ସଈଦ ଓ ମସୁଦ ଅଜହର ପାକିସ୍ତାନରେ ଅବସ୍ଥାନ କରୁଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ଜାକିର ନାଇକକୁ ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ଲସ୍କର-ଏ-ତୌୟବା କମାଣ୍ଡରଙ୍କ ସହ ଦେଖାଯାଇଥିଲା। 


ଗତ ସପ୍ତାହରେ ପାକିସ୍ତାନର ପୂର୍ବତନ କ୍ରିକେଟର ମହମ୍ମଦ ହଫିଜ ଜାକିର ନାଇକକୁ ଭେଟି ବିବାଦ ସୃଷ୍ଟି କରିଥିଲେ। ହଫିଜ ତାଙ୍କର ସାକ୍ଷାତ ଆଲୋଚନା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହା ପରେ ହଫିଜଙ୍କୁ ଖୁବ ସମାଲୋଚନା କରାଯାଇଥିଲା। ଜାକିର ନାଇକ ଜଣେ ବିବାଦୀୟ ଧାର୍ମିକ ବ୍ୟକ୍ତିତ୍ୱ। ବେଆଇନ ଗତିବିଦ୍ଧିରେ ସାମିଲ ରହିବା ଓ ଧାର୍ମିକ ଘୃଣାକୁ ପ୍ରୋତ୍ସାହନ ଅଭିଯୋଗରେ ଜାତୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ଦ୍ୱାରା ତାକୁ ୱାଣ୍ଟେଡ ଘୋଷଣା କରାଯାଇଛି। 


ଜାକିର ନାଇକର ଉପସ୍ଥିତିକୁ ନେଇ ପାକିସ୍ତାନରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେ ପାକିସ୍ତାନରେ ସାର୍ବଜନିକ ବ୍ୟକ୍ତିତ୍ୱଙ୍କୁ ଭେଟିବା ଏବେ ବିତର୍କର ବିଷୟ ପାଲଟିଛି। ପାକିସ୍ତାନରେ ସାଧାରଣ ଲୋକେ ମଧ୍ୟ ଜାକିର ନାଇକର ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ପାକିସ୍ତାନୀ ଲୋକେ ତାକୁ ତୁରନ୍ତ ଦେଶରୁ ବାହାର କରିବାକୁ ଦାବି କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.