ଦାୟୀ କିଏ ? ରାତାରାତି ବଲେ ବଲେ ଢାବାରୁ ଆସବାବପତ୍ର ଗାଏବ...

Published By : Prameya-News7 Bureau | July 02, 2024 IST

ଚଣ୍ଡିଖୋଲ ୦୨।୦୭ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନେଉଳପୁର ଠାରେ ଥିବା ବଲେ ବଲେ ଢାବାକୁ ନେଇ ଥମୁନି ବିବାଦ। ଏହି ଢାବାକୁ ନେଇ ବିବାଦ କମୁନଥିବା ବେଳେ ସୋମବାର ରାତିରେ ଏଠାରୁ ସମସ୍ତ ଆସବାବପତ୍ର ଖୋଲି ନିଆଯାଇଥିବା ଦେଖିବାକୁ ମିଳିଛି। ଆଜି ଏହି ଫୁଡ୍ କୋର୍ଟକୁ ସିଲ୍ କରାଯିବ ବୋଲି ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସୂଚନା ଦେଇଥିଲେ। ତେବେ ଏସବୁକୁ ଖୋଲି କିଏ ନେଲା ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ବେଆଇନ ଭାବେ ଦଖଲ ହୋଇଥିବା ଘରଟି ବ୍ଲକ ପକ୍ଷରୁ ଆମ ଗାଁ ଆମ ବିକାଶ ପାଣ୍ଠି ଏବଂ ଜିଆଇଏ ପାଣ୍ଠିରୁ ତିଆରି କରଯାଇଛି ବୋଲି ବିଡିଓ ସ୍ବୀକାର କରିଛନ୍ତି। ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଫୁଡ୍ କୋର୍ଟ ଘରଟି ଧର୍ମଶାଳା ବ୍ଲକର ରତ୍ନାକର ସାହୁ ନାମକ କନିଷ୍ଠ ଯନ୍ତ୍ରୀଙ୍କ ଦାୟିତ୍ଵରେ ଥିଲା। ବିଡିଓଙ୍କ ସୂଚନା ଅନୁଯାୟୀ ଏହାର ସମସ୍ତ ବିଲ୍ କରାଯାଇନାହିଁ। ଏପରି ସ୍ଥଳେ କନିଷ୍ଠ ଯନ୍ତ୍ରୀ ଜଣକ ଘରୋଇ ଲୋକଙ୍କୁ କିପରି ହୋଟେଲ ଚଳାଇବାକୁ ଦେଲେ ତାହା ତଦନ୍ତ ସାପେକ୍ଷ। 


ସରକାରୀ ଅର୍ଥରେ ନିର୍ମିତ ଗୋଟିଏ ଘରକୁ ଘରୋଇ ଲୋକଙ୍କ ହାତରେ ଟେକି ଦେବାକୁ କିଏ ନିର୍ଦ୍ଦେଶ ଦେଇଥିଲା ? ସରକାରୀ ଖାତାରେ ଅସମ୍ପୂର୍ଣ୍ଣ ଥିବା ଏହି ଘରଟି ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଦାୟିତ୍ଵରେ ରହିଥିବା ବେଳେ ବିଡିଓ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ନାମ କାହିଁକି କହୁ ନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ପ୍ରଥମରୁ ବିଡିଓ ଏହି ବେଆଇନ ଢ଼ାବାକୁ ସିଲ୍ କଲେ ନାହିଁ କାହିଁକି? ଗତ ଦୁଇ ଦିନ ତଳେ ବ୍ଲକ ପକ୍ଷରୁ ଏହି ବଲେ ବଲେ ଢାବାକୁ ଖାଲି କରିବାକୁ ନୋଟିସ ଜାରି କରିଥିଲେ। ଆଜି ଶେଷ ଦିନ ହୋଇଥିବା ବେଳେ ହୋଟେଲଟିକୁ ସିଲ୍ କରାଯିବ ବୋଲି ବିଡିଓ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.