ବଡଚଣାରୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା-ବିରୋଧୀଙ୍କୁ କଣ କହିଲେ ମୋହନ ?

Published By : Prameya-News7 Bureau | September 29, 2024 IST

ଯାଜପୁର ୨୯/୯: ବଡଚଣାରେ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ ଧର୍ମଶାଳା PEO ସ୍ମିତାରାଣୀ ମୃତ୍ୟୁର ହେବ ପୁଙ୍ଖାନୁପୁଙ୍ଖ ତଦନ୍ତ । ଦୋଷୀକୁ ମିଳିବ ଦଣ୍ଡ । ନଗଡା ଅପପୁଷ୍ଟି ପ୍ରସଙ୍ଗ ଉଠାଇ ପୂର୍ବ ସରକାରକୁ କଲେ ଟାର୍ଗେଟ । ବିକାଶ ନାଁରେ ୩ ପରିବାର ଯାଜପୁରରୁ ଲୁଟୁଥିବା କହିଛନ୍ତି ସିଏମ୍‌ । 

ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ । ମାମଲାର ସଠିକ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ମିଳିବ । ପୂର୍ବ ସରକାର ନାରୀକୁ କେତେ ସମ୍ମାନ ଦେଇଛନ୍ତି ଆମେ ଦେଖିଛୁ । ସ୍ମିତାରାଣୀଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା । ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କୁ ଘଣ୍ଟ ଘୋଡାଇ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । 

ସେହିପରି ନଗଡ଼ା ପ୍ରସଙ୍ଗ ଉଠାଇ କହିଛନ୍ତି, ଯାଜପୁରର ନଗଡ଼ା ଅପପୃଷ୍ଟି କଥା ରାଜ୍ୟ ନୁହେଁ ପୁରା ଦେଶରେ ଚର୍ଚ୍ଚା କୁ ଆସିଥିଲା । ଖାଇବାକୁ ନ ପାଇ ପ୍ରାୟ ୧୫ ଶିଶୁଙ୍କ ଜୀବନ ଯାଇଥିଲା । ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ ।୨୪ ବର୍ଷ ଭିତରେ କି ବିକାଶ ହୋଇଛି, ଆହୁରି ସମୟ ମାଗୁଛନ୍ତି । ୨୪ ବର୍ଷ ଶାସନରେ ବିକାଶ ନାଁରେ ବିଜୁ ଜନତା ଦଳ ବିନାଶ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ବିଜେପିକୁ ଓଡ଼ିଶାରେ ଏକ ନମ୍ବର କରିବାକୁ ଯାଜପୁରବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ନାଁ ନନେଇ ବିଜେଡିର ୩ ନେତାଙ୍କୁ ଟାର୍ଗେଟ କରିଛନ୍ତି ମୋହନ ମାଝୀ । କହିଛନ୍ତି ଯେ ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି । ଯାଜପୁର ଖଣି ଖାଦାନରେ ଭରପୂର, କିନ୍ତୁ ଲୋକଙ୍କ ଉନ୍ନତି ହୋଇନି । ବିଗତ ସରକାରରେ ଅବହେଳିତ ହୋଇଥିବା ଲୋକଙ୍କୁ ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ‍।


  • Jajpur
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.