ଗୌତମ ଗମ୍ଭୀର ହେବେ ଟିମ୍ ଇଣ୍ଡିଆର ହେଡ୍ କୋଚ୍, ଏହି ତାରିଖରେ ହେବ ଆନୁଷ୍ଠାନିକ ଘୋଷଣା

Published By : Prameya-News7 Bureau | June 16, 2024 IST

Indian Times

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହା ପରେ ସେ ଏହି ପଦରୁ ଅବ୍ୟାହତି ନେଇଯିବେ । ଟି-୨୦ ବିଶ୍ଵକପରେ ଭାରତୀୟ ଦଳକୁ ନୂତନ କୋଚ୍ ମିଳିବ। ଜୁନ ଶେଷ ସପ୍ତାହ ଆଡକୁ ଏହାର ଆନୁଷ୍ଠାନିକ ଘୋଷଣା   ହେବାର ଆଶା କରାଯାଉଛି । ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟର ଗୌତମ ଗମ୍ଭୀର ଭାରତୀୟ ଦଳର କୋଚ୍ ହେବାକୁ ଯାଉଛନ୍ତି। 

ରିପୋର୍ଟ ଅନୁଯାୟୀ, ଗମ୍ଭୀରଙ୍କ ନାମରେ ମୋହର ବାଜି ସାରିଛି ।  ବିସିସିଆଇ ଓ ଗମ୍ଭୀରଙ୍କ ମଧ୍ୟରେ ଚୁକ୍ତିନାମା ହୋଇ ସାରିଛି । ଗତ ଗୁରୁବାର ଏହା ସ୍ପଷ୍ଟ ହୋଇ ସାରିଛି ଯେ, ଗମ୍ଭୀର ଭାରତୀୟ ଦଳର ହେଡ୍  କୋଚ୍ ହେବାକୁ ଯାଉଛନ୍ତି । ଟି-୨୦ ବିଶ୍ୱକପ୍ ପରେ ଏହାର ଆନୁଷ୍ଠାନିକ ଘୋଷଣା କରାଯିବ । ଦୈନିକ ଜାଗରଣର ରିପୋର୍ଟରୁ ଏହି ଖବର ସାମ୍ନାକୁ ଆସିଛି । 

ତେବେ ଗୌତମ ଗମ୍ଭୀରଙ୍କ ସହିତ ସହାୟକ କୋଚିଂ ଷ୍ଟାପ କିଏ ହେବେ, ତାହା ଆଗାମୀ ଦିନରେ ଜଣା ପଡିବ । ସଂପ୍ରତି ଭାରତୀୟ ଦଳର ବ୍ୟାଟିଂ ଭାବେ କୋଚ୍ ବିକ୍ରମ ରାଠୋର, ବୋଲିଂ କୋଚ୍ ପାରସ ମହାମ୍ବ୍ରେ ଓ ଫିଲ୍ଡିଂ କୋଚ୍ ଭାବେ ଟି ଦିଲୀପ କାର୍ଯ୍ୟ କରୁଛନ୍ତି । ମୁଖ୍ୟ କୋଚ୍ ଦାୟିତ୍ୱ ନେବା ପରେ ଖୋଦ୍ ଗମ୍ଭୀର ନିଜର ସପୋର୍ଟ ଷ୍ଟାଫ ଚୟନ କରିବେ । ରାହୁଲ ଦ୍ରାବିଡ ମଧ୍ୟ ଏମିତି କରିଥିଲେ । ତାଙ୍କ ପୂର୍ବରୁ ରବି ଶାସ୍ତ୍ରୀ ନିଜ ସପୋର୍ଟ ଷ୍ଟାଫରେ ବ୍ୟାଟିଂ କୋଚ୍ ଭାବେ ସଞ୍ଜୟ ବାଙ୍ଗର, ବୋଲିଂ କୋଚ୍ ଭାବେ ଭରତ ଅରୁଣ ଏବଂ ଫିଲ୍ଡିଂ କୋଚ୍ ଭାବେ ଆର ଶ୍ରୀଧରଙ୍କୁ ଚୟନ କରିଥିଲେ ।

ଗମ୍ଭୀର ଯେମିତି ଭାରତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିବେ, ସପୋର୍ଟ ଷ୍ଟାଫ ମଧ୍ୟ ବଦଳିବେ । ଏହା ସହିତ ଭାରତୀୟ ଦଳରେ ମଧ୍ୟ ପରିବର୍ତ୍ତନର ସମ୍ଭାବନା ରହିଛି । କାରଣ ଗମ୍ଭୀରଙ୍କ କୋଚିଂ ଶୈଳୀ ରାହୁଲ ଦ୍ରାବିଡଙ୍କଠୁ ଭିନ୍ନ ରହିଛି । ଦ୍ରାବିଡ ସଂଯମପୂର୍ଣ୍ଣ ବ୍ୟକ୍ତି ହୋଇଥିବା ବେଳେ ଗମ୍ଭୀର ଆକ୍ରାମଣାତ୍ମକ କ୍ରିକେଟକୁ ଗୁରୁତ୍ୱ ଦେଇଥାନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.