ଅଷ୍ଟ୍ରେଲିଆର ଆଶା ଧୂଳିସାତ୍‌, ବାଂଲାଦେଶକୁ ହରାଇ ସେମିରେ ଆଫାଗାନିସ୍ତାନ

Published By : Prameya-News7 Bureau | June 25, 2024 IST

ମୁମ୍ବାଇ ୨୫।୦୬ : ସତ ହେଲା ସ୍ୱପ୍ନ । ଯାହା କହିଥିଲେ, ତାହା କରି ଦେଖାଇଲେ। ୨୦୨୪ ଟି-୨୦ ବିଶ୍ୱକପ୍‌ ସେମିରେ ଏଣ୍ଟ୍ରି କରିଲା ଆଫାଗାନିସ୍ତାନ ଟିମ୍‌ । ସୁପର- ୮ର ରୋମାଞ୍ଚ ମୁକାବିଲାରେ ବାଂଲାଦେଶ ଟିମ୍‌କୁ ୮ ରନ୍‌ରେ ହରାଇ ସେମିରେ ପ୍ରବେଶ କରିଛି ରାସିଦ ବାହିନୀ । ଆସନ୍ତା ୨୬ ତାରିଖରେ ଦକ୍ଷିଣ ଆଫ୍ରିକା ସହିତ ସେମିରେ ଆଫାଗାନିସ୍ତାନ ଟିମ୍‌ର ହେବ ଟକ୍କର । ଯିଏ ଜିତିବ, ସିଏ ହାତେଇବ ଫାଇନାଲ ଟିକେଟ୍‌ । 

ଆଫଗାନିସ୍ତାନ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଆଫାଗାନିସ୍ତାନ ଅଧିନାୟକ । ହେଲେ ଏହି ନିଷ୍ପତ୍ତି ଦଳ ପାଇଁ ସେତେଟା ଉପଯୋଗୀ ସାବ୍ୟସ୍ତ ହୋଇନଥିଲା । ଦଳ ପ୍ରଥମ ୧୦ ଓଭରରେ ଭଲ ଆରମ୍ଭ କରିଥିଲେ ସୁଦ୍ଧା ଦଳ ବଡ଼ ସ୍କୋର କରିବାରେ ଫେଲ୍‌ ମାରିଥିଲା । ଦଳ ପକ୍ଷରୁ ଗୁର୍‌ବାଜ୍‌ ସର୍ବାଧିକ ୪୩ ରନ୍‌ କରିଥିବା ବେଳେ ବାକି ଅନ୍ୟ କୌଣସି ବ୍ୟାଟର ସେତେଟା ଆଖିଦୃଶିଆ ସ୍କୋର କରିପାରିନଥିଲେ । ଶେଷରେ ଦଳ ମୋଟ ୨୦ ଓଭର ଖେଳି ୫ ଓ୍ୱିକେଟ୍‌ ହରାଇ ମାତ୍ର ୧୧୫ ରନ୍‌ କରିବାରେ ସକ୍ଷମ ହୋଇଥିଲା । ବାଂଲାଦେଶ ପକ୍ଷରୁ ରିସାଦ ହୁସେନ୍‌ ସର୍ବାଧିକ ୩ ଟି ଓ୍ୱିକେଟ୍‌ ନେଇଥିଲେ । 

ତେବେ ୧୧୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ବାଂଲା ବ୍ୟାଟର । ହେଲେ ମାତ୍ର ୧୬ ରନ୍‌ ପଡିଥିବା ପ୍ରଥମ ଓ୍ୱିକେଟ୍‌ । ଆଉ ଏହାପରେ ବାଂଲା ବ୍ୟାଟରଙ୍କ ଉପରେ ନିଜର ପ୍ରଭାବ ପକାଇବା ଆରମ୍ଭ କରିଥିଲେ । ହେଲେ ଗୋଟିଏ ପଟେ ଅଭିଜ୍ଞ ଲିଟନ ଦାସ୍‌ କ୍ରିଜ୍‌ରେ ଜମି ରହିଥିଲେ । ମଧ୍ୟକ୍ରମରେ ରାସିଦ ଖାନ୍‌ଙ୍କ ଘାତକ ବୋଲିଂ ଏବଂ ଶେଷ ଓଭରରେ ନଭିନ୍‌ ଉଲ୍‌ ହକ୍‌ଙ୍କ ଚତୁର ବୋଲିଂ ଆଗରେ ହାର୍‌ ମାନିଥିଲେ ବାଂଲା ବ୍ୟାଟର । ଆଉ ୧୭.୫ ଓଭରରେ ମାତ୍ର ୧୦୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା ବାଂଲାଦେଶ ଟିମ୍‌ । ଶେଷରେ ୮ରନ୍‌ରେ ବିଜୟୀ ହୋଇଛନ୍ତି ରାସିଦ ବାହିନୀ। ଆଫଗାନିସ୍ତାନ ପକ୍ଷରୁ ରାସିଦ ଖାନ୍‌ ଏବଂ ନଭିନ୍‌ ଉଲ୍‌-ହକ୍‌ ୪ଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।  

ସେପଟେ ଏହି ବିଜୟ ସହ ଅଷ୍ଟ୍ରେଲିଆର ସେମି ଆଶା ବି ଯାଇଛି ମଉଳି । ଯଦି ଏହି ମ୍ୟାଚ୍‌ରେ ବାଂଲାଦେଶ ଟିମ୍‌ ମ୍ୟାଚ୍‌ ଜିତିଥାନ୍ତା । ତେବେ ଅଷ୍ଟ୍ରେଲିଆ ଟିମ୍‌ ରନ୍‌ ରେଟ୍‌ ହିସାବରେ ସେମିରେ ଏଣ୍ଟ୍ରି କରିଥାନ୍ତା । ହେଲେ ଆଫାଗାନିସ୍ତାନ ଦଳ ବାଂଲା ଟିମ୍‌କୁ ହରାଇ ଅଷ୍ଟ୍ରେଲିଆ ଆଶାକୁ ଆଶାରେ ରଖି ଦେଇଛି । 

  • BCCI
  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.