ଶ୍ରୀଲଙ୍କାର ଯୁବ ବ୍ୟାଟ୍ସମ୍ୟାନ; ୮ଟି ମ୍ୟାଚରେ ଲଗାଇଲେ, ୪ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ

Published By : Prameya-News7 Bureau | September 28, 2024 IST

ନୂଆଦିଲ୍ଲୀ ୨୮।୦୯: ଶ୍ରୀଲଙ୍କାର ଯୁବ ବ୍ୟାଟସମ୍ୟାନ୍‌ । ଦମ୍‌ଦାର କରୁଛନ୍ତି ପ୍ରଦର୍ଶନ । ନିଜ ଟେଷ୍ଟ କ୍ୟାରିୟରରେ  କରିଛନ୍ତି ରନ୍‌ ବର୍ଷା । ମାତ୍ର ୧୩ଟି ଇଂନିସରେ ପୂରଣ କରିଛନ୍ତି ୧ହଜାର ରନ । ଆଉ ଡନ୍‌ ବ୍ରଡମ୍ୟାନ୍‌ଙ୍କ ହୋଇଛନ୍ତି ସମକକ୍ଷ । 

କାମିନ୍ଦୁ ମେଣ୍ଡିସ୍‌ । ଶ୍ରୀଲଙ୍କାର ୨୫ ବର୍ଷୀୟ ଯୁବ ବ୍ୟାଟସମ୍ୟାନ୍‌ । ଖେଳୁଛନ୍ତି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ଏଥିରେ କରିଛନ୍ତି ଜୋରଦାର ପ୍ରଦର୍ଶନ । ତାଙ୍କର ଏହି ପ୍ରଦର୍ଶନ ଅନେକ ରେକର୍ଡ ଭାଙ୍ଗିଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କରିଛନ୍ତି କମାଲ୍‌ । ସେ ନିଜ ଟେଷ୍ଟ କ୍ୟାରିୟରରେ ୧୩ଟି ଇଂନିସ ଖେଳି କରିଛନ୍ତି ୧ହଜାର ରନ୍‌ । 

ଏହି ସଫଳତା ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚରେ ହାସଲ କରିଛନ୍ତି । ଶ୍ରୀଲଙ୍କା ପ୍ରଥମ ଇନିଂସରେ ୬୦୨ ରନ୍ ସ୍କୋର କରିଥିଲା। ଏହି ମ୍ୟାଚ୍‌ରେ ଅପରାଜିତ ୧୮୨ ରନ୍ ସ୍କୋର କରିଥିଲେ ମେଣ୍ଡିସ୍ । ଆଉ ରଚିଥିଲେ ଇତିହାସ । ଟେଷ୍ଟ କ୍ରିକେଟ୍ ଇତିହାସରେ ଦ୍ରୁତତମ ୧ହଜାର ରନ୍ ସ୍କୋର କରିବାରେ ମେଣ୍ଡିସ୍ ବର୍ତ୍ତମାନ ସାର୍ ଡନ୍ ବ୍ରଡମ୍ୟାନ୍‌ଙ୍କ ସମକକ୍ଷ ହୋଇଛନ୍ତି । ମେଣ୍ଡିସ୍ ତାଙ୍କ କ୍ୟାରିୟରର ୧୩ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । 

ସେହିପରି ଡନ୍ ବ୍ରଡମ୍ୟାନ୍‌ ମଧ୍ୟ ତାଙ୍କ ଟେଷ୍ଟ କ୍ୟାରିୟରରେ ୧ ହଜାର ରନ୍ ପୂରଣ କରିବାକୁ ୧୩ଟି ଇନିଂସ ନେଇଥିଲେ । ତେବେ ଦ୍ରୁତତମ ୧ହଜାର ରନ୍ ସ୍କୋର କରିବାର ରେକର୍ଡ ଇଂଲଣ୍ଡର ହର୍ବର୍ଟ ସଟକ୍ଲିଫ୍ ଏବଂ ୱେଷ୍ଟଇଣ୍ଡିଜ୍ ଇଡି ୱିକ୍ସଙ୍କ ନାଁରେ ରହିଛି । ସେ  ୧୨ଟି ଇନିଂସରେ ପୂରଣ କରିଛନ୍ତି ୧ହଜାର ରନ ।  

କାମିନ୍ଦୁ ମେଣ୍ଡିସ୍‌ ଜୁଲାଇ ୨୦୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲେ ଟେଷ୍ଟ ଡେବ୍ୟୁ  ।  ଯେଉଁଥିରେ ସେ ୬୧ ରନର ଅର୍ଦ୍ଧଶତକ ଖେଳିଥିଲେ । କିନ୍ତୁ ୨୦୨୪ରେ ଶ୍ରୀଲଙ୍କା ଟିମକୁ ଫେରିବା ପରେ ତାଙ୍କ ବ୍ୟାଟ୍ ଖୁବ ଗର୍ଜୁଛି । ମେଣ୍ଡିସ୍ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୮ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ ୧୩ଟି ପାଳି ଖେଳି ୪ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ଲଗାଇଛନ୍ତି  । ମେଣ୍ଡିସଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଦର୍ଶାଉଛି ଯେ ସେ ପ୍ରତି ୩ଟି ଇନିଂସ ମଧ୍ୟରୁ ସେ ୨ଟି ପାଳିରେ କରୁଛନ୍ତି ୫୦ ରନରୁ ଅଧିକ ରନ୍‌ ସ୍କୋର ।  

ଟେଷ୍ଟ କ୍ରିକେଟରେ ୧ହଜାର ରନ୍ ସ୍କୋର କରିବାରେ କାମିନ୍ଦୁ ମେଣ୍ଡିସ୍‌ ବର୍ତ୍ତମାନ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ତାଙ୍କ ପୂର୍ବରୁ ଭାରତର ବିନୋଦ କାମ୍ବଲି ନିଜ ଟେଷ୍ଟ କ୍ୟାରିୟରେ ୧୪ଟି ଇନିଂସରେ ପୂରଣ କରିଥିଲେ ନିଜର ୧ ହଜାର ରନ୍‌ ସ୍କୋର । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏସୀୟ ବ୍ୟାଟ୍ସମ୍ୟାନ୍ ତାଲିକାରେ ଶୀର୍ଷରେ ରହିଛନ୍ତି । କିନ୍ତୁ ବର୍ତ୍ତମାନ ମେଣ୍ଡିସ୍ ୧ ହଜାର ଟେଷ୍ଟ ରନ୍ ସ୍କୋର କରିବାରେ ଦ୍ରୁତତମ ଏସୀୟ ବ୍ୟାଟ୍ସମ୍ୟାନ୍ ହେବାର ରେକର୍ଡ ସୃଷ୍ଟି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.