ବିନିକା ୧।୮: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ହାଇସ୍କୁଲ ଛକ ଠାରେ ଦୋକାନ ବନ୍ଦ କରି ତାଲା ପକାଉଥିବା ସମୟରେ ବ୍ୟାଗ୍ ସହ ସୁନା ରୁପା ବୋହି ନେଲେ ଦୃର୍ବୃତ୍ତ l
ସୂଚନାଯୋଗ୍ୟ ଯେ, ବୁଧବାର ରାତି ୮ଟା ୩୦ଟାରେ ଥାନା ପଛପଟ ହାଇସ୍କୁଲ ଛକ ଠାରେ ଥିବା ପ୍ରିନ୍ସ ସୁନା ଅଳଙ୍କାର ୱାର୍କସପ୍ ବନ୍ଦ କରୁଥିବା ସମୟରେ ଲୁଟିନେଲେ ସୁନା ଅଳଙ୍କାର । ଦୋକାନ ମାଲିକ ସଞ୍ଜୟ ସାହୁ ପ୍ରତିଦିନ ଭଳି ବୁଧବାର ରାତିରେ ଦୋକାନ ବନ୍ଦ କରିବାକୁ ତାଲା ପକାଉଥିବା ସମୟରେ ଅଚାନକ ଦୁଇ ଜଣ ଦୁର୍ବୃତ୍ତ ଆସି ସୁନା-ରୁପା ଥିବା ବ୍ୟାଗ୍କୁ ନେଇଯାଇଥିଲେ । ସେହି ନିକଟରେ ଥିବା ଏକ ଚାଟ୍ ଦୋକାନୀ ଏସବୁ ଦେଖି ସଞ୍ଜୟ ସାହୁଙ୍କୁ କହିଥିଲେ । ଆଖି ପିଛୁଳାକେ ଦୁଇ ଜଣ ଦୁର୍ବୃତ୍ତ ବ୍ୟାଗ୍ ନେଇ ଫେରାର ମାରିଥିଲେ । ତୁରନ୍ତ ଦୋକାନ ମାଲିକ ବାଇକରେ ପିଛା କରିଥିଲେ । କିନ୍ତୁ ଦ୍ରୁତ ଗତିରେ ଫେରାର ମାରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ l ବ୍ୟାଗରେ ଅଳଙ୍କାର ମୂଲ୍ୟ ପାଖାପାଖି ୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପରେ ଦୋକାନ ମାଲିକ ବିନିକା ଥାନାକୁ ଯାଇ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୋଲିସ ଥାନା ପଛପଟକୁ ଲାଗି ରହିଥିବା ସୁନା ଦୋକାନକୁ ଲୁଟିଥିବା ଦୁର୍ବୃତ୍ତ ମାନେ ପୋଲିସକୁ ଖାତିର ନକରି ଏପରି କାଣ୍ଡ କରିଥିବା ଯୋଗୁଁ ପୋଲିସ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଭାଙ୍ଗିବାରେ ଲାଗିଛି ।
You Can Read:
ଝିଆରୀର ଛୁଆକୁ ଚୋରାଇ ନେଲା ସମ୍ପର୍କୀୟ ମାଉସୀ, ଉଦ୍ଧାର ହେଲା ଶିଶୁ ପୁତ୍ର