ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଷ୍ଟାରଲିଙ୍କ କମ୍ପାନୀ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ଯାଉଛି। ହେଲେ ତା’ ପୂର୍ବରୁ ଭାରତ ସରକାର ଷ୍ଟାରଲିଙ୍କ ଆଗରେ କିଛି ସର୍ତ୍ତ ରଖିଛନ୍ତି।
ସରକାର ଚାହୁଁଛନ୍ତି ଯେ ଶଟ୍ ଡାଉନ୍କୁ ନିୟନ୍ତ୍ରଣ କରିବା ପାଇଁ ଭାରତର ହିଁ ଏକ କଣ୍ଟ୍ରୋଲ ସେଣ୍ଟର ପ୍ରତିଷ୍ଠା କରାଯାଉ। ଅର୍ଥାତ ଯଦି କେବେ ଏହି ସେବାକୁ ବନ୍ଦ କରିବାକୁ ପଡ଼େ, ତେବେ ଏହାର କଣ୍ଟ୍ରୋଲ ସେଣ୍ଟର କେବଳ ଭାରତରେ ହେବା ଉଚିତ। ଏହା ସହିତ, ଡାଟା ସୁରକ୍ଷା ପାଇଁ, ସୁରକ୍ଷା ଏଜେନ୍ସିଗୁଡ଼ିକୁ କଲ୍ ଇଣ୍ଟରସେପ୍ଟ ବା ଡାଟାକୁ ଯାଞ୍ଚ କରିବାର ସୁବିଧା ଦିଆଯିବା ଉଚିତ ବୋଲି ଭାରତ ସରକାର ଦାବି କରୁଛନ୍ତି। 
ଏହା ବ୍ୟତୀତ, ସାଟେଲାଇଟ୍ ମାଧ୍ୟମରେ ବିଦେଶରେ କରାଯାଇଥିବା କଲ୍ଗୁଡ଼ିକୁ ସିଧାସଳଖ ଫରୱାର୍ଡ କରିବା ପରିବର୍ତ୍ତେ, ଷ୍ଟାରଲିଙ୍କକୁ ପ୍ରଥମେ ଭାରତରେ ନିର୍ମିତ ଷ୍ଟାରଲିଙ୍କ ଗେଟୱେକୁ ଆଣିବାକୁ ପଡିବ। ତା'ପରେ କଲ୍ ଟେଲିକମ୍ ଚ୍ୟାନେଲ ମାଧ୍ୟମରେ ବିଦେଶକୁ ପଠାଯିବ ବୋଲି ଭାରତ ସରକାର ସର୍ତ୍ତ ରଖିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ପ୍ରଥମ ଦୁଇଟି ସର୍ତ୍ତ ଦେଶର ଟେଲିକମ୍ କମ୍ପାନୀ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ (VI) ପାଇଁ ପୂର୍ବରୁ ଲାଗୁ ହୋଇଛି।
ସେପଟେ ଭାରତରେ କାରବାର ଆରମ୍ଭ କରିବା ପାଇଁ ଷ୍ଟାର୍ଲିଙ୍କକୁ ଲାଇସେନ୍ସ ମିଳିବା ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କମ୍ପାନୀ ଭାରତରେ ଇଣ୍ଟରନେଟ୍ ସେବା ପାଇଁ ଜିଓ ଏବଂ ଏୟାରଟେଲ୍ ସହିତ ମାର୍କେଟିଂ ଏବଂ ନେଟୱାର୍କ ବିସ୍ତାର ନେଇ ଚୁକ୍ତିନାମା ମଧ୍ୟ କରୁଛି।
ତେବେ ଏଲନ ମସ୍କଙ୍କ ପାଖରେ କାହିଁକି ଏମିତି ଦାବି ରଖିଲେ ଭାରତ ସରକାର। ଭାରତରେ କଣ୍ଟ୍ରୋଲ ସେଣ୍ଟର ରହିବା କେତେ ଆବଶ୍ୟକ ପଢ଼ନ୍ତୁ।
ଦେଶର ଯେକୌଣସି ସ୍ଥାନରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲେ ଯୋଗାଯୋଗ ସେବାକୁ ତୁରନ୍ତ ବନ୍ଦ କରିବା ପାଇଁ ଏକ ନିୟନ୍ତ୍ରଣ କେନ୍ଦ୍ର ଆବଶ୍ୟକ ରହିଛି। ଏଥିରେ ସାଟେଲାଇଟ୍ ସେବା ମଧ୍ୟ ଅନ୍ତର୍ଭୁକ୍ତ। ତେଣୁ, ଭାରତରେ ଷ୍ଟାରଲିଙ୍କ ନିୟନ୍ତ୍ରଣ କେନ୍ଦ୍ର ନିର୍ମାଣ କରିବାକୁ ଦାବି ହୋଇଛି। ଯଦି ଭାରତରେ କଣ୍ଟ୍ରୋଲ ସେଣ୍ଟର ନ ରହିବା ତେବେ କମ୍ପାନୀ ନିଜ ଇଚ୍ଛାନୁସାରେ ଏହାର ପରିଚାଳନ କରିବା ସହିତ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସମୟରେ ସେବା ବନ୍ଦ କରିବାରେ ସମସ୍ୟା ସୃଷ୍ଟି ହେବ। ସେପଟେ ଭାରତରେ ପ୍ରବେଶ କରିବା ପାଇଁ ଏଲନ ମସ୍କ ପୂରା ପ୍ଲାନ୍ କରି ସାରିଛନ୍ତି।
ଭାରତର ଦୁଇଟି ବଡ଼ ଟେଲିକମ କମ୍ପାନୀ ଜିଓ ଓ ଓୟାରଟେଲ୍କୁ ପାର୍ଟନର ବନାଇ ବର୍ତ୍ତମାନ ଷ୍ଟାର୍ ଲିଙ୍କ ଭାରତ ଭଳି ଏକ ମାର୍କେଟ୍ କବ୍ଜା କରିବାକୁ ଯୋଜନା କରୁଛି। ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଯୋଗାଇବା ଷ୍ଟାର୍ ଲିଙ୍କ ଘରୋଇ କମ୍ପାନୀ ଜିଓ ଏବଂ ଏୟାରଟେଲ୍ ସହ ଚୁକ୍ତି କରିଛି।
ଚୁକ୍ତିନାମା ଅନୁଯାୟୀ, ସ୍ପେସଏକ୍ସ ଏବଂ ଏୟାରଟେଲ ବ୍ୟବସାୟ, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟସେବା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳରେ ଷ୍ଟାରଲିଙ୍କ ସେବା ଯୋଗାଇବା ପାଇଁ ଏକାଠି କାମ କରିବେ। ଏୟାରଟେଲର ବଡ଼ ନେଟୱାର୍କ ଭିତ୍ତିଭୂମିରେ ଷ୍ଟାରଲିଙ୍କ ଟେକ୍ନୋଲୋଜୀ ଇଣ୍ଟିଗ୍ରେଟେଡ୍ କରିବାର ସମ୍ଭାବନା ଯାଞ୍ଚ କରାଯିବ।
ବର୍ତ୍ତମାନ ଭାରତରେ ଜିଓର ୪୬.୫୧ କୋଟି ଗ୍ରାହକ ରହିଛନ୍ତି। ସେହିପରି ଏୟାରଟେଲ୍ର ୨୮.୦୭ କୋଟି ଓ ଭିଆଇର ୧୨.୬୩ କୋଟି ଓ ବିଏସଏନଏଲର ମାତ୍ର ୩.୧୦ କୋଟି ଗ୍ରାହକ ଅଛନ୍ତି। ତେଣୁ ଷ୍ଟାର୍ ଲିଙ୍କ ଭାରତର ଦୁଇ ପ୍ରମୁକ ଟେଲିକମ କମ୍ପାନୀର ସହଯୋଗରେ ଦେଶରେ କାୟା ବିସ୍ତାର କରିବାକୁ ଯୋଜନା କରୁଛି।
ଷ୍ଟାରଲିଙ୍କ୍ ୧୦୦ରୁ ଅଧିକ ଦେଶରେ ସାଟେଲାଇଟ୍ ମାଧ୍ୟମରେ ଇଣ୍ଟରନେଟ୍ ଯୋଗାଉଛି। ଏହାର ପୃଥିବୀର ନିମ୍ନ କକ୍ଷପଥରେ ୭ ହଜାରରୁ ଅଧିକ ସାଟେଲାଇଟ୍ ସହିତ ସବୁଠାରୁ ବଡ଼ ସାଟେଲାଇଟ୍ ନେଟୱାର୍କ ଅଛି। ଷ୍ଟାରଲିଙ୍କ ଇଣ୍ଟରନେଟ୍ ମାଧ୍ୟମରେ ଷ୍ଟ୍ରିମିଂ, ଅନଲାଇନ୍ ଗେମିଂ, ଭିଡିଓ କଲ୍ ସହଜରେ କରାଯାଇପାରିବ।
ଏଥିରେ, କମ୍ପାନୀ ଏକ କିଟ୍ ପ୍ରଦାନ କରେ ଯେଉଁଥିରେ ରାଉଟର, ପାୱାର ସପ୍ଲାଏ, କେବୁଲ୍ ଏବଂ ମାଉଣ୍ଟିଂ ଟ୍ରାଇପଡ୍ ରହିଛି। ହାଇ-ସ୍ପିଡ୍ ଇଣ୍ଟରନେଟ୍ ପାଇଁ ଖୋଲା ଆକାଶ ତଳେ ଡିସ୍ ରଖାଯାଏ। ଷ୍ଟାରଲିଙ୍କ ଆପ୍ iOS ଏବଂ Android ରେ ଉପଲବ୍ଧ। ଏଥିରେ ସେଟଅପ୍ ଠାରୁ ଆରମ୍ଭ କରି ମନିଟରିଂ ପର୍ଯ୍ୟନ୍ତ ସବୁକିଛି କରି ହେଉଛି।
ଜିଓ ଏବଂ ଏୟାରଟେଲ୍ ଭଳି ଟେଲିକମ କମ୍ପାନୀଗୁଡ଼ିକ ଫାଇବର ଅପ୍ଟିକ୍ସ ଏବଂ ମୋବାଇଲ୍ ଟାୱାର ମାଧ୍ୟମରେ ଇଣ୍ଟରନେଟ୍ ଯୋଗାଇ ଦିଅନ୍ତି। ହେଲେ ଷ୍ଟାରଲିଙ୍କ୍ ସାଟେଲାଇଟ୍ ନେଟୱାର୍କ ଉପରେ ଆଧାରିତ। ଏହା ଛୋଟ ସାଟେଲାଇଟ୍, ଗ୍ରାଉଣ୍ଡ ଷ୍ଟେସନ୍ ଏବଂ ୟୁଜର ଟର୍ମିନାଲ ମାଧ୍ୟମରେ କାମ କରେ। ଏଥିପାଇଁ ଭୌତିକ ଭିତ୍ତିଭୂମିର ବା ଫିଜିକାଲ ଇନ୍ଫ୍ରାଷ୍ଟ୍ରକଚରର ଆବଶ୍ୟକତା ନାହିଁ।
ପାରମ୍ପରିକ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ତୁଳନାରେ ଷ୍ଟାରଲିଙ୍କର ସାଟେଲାଇଟ୍ ପୃଥିବୀର ଅଧିକ ନିକଟତର (୫୫୦ କିମି)। ଏହା ଆପଣଙ୍କୁ ଦ୍ରୁତ ଇଣ୍ଟରନେଟ୍ ପ୍ରଦାନ କରେ। ଷ୍ଟାରଲିଙ୍କ୍ ୧୫୦ Mbps ପର୍ଯ୍ୟନ୍ତ ସ୍ପିଡ୍ ପ୍ରଦାନ କରିବାର ଦାବି କରୁଛି, ଯାହା ଫାଇବର ବ୍ରଡବ୍ୟାଣ୍ଡ ଠାରୁ କମ୍, କିନ୍ତୁ ପାରମ୍ପରିକ ସାଟେଲାଇଟ୍ ଇଣ୍ଟରନେଟ୍ ଅପେକ୍ଷା ଭଲ।
ଷ୍ଟାର ଲିଙ୍କ ଆସିଲେ ଭାରତରେ ଏହି ସବୁ ବଡ଼ ପରିବର୍ତ୍ତନ ଆସିପାରେ?
ଷ୍ଟାରଲିଙ୍କର ସବୁଠାରୁ ବଡ଼ ସୁବିଧା ହେଉଛି ଯେ ଏହା ପାହାଡ଼ ଜଙ୍ଗଲ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଯୋଗାଇପାରିବ। ଯେଉଁଠାରେ ପାରମ୍ପରିକ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀମାନେ ପହଞ୍ଚି ପାରିବେ ନାହିଁ। ଯଦି ଷ୍ଟାରଲିଙ୍କ ଭାରତକୁ ଆସିଲା ତେବେ ଏଥିରେ ଭାରତର ଗ୍ରାମାଞ୍ଚଳ, ଦୁର୍ଗମ ସ୍ଥାନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ୍ ପହଞ୍ଚି ପାରିବ।
ଆମ ଦେଶରେ ଏବେ ବି ଅନେକ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ନାହିଁ। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ମାର୍ଚ୍ଚ ସୁଦ୍ଧା ଗ୍ରାମୀଣ ଟେଲି-ଡେନ୍ସିଟି ୫୯.୧% ଥିଲା। ଷ୍ଟାରଲିଙ୍କ ଏହି କ୍ଷେତ୍ରଗୁଡ଼ିକ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଦୁର୍ଗମ ଅଞ୍ଚଳରେ ଅନଲାଇନ୍ ଶିକ୍ଷା ଏବଂ ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ବୃଦ୍ଧି ପାଇବ।
ଷ୍ଟାରଲିଙ୍କ୍ ଭାରତୀୟ ଟେଲିକମ କମ୍ପାନୀଗୁଡ଼ିକ ପାଇଁ ଏକ ଚ୍ୟାଲେଞ୍ଜ କି ?
ଷ୍ଟାର ଲିଙ୍କ ହୁଅନ୍ତୁ ବା ଅନ୍ୟାନ୍ୟ ସାଟକମ୍ ସେବା ପାରମ୍ପରିକ ଇଣ୍ଟରନେଟ୍ କମ୍ପାନୀଗୁଡ଼ିକର ପ୍ରତିଯୋଗୀ ନୁହଁନ୍ତି, ବରଂ ସେମାନଙ୍କର ପରିପୂରକ। ତେବେ ଷ୍ଟାରଲିଙ୍କ୍ ଯୋଜନାଗୁଡ଼ିକ ବ୍ରଡବ୍ୟାଣ୍ଡ ଯୋଜନା ଅପେକ୍ଷା ୧୮ ଗୁଣ ଅଧିକ ମହଙ୍ଗା। ଯଦି ସରକାର ଚାହିଁବେ, ତେବେ ଡିଜିଟାଲ ଇଣ୍ଡିଆ ଯୋଜନାରେ ୟୁନିଭର୍ସାଲ ସର୍ଭିସ୍ ଓବ୍ଲିଗେସନ୍ ଫଣ୍ଡ ବ୍ୟବହାର କରି ମୂଲ୍ୟ ହ୍ରାସ କରିବାରେ ସାହାଯ୍ୟ କରିପାରିବେ।
ସାଟେଲାଇଟ୍ଗୁଡ଼ିକ ପୃଥିବୀର ଯେକୌଣସି ସ୍ଥାନରୁ ବିମ ଇଣ୍ଟରନେଟ୍ କଭରେଜ୍ ଦେଇଥାଏ। ସାଟେଲାଇଟ୍ର ନେଟୱାର୍କ ବ୍ୟବହାରକାରୀଙ୍କୁ ଉଚ୍ଚ-ଗତି, କମ-ଲାଟେନ୍ସୀ ଇଣ୍ଟରନେଟ୍ କଭରେଜ୍ ପ୍ରଦାନ କରେ। ଲାଟେନ୍ସି ହେଉଛି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ତଥ୍ୟ ସ୍ଥାନାନ୍ତରିତ ହେବା ପାଇଁ ଲାଗୁଥିବା ସମୟକୁ ବୁଝାଏ।