ଦେଶରେ ଧରାପଡ଼ିଲା ୧୮,୦୦୦ ଫେକ୍ କମ୍ପାନି, ସରକାରଙ୍କୁ ଲଗାଇଛନ୍ତି ୨୫,୦୦୦ କୋଟି ଟଙ୍କାର ଚୂନ

Published By : Prameya-News7 Bureau | November 05, 2024 IST

ନୂଆଦିଲ୍ଲୀ: ଦେଶରେ ୧୮୦୦୦ ଫେକ୍ କମ୍ପାନି ବିଷୟରେ ଜଣାପଡ଼ିଛି, ଯେଉଁମାନେ ସରକାରଙ୍କୁ ପ୍ରାୟ ୨୫୦୦୦ କୋଟି ଟଙ୍କା ଚୂନ ଲଗାଇଛନ୍ତି । କେବଳ ଟ୍ୟାକ୍ସ ଚୋରି ପାଇଁ ଏହି କମ୍ପାନିଗୁଡ଼ିକ ତିଆରି କରାଯାଇଥିଲା । ତେବେ ଅଧିକାରୀଙ୍କୁ ସନ୍ଦେହ ହେବା ପରେ ଅନେକ ବଡ଼ ଖୁଲାସା ହୋଇଛି ।
ଏହି ଭୂତ କମ୍ପାନିଗୁଡ଼ିକ ବିରୋଧରେ ସାରା ଦେଶରେ ଏକ ଅଭିଯାନ ଚଲାଇଥିଲା । ଏଥିରେ ମୋଟ ୭୩୦୦୦ରୁ ଅଧିକ ଜିଏସଟିଏନ୍ କମ୍ପାନିର ଯାଞ୍ଚ କରାଯାଇଥିଲା । ଏହାପରେ ସନ୍ଦେହ ଆଧାରରେ ଟ୍ୟାକ୍ସ ଅଫିସିଆଲ୍ସଙ୍କ ଯାଞ୍ଚରେ ୧୮୦୦୦ କମ୍ପାନି ଫେକ୍ ଥିବା ଜଣାପଡ଼ିଛି । ଏହି କମ୍ପାନିଗୁଡ଼ିକ ସରକାରଙ୍କୁ ଚୂନ ଲଗାଉଥିଲେ ।

ତଦନ୍ତରେ ଜଣାପଡ଼ିଥିଲା ଯେ ୧୮୦୦୦ ଭୂତ କମ୍ପାନି କୌଣସି କାମ କରୁ ନଥିଲେ । କୌଣସି ସାମଗ୍ରୀ ଏବଂ ସେବା କିଣାବିକାରେ ମଧ୍ୟ ସାମିଲ ନଥିଲେ । ଏଗୁଡ଼ିକୁ କେବଳ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି)ର ଲାଭ ନେବା ପାଇଁ ନିର୍ମାଣ କରାଯାଇଛି । ଏହି କମ୍ପାନିଗୁଡ଼ିକ ପ୍ରାୟ ୨୪୫୫୦ କୋଟି ଟଙ୍କା ଟ୍ୟାକ୍ସ ଚୋରି କରିଛନ୍ତି ।

ସାରା ଦେଶରେ ଟ୍ୟାକ୍ସ ସଂଗ୍ରହକୁ ଉନ୍ନତ କରିବା ପାଇଁ ଅଭିଯାନ ଚଲାଯାଇଥିଲା, ଏଥିରୁ ପ୍ରାୟ ୭୦ କୋଟି ଟଙ୍କାର ଜିଏସଟି ସଂଗ୍ରହ ଲୋକଙ୍କ ଦ୍ୱାରା ସ୍ୱଚ୍ଛତାର ସହ କରାଯାଇଛି । ଫେକ୍ ରେଜିଷ୍ଟ୍ରେସନ ପାଇଁ ସାରା ଦେଶରେ ଦ୍ୱିତୀୟ ଅଭିଯାନ ଅଗଷ୍ଟ ୧୬ରୁ ଅକ୍ଟୋବର ଶେଷ ଯାଏ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୨୧,୭୯୧ ଫେକ୍ କମ୍ପାନି ଧରାପଡ଼ିଥିଲା । ସେତେବେଳେ ପ୍ରାୟ ୨୪,୦୧୦ କୋଟି ଟଙ୍କା ରାଜସ୍ୱ ଲୁଟ୍ ହୋଇଥିବା ଜଣାପଡ଼ିଥିଲା ।

ଜିଏସଟି ବ୍ୟବସ୍ଥାରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ରିହାତି ମିଳିଥାଏ । ଏଥିରେ ବ୍ୟବସାୟୀଙ୍କୁ ନିଜ କାରବାର ପାଇଁ କିଣାଯାଇଥିବା ସାମଗ୍ରୀ ପାଇଁ ପୈଠ କରିଥିବା ଟ୍ୟାକ୍ସରୁ ରିହାତି ମିଳିଥାଏ । ସରଳ ଭାଷାରେ ବୁଝିବାକୁ ଗଲେ, ଆପଣ କମଳା ଜୁସ୍ କିଣିଲେ, ଫାଇନାଲ୍ ପ୍ରଡକ୍ଟ ତିଆରି ପାଇଁ ମେସିନ, କମଳା ଏବଂ ପ୍ୟାକେଜିଂ ସାମଗ୍ରୀ ବ୍ୟବହାର ହୁଏ । କମଳା ଜୁସ୍ ପ୍ୟାକେଟ୍ ଉପରେ ଯାହା ଟ୍ୟାକ୍ସ ହେବ, ତାହା ଗ୍ରାହକଙ୍କଠାରୁ ନିଆଯିବ । କିନ୍ତୁ ଏହାକୁ ତିଆରି କରିବା ପାଇଁ ବ୍ୟବହାର ହୋଇଥିବା ସାମଗ୍ରୀର ଉପରେ ଯେଉଁ ଟ୍ୟାକ୍ସ ପୈଠ ହୋଇଛି, ତାହାକୁ ଇନପୁଟ୍ ଟ୍ୟାକ୍ସ ଭାବେ ଦାବି କରାଯାଇପାରିବ । ଏହାର ଲାଭ ମୁଖ୍ୟତଃ B2B ବ୍ୟବସାୟରେ ହୋଇଥାଏ ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.