ନୂଆଦିଲ୍ଲୀ: ଚୀନରେ ଆତଙ୍କ ଖେଳାଇଥିବା HMPV ଧୀରେ ଧୀରେ ପୂରା ବିଶ୍ବରେ କାୟା ମେଲାଇବା ଆରମ୍ଭ କରି ଦେଲାଣି । ଭାରତର ଗୁଜରାଟରେ ତୃତୀୟ କେସ୍ ସାମ୍ନାକୁ ଆସିଛି । ଅହମ୍ମଦାବାଦର ବିସ୍ତ୍ରାପୁରରେ ଜଣେ ବୃଦ୍ଧଙ୍କ ଠାରେ HMPV ଭୂତାଣୁ ଚିହ୍ନଟ ହୋଇଛି । ୮୦ ବୟସ୍କ ବୃଦ୍ଧଙ୍କ HMPV ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କୁ ଏକ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି ଚିକିତ୍ସା କରାଯାଉଛି । ଅହମ୍ମଦାବାଦରେ ଏହା ଦ୍ବିତୀୟ ମାମଲା ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ, ଜାନୁଆରୀ ୮ ତାରିଖରେ ଅହମ୍ମଦାବାଦର ଷ୍ଟଲିଙ୍ଗି ହସ୍ପିଟାଲରେ ବୃଦ୍ଧଙ୍କୁ ଭର୍ତ୍ତି କରାଯାଇଥିଲା । ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କର HMPV ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ଶୁକ୍ରବାର ପଜିଟିଭ୍ ଆସିଛି । ଏନେଇ ହସ୍ପିଟାଲ ପକ୍ଷରୁ ଅହମ୍ମଦାବାଦ ନଗର ନିଗମକୁ ସୂଚୀତ ମଧ୍ୟ କରାଯାଇଛି । ବୃଦ୍ଧଙ୍କ ନମୂନା ପୁଣି ଥରେ ପରୀକ୍ଷା ପାଇଁ ବିଜି ମେଡିତାଲ କଲେଜ୍ ଏବଂ ଗାନ୍ଧିନଗର ସ୍ଥିତି GBRCକୁ ପଠାଯାଇଛି ।
ବୃଦ୍ଧଙ୍କ ପୂର୍ବରୁ ଜଣେ ଦୁଇ ମାସର ନବଜାତକ ଠାରେ HMPV ଭୂତାଣୁ ଚିହ୍ନଟ ହୋଇଥିଲା । ପରେ ଏକ ପ୍ରାଇଭେଟ୍ ହସ୍ପିଟାଲରେ ଶିଶୁକୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଏବେ ନବାଜାତକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା ଜଣାପଡ଼ିଛି । ଏହାଛଡ଼ା ସାବରକାଣ୍ଟା ଜିଲ୍ଲାରେ ଜଣେ ୭ ବର୍ଷୀୟ ଛୋଟ ପିଲା ଠାରେ HMPV ପଜିଟିଭ୍ ଆସିଥିଲା । ଶିଶୁ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।