ଭାରତ ପାଇଁ ଡେବ୍ୟୁ କରିବା ନିଶ୍ଚିତ ଥିଲା, ହେଲେ ଷ୍ଟାଡିୟମରେ ପହଞ୍ଚି ପାରିଲେନି ହର୍ଷିତ ରାଣା; ଜାଣନ୍ତୁ କାରଣ

Published By : Prameya-News7 Bureau | October 12, 2024 IST

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜର ଶେଷ ମୁକାବିଲା ହାଇଦ୍ରାବାଦରେ ଖେଳାଯାଉଛି । ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି । ଭାରତର ଏହି ମୁକାବିଲାରେ ହର୍ଷିତ ରାଣାଙ୍କ ଖେଳିଥାନ୍ତେ । ଦ୍ରୁତ ବୋଲର୍ ହର୍ଷିତଙ୍କ ପାଇଁ ଏହା ଡେବ୍ୟୁ ମୁକାବିଲା ହୋଇଥାନ୍ତା । କିନ୍ତୁ ସେ ମ୍ୟାଚ୍ ଖେଳିବା ପାଇଁ ଷ୍ଟାଡିୟମରେ ପହଞ୍ଚି ପାରିଲେ ନାହିଁ ।

ଅର୍ଶଦୀପ ସିଂଙ୍କ ସ୍ଥାନରେ ହର୍ଷିତ ରାଣା ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଥାନ୍ତେ । ଏବେ ରବି ବିଷ୍ନୋଇ ମୁକାବିଲା ଖେଳୁଛନ୍ତି । ବିସିସିଆଇ ସୂଚନା ଦେଇ କହିଛି ଯେ ହର୍ଷିତଙ୍କୁ ଭାଇରାଲ୍ ସଂକ୍ରମଣ ହୋଇଛି ଏହଂ ଏହି କାରଣରୁ ସେ ଷ୍ଟାଡିୟମ ପହଞ୍ଚି ପାରିଲେ ନାହିଁ । ବୋର୍ଟ ବୟାନ ଜାରି କହିଛି ଯେ ହର୍ଷିତ ରାଣା ଅସୁସ୍ଥ ଥିବା କାରଣରୁ ତୃତୀୟ ଟି-୨୦ ମ୍ୟାଚ୍ ପାଇଁ ଉପଲବ୍ଧ ନାହାନ୍ତି ଏବଂ ଟିମ୍ ସହ ଷ୍ଟାଡିୟମ ମଧ୍ୟ ଆସିପାରି ନାହାନ୍ତି ।

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଟିମ୍ ଟେଷ୍ଟ ମ୍ୟାଚ୍ ଖେଳିବ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ତିନି ମ୍ୟାଚ୍ ଟେଷ୍ଟ ସିରିଜ ଖେଳିବ । ଏହି ସିରିଜ ପାଇଁ ହର୍ଷିତ ରାଣା ଭାରତର ରିଜର୍ଭ ଖେଳାଳି ଭାବେ ଚୟନ ହୋଇଛନ୍ତି । ଚୟନକର୍ତ୍ତା ୧୫ ଖେଳାଳିଙ୍କ ସହ ୪ ଜଣ ରିଜର୍ଭ ଖେଳାଳି ଚୟନ କରିଛନ୍ତି । ଏଥିରେ ହର୍ଷିତ ରାଣାଙ୍କ ବ୍ୟତୀତ ନୀତୀଶ ରେଡ୍ଡି, ପ୍ରସିଦ୍ଧ କୃଷ୍ଣା ଏବଂ ମୟଙ୍କ ଯାଦବଙ୍କ ନାଁ ସାମିଲ ରହିଛି ।

୨୨ ବର୍ଷୀୟ ଦ୍ରୁତ ବୋଲର ହର୍ଷିତ ରାଣା ଘରୋଇ କ୍ରିକେଟରେ ଦିଲ୍ଲୀ ଏବଂ ଆଇପିଏଲ୍‌ରେ କେକେଆର୍ ପାଇଁ ଖେଳନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ୯ ମ୍ୟାଚ୍‌ରେ ୩୬ ଏବଂ ୧୪ ଲିଷ୍ଟ ଏ ମ୍ୟାଚ୍‌ରେ ୨୨ ୱିକେଟ୍ ରହିଛି । ଟି-୨୦ କ୍ରିକେଟର ୨୫ ମ୍ୟାଚ୍‌ରେ ୨୮ ୱିକେଟ୍ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.