ସୁପ୍ରିମକୋର୍ଟରେ ପହଞ୍ଚିଲା ହାଥ୍‌ରସ୍ ଦଳାଚକଟା ପ୍ରସଙ୍ଗ, ତେଜିଲା SIT ତଦନ୍ତ ଦାବି

Published By : Prameya-News7 Bureau | July 03, 2024 IST

ଉତ୍ତରପ୍ରଦେଶ ୦୩/୦୭: ଉତ୍ତରପ୍ରଦେଶର ହାଥରସ ସତସଙ୍ଗ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି । ମୃତକଙ୍କ ମଧ୍ୟରେ ୧୦୮ ଜଣ ମହିଳା ଓ ୭ ଜଣ ଛୋଟ ପିଲା ଅଛନ୍ତି । 

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ସିକନ୍ଦରାଉ ଅଞ୍ଚଳର ଫୁଲୁରୀ ଗ୍ରାମରେ ଧାର୍ମିକ ପ୍ରଚାରକ ଭୋଲେ ବାବାଙ୍କ ସତସଙ୍ଗ ପାଇଁ ଏକତ୍ରିତ ହୋଇଥିଲେ ବୋଲି ମୁଖ୍ୟ ସଚିବ କହିଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପୀଡ଼ିତାଙ୍କ ସମ୍ପର୍କୀୟମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ମୃତଦେହକୁ ଘରକୁ ନେବାକୁ ଅପେକ୍ଷା କରି ରହିଛନ୍ତି। 

ଅନ୍ୟପଟେ ହାଥରସରେ ହୋଇଥିବା ଏହି ଦଳାଚକଟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଏଲ ଦାଖଲ କରାଯାଇଛି । ଏହି ଆବେଦନରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ୫ ଜଣିଆ ବିଶେଷଜ୍ଞ କମିଟି ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରାଯାଇଛି । ଆବେଦନକାରୀମାନେ ଆଜି ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଛନ୍ତି । 

ଏହି ଘଟଣାରେ ୟୁପି ସରକାରଙ୍କ ତରଫରୁ ଏକ ଷ୍ଟାଟସ୍ ରିପୋର୍ଟ ଦାବି କରାଯାଇଛି । ଅର୍ଥାତ୍ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଏବଂ ଭବିଷ୍ୟତରେ ନିଆଯିବାକୁ ଥିବା ସତର୍କତା ବିଷୟରେ ସୂଚନା ଦେବାକୁ କୁହାଯାଇଛି । ଏଥିସହ ଏହି ଘଟଣାର ଦାୟୀ ବ୍ୟକ୍ତି ଏବଂ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଏହି ଆବେଦନରେ କୁହାଯାଇଛି। ଏଭଳି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । 

ସୁପ୍ରିମକୋର୍ଟର ଓକିଲ ବିଶାଲ ତିୱାରୀ ଏହି ଆବେଦନ କରିଛନ୍ତି। ଏହି ଆବେଦନରେ ୧୯୫୪ ପରଠାରୁ ଧାର୍ମିକ ଘଟଣାରେ ଦଳାଚକଟା ଏବଂ ଆହତଙ୍କ ବିଷୟରେ ସୂଚନା ପ୍ରଦାନ କରୁଥିବା ୧୫ଟି ପ୍ରମୁଖ ଘଟଣା ଦର୍ଶାଯାଇଛି । ଏହି ତାଲିକା ୧୯୫୪ର କୁମ୍ଭ ମେଳା ଦଳାଚକଟାରୁ ଆରମ୍ଭ ହୋଇ ୨୦୨୩ମସିହାରେ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ନ୍ଥ ଭୁଶୁଡ଼ିବା କାରଣରୁ ହୋଇଥିବା ଦଳଚକଟା ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.