ଲଘୁଚାପ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ, ଲଗାଣ ବର୍ଷାରେ ଭାସିଲା ଦକ୍ଷିଣ ଓଡିଶା

Published By : Prameya-News7 Bureau | September 10, 2024 IST

ଭୁବନେଶ୍ୱର ୧୦।୦୯ : ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ  ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷାରେ  ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି  ହୋଇଛି । କୋରାପୁଟ ଓ ରାୟଗଡ଼ାରେ  ବି ସ୍ଥିତି ବେହାଲ ହୋଇଛି । ମଙ୍ଗଳବାର  ବି ବର୍ଷା ଲାଗି ରହିବ । ତେବେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଛତିଶଗଡ଼ରେ ବି ନିର୍ଧୁମ ବର୍ଷିବ । ସେଠାରେ ବର୍ଷା ଯୋଗୁ ମହାନଦୀରେ  ବନ୍ୟା ଆଶଙ୍କା ବଢ଼ିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ   ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ଦିନ ସାଢ଼େ ୧୧ଟାରେ ପୁରୀ ପାଖରେ  ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା । ଏହା  ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବା  ସହ ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ  ଯାଉଛି । ମଧ୍ୟରାତ୍ରି ସୁଦ୍ଧା ଏହା ଦୁର୍ବଳ  ହୋଇ ଅବପାତକୁ ଖସିବ ବୋଲି  ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ  କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ଏହା  ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବ ।  

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହା ଆହୁରି  ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପକୁ  ଖସିଯିବ ବୋଲି ଆକଳନ କରାଯାଇଛି ।  ଏହା ପ୍ରଭାବରେ ଆଭ୍ୟନ୍ତରୀଣ  ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା  ଆଶଙ୍କା ଅଛି । ମଙ୍ଗଳବାର ବରଗଡ଼, ନୂଆପଡ଼ା ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି ।  ଏହି ୩ ଜିଲ୍ଲାରେ ୭୦ରୁ ୨୦୦ମିମି  ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବଲାଙ୍ଗୀର, ସୋନପୁର, ସମ୍ବଲପୁର  ଓ ସୁନ୍ଦରଗଡ଼ରେ ବି ନିର୍ଧୁମ ବର୍ଷିବ ।  ୭୦ରୁ ୧୦୦ମିମି ବର୍ଷା ସମ୍ଭାବନା ଅଛି ।

ଆସନ୍ତା ୨୪ ଘଣ୍ଟାରେ(ମଙ୍ଗଳବାର  ଦିନ ସାଢ଼େ ୧୧ଟା ଯାଏ) ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼,  ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି,  କନ୍ଧମାଳ, କେନ୍ଦୁଝର, କୋରାପୁଟ,  ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା,  ପୁରୀ, ରାୟଗଡ଼ା, ସମ୍ବଲପୁର,  ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ  ପ୍ରବଳ ବର୍ଷା ଆଶଙ୍କା ଥିବାରୁ ମଧ୍ୟମ  ଧରଣର ବନ୍ୟା(ଫ୍ଲାସ୍‌ ପ୍ଲଡ୍‌) ସ୍ଥିତି  ସୃଷ୍ଟି ହୋଇପାରେ ବୋଲି ଭାରତୀୟ  ପାଣିପାଗ ବିଭାଗ(ଆଇଏମଡି) ସତର୍କ  କରାଇଛି । ୧୧ ତାରିଖ ବା ବୁଧବାର  ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ   ସୁନ୍ଦରଗଡ଼ରେ ବି ବର୍ଷା ହୋଇପାରେ । 

ରାଜ୍ୟର ଅନେକ ସ୍ଥାନରେ  ଲଗାଣ ବର୍ଷା ହୋଇଛି । ଏଥିପାଇଁ ମାଲକାନଗିରି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି-ମୋଟୁ ଜାତୀୟ   ରାଜପଥର ପୋଟେରୁ,କାଙ୍ଗୁରୁକୋଣ୍ଡା, ଏମ୍‌ଭି-୯୬, ଏମ୍‌ଭି-୭ ଓ କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲୁଛି । ସାବେରୀ, ସିଲେରୁ, ସପ୍ତଧାରା, ତମସା ନଦୀ ଜଳସ୍ତର ହଠାତ୍‌ ବଢ଼ିଯାଇଛି । ଭୂସ୍ଖଳନ ଯୋଗୁ ବାଲିମେଳା-ଚିତ୍ରକୋଣ୍ଡା  ଘାଟି ଭାଲ୍‌ବ ହାଉସ ଛକରେ ମାଟି ଅତଡ଼ା ଧସି  ଚିତ୍ରକୋଣ୍ଡାରୁ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ବନ୍ଦ ହୋଇଯାଇଛି।   

ମଙ୍ଗଳବାର ବି ବର୍ଷା  ଆଶଙ୍କା ଥିବାରୁ ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି ରହିଛି । ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପ ୟୁନିଟ୍‌ ଭିତରେ ପାଣି  ପଶିଯାଇଛି । ଏଥିପାଇଁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ୍‌ ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାରରେ  ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଥିପାଇଁ ଜଳଭଣ୍ଡାରର ୫ଟି ଗେଟ୍‌ ଖୋଲାଯାଇଛି । ଲଗାଣ ବର୍ଷାରେ କୋରାପୁଟ ଓ ରାୟଗଡ଼ାର ବହୁ ଗାଁ   ପାଣିଘେରରେ ରହିଛି । ମୁନିଗୁଡ଼ା ବ୍ଲକ୍‌ ରାଣୀପିଣ୍ଡା ନିକଟ ନଦୀ ପୋଲ ଉପରେ ପାଣି ଚାଲିବା ଯୋଗୁ  କଳାହାଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।  ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ କାନ୍ଥ ପଡ଼ି  ଜଣେ ଯୁବତୀ ଗୁରୁତର ହୋଇଛି । ବର୍ଷା ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସମ୍ବଲପୁରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଜରୁରୀ ଆଲୋଚନା କରିଛନ୍ତି । ଲଗାଣ ବର୍ଷା ଯୋଗୁ ମାଲକାନଗିରି, କୋରାପୁଟ ସମେତ ବିଭିନ୍ନ ଜିଲ୍ଲାରେ  ଯାତାୟତ ବାଧାପ୍ରାପ୍ତ ହୋଇଛି । ଲୋକେ ପ୍ରଭାବିତ ହୋଇଛନ୍ତି । ତୁରନ୍ତ ପଦକ୍ଷେପ ନେବାକୁ ଏସ୍‌ଆରସି ଓ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.