ହେଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାହ ବି ନିହତ ? ଆତଙ୍କୀ ସଂଗଠନର ମୁଖ୍ୟାଳୟ ଧ୍ୱଂସ କଲା ଇସ୍ରାଏଲ୍

Published By : Prameya-News7 Bureau | September 27, 2024 IST

ବେରୁଟ: ଇସ୍ରାଏଲ୍ ସେନା ଲେବାନନର ରାଜଧାନୀ ବେରୁଟର ଦହୀହ କ୍ଷେତ୍ରରେ ବଡ଼ ଆକ୍ରମଣ କରିଛି । ଇସ୍ରାଏଲ୍ ସେନା କହିଛି ଯେ ଏହି ଆକ୍ରମଣରେ ଲେବାନନର ଆତଙ୍କୀ ସଂଗଠନ ହେଜବୁଲ୍ଲାର କେନ୍ଦ୍ରୀୟ ସୈନ୍ୟ କମାଣ୍ଡର ସେଣ୍ଟରକୁ ଧ୍ୱଂସ କରାଯାଇଛି । ଶୁକ୍ରବାର ହୋଇଥିବା ଏହି ଆକ୍ରମଣ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ବିଲ୍ଡିଂରେ ବିସ୍ଫୋରଣ ଏବଂ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି । ଏହି ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ନସରୁଲ୍ଲାହ ନିହତ ହୋଇଥିବା କିଛି ଖବରରେ ଦାବି କରାଯାଇଛି । ରିପୋର୍ଟରେ ଦାବି କରାଯାଉଛି ଯେ ବିସ୍ଫୋରଣ ବେଳେ ନସରୁଲ୍ଲାହ ମୁଖ୍ୟାଳୟରେ ଉପସ୍ଥିତ ଥିଲା । ତେବେ ଏହି ଖବର ସତ୍ୟତା ସ୍ପଷ୍ଟ ହୋଇ ନାହିଁ ।  

ଆଇଡିଏଫ୍ ମୁଖପାତ୍ର ରିୟର ଆଡମିରଲ ଡାନିୟଲ ହଗାରୀ କହିଛନ୍ତି ଯେ ଇସ୍ରାଏଲୀ ବାୟୁସେନା ଲେବାନନରେ ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି । ଏହି ବିଲ୍ଡିଂ ଦହୀହ ଉପନଗରରେ ଆବସିକ ବିଲ୍ଡିଂ ତଳେ ନିର୍ମାଣ କରାଯାଇଥିଲା । ଏହାକୁ ବେରୁଟରେ ହିଜବୁଲ୍ଲାର ମୁଖ୍ୟାଳୟ ବୋଲି କୁହାଯାଉଥିଲା । ତେବେ ଏହି ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାହକୁ ଟାର୍ଗେଟ୍ କରାଯାଇଥିଲା ନାଁ ନାହିଁ ଏବଂ ସେ ଘଟଣାସ୍ଥଳରେ ଉପସ୍ଥିତ ଥିଲା କି ନାହିଁ ତାହା ସେ ସ୍ପଷ୍ଟ କରିନାହାନ୍ତି ।

ହିଜବୁଲ୍ଲାର ଅଲ-ମନାର ଟିଭି ରିପୋର୍ଟ ଅନୁସାରେ ବିସ୍ଫୋରଣରେ ଚାରି ବିଲ୍ଡିଂ ଧ୍ୱଂସ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବେରୁଟରୁ ପ୍ରାୟ ୩୦ କିଲୋମିଟର ଉତ୍ତରରେ ଘର ଥରି ଉଠିଥିଲା । ବିସ୍ଫୋରଣ ସ୍ଥଳ ଆଡ଼କୁ ଆମ୍ୱୁଲାନ୍ସ ପଠାଯାଇଛି ଏବଂ ବହୁ ସଂଖ୍ୟାରେ ଲୋକେ ଆହତ ହୋଇଥିବା କୁହାଯାଉଛି ।

ଦହୀହରେ ଏହି ଆକ୍ରମଣ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଦ୍ୱାରା ଜାତିସଂଘକୁ ସମ୍ୱୋଧନ କରିବାର କିଛି ସମୟ ପରେ ହୋଇଛି । ନେତାନ୍ୟାହୁ ନିଜ ଭାଷଣରେ କହିଥିଲେ ଯେ ହିଜବୁଲ୍ଲା ବିରୋଧରେ ଇସ୍ରାଏଲର ଅଭିଯାନ ଜାରି ରହିବ । ସୂଚନା ଅନୁସାରେ ବିସ୍ଫୋରଣର କିଛି ସମୟ ପୂର୍ବରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ମୃତ ବରିଷ୍ଠ କମାଣ୍ଡର ସମେତ ତିନି ହିଜବୁଲ୍ଲା ସଦସ୍ୟଙ୍କ ଅନ୍ତିମ ସଂସ୍କାର ପାଇଁ ଲୋକେ ଏକାଠି ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.