SCBରେ ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ପ୍ରଭାବିତ ହେବା ଆଶଙ୍କା

Published By : Prameya-News7 Bureau | July 17, 2024 IST

କଟକ ୧୭।୭: ଏସ୍‌ସିବି ଡାକ୍ତରଖାନାରେ ହାଉସ୍‌ ସର୍ଜନ ଓ ନର୍ସିଂ କର୍ମଚାରୀଙ୍କ ବିବାଦ ଥମିବା ବଦଳରେ ବେଳକୁ ବେଳ ଜଟିଳ ରୂପ ହେଉଛି । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ, ଅଭିଯୋଗକୁ ନେଇ ଡାକ୍ତରଖାନାରେ ଏକ ଗଣ୍ଡଗୋଳିଆ ସ୍ଥିତି ଉପୁଜିଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ ହାଉସ ସର୍ଜନ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ । ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ମଧ୍ୟ ବିବାଦର ସମାଧାନ ହୋଇପାରୁନି । ଜରୁରୀକାଳୀନ ବିଭାଗକୁ ଛାଡ଼ି ଇନ୍‌ଡୋର ଓ ଆଉଟଡୋର୍‌ରେ ସେବା ବନ୍ଦ ରହିଛି । ଏସ୍‌ସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ଆଶଙ୍କା ରହିଛି ।

ମଙ୍ଗଳବାର ଦିନ ତମାମ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନର୍ସିଂ କର୍ମଚାରୀ ଏବଂ ହାଉସ୍‌ ସର୍ଜନଙ୍କ ବିବାଦ ମଧ୍ୟରେ ଫସି ରହିଥିଲା । ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉଭୟ ଗୋଷ୍ଠୀ ଜିଦ୍‌ରେ ଅଟଳ ରହିବାରୁ କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ନର୍ସିଂ କର୍ମଚାରୀ ମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ଦେଇଥିଲେ । ଫଳରେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । 

ସୂଚନାଯୋଗ୍ୟ ଯେ, ଏସ୍‌ସିବି ମେଡିସିନ୍‌ ବିଭାଗରେ ଜଣେ ରୋଗୀଙ୍କ ଶରୀରରେ ରକ୍ତ ଦେବାକୁ ନେଇ ଜଣେ ନର୍ସିଂ କର୍ମଚାରୀଙ୍କ ସହିତ ଆଉ ଜଣେ ହାଉସ୍‌ ସର୍ଜନଙ୍କ ସାମାନ୍ୟ ତର୍କ ହୋଇଥିଲା । ତେବେ ଏହି ସାମାନ୍ୟ କଳି ପରେ ବଡ଼ ବିବାଦୀୟ ପରିସ୍ଥିତି ୱାର୍ଡରେ ସୃଷ୍ଟି କରିଥିଲା । ନର୍ସିଂ କର୍ମଚାରୀଙ୍କୁ ହାଉସ୍‌ ସର୍ଜନମାନେ ସଂଘବଦ୍ଧ ହୋଇ ଦୁର୍ବ୍ୟବହାର କରିଥିବା ନର୍ସିଂ ସଂଘ ଅଭିଯୋଗ କରି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟପଟରେ ସମ୍ପୃକ୍ତ ନର୍ସିଂ କର୍ମଚାରୀଙ୍କ ଅଭିଯୋଗକୁ ହାଉସ୍‌ ସର୍ଜନମାନେ ଅସ୍ୱୀକାର କରିବା ସହିତ ତାଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ହାଉସ୍‌ ସର୍ଜନ କର୍ମକର୍ତ୍ତା ଏବଂ ସଦସ୍ୟମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ନିଜର ପ୍ରତିବାଦ ଜଣାଇଛନ୍ତି । ସେହିପରି ନର୍ସିଂ ସଂଘ ଏବଂ ସଦସ୍ୟାମାନେ ଅଧୀକ୍ଷକଙ୍କ କର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଭିଯୋଗ ହୋଇଥିବା ହାଉସ୍‌ ସର୍ଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି । ହାଉସ୍‌ ସର୍ଜନଙ୍କୁ ୱାର୍ଡ ଭିତରେ ଦୁର୍ବ୍ୟବହାର କରିଥିବା ନର୍ସିଂ ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ଏସ୍‌ସିବିରୁ ବଦଳି ପାଇଁ ହାଉସ୍‌ ସର୍ଜନ ସଂଘ ସଭାପତି ଶାଶ୍ୱତ ମହାନ୍ତି ଦାବି କରିଛନ୍ତି ।

You Can Read:

ଅନ୍ଧବିଶ୍ବାସ ! ମାନସିକ ପୂରଣ ପାଇଁ ମନ୍ଦିର ପରିସରରେ ଜିଭ କାଟିଲେ ଭକ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.