ବାଲିଗୁଡାରୁ ୧୧୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Published By : Prameya-News7 Bureau | February 15, 2025 IST

ବାଲିଗୁଡା୧୫/୨:ଚାଲାଣ ପାଇଁ ପ୍ୟାକିଂ ହେଉଥିଲା ଗଞ୍ଜେଇ । ଘର ପଛ ପଟେ ଚାଲିଥିଲା କାରବାର । ଖବର ପାଇ ମାଡି ବସିଲା ପୋଲିସ  । ପୁଣି ଗଞ୍ଜେଇ ମାଫିଆଙ୍କ  ଚାଲାଣ ଉଦ୍ୟମକୁ ଫେଲ୍‌ କରିଛି ପୋଲିସ । କନ୍ଧମାଳରୁ  ଗଞ୍ଜେଇ ଜବତ କରିଛି ବାଲିଗୁଡା ପୋଲିସ । ୨୦ କି ୩୦ କିଲୋ ନୁହେଁ ଏକାଥରକେ ୧୧୭ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଅଧିକ ଟଙ୍କା ହେବ। ପୋଲିସ ହାବୁଡରେ ଜଣେ ପଡିଥିବାବଳେ ଆଉ ଜଣେ ଚକ୍‌ମା ଦେଇ ଫେରାର ହୋଇଯାଇଛି । 

ବାଲିଗୁଡା ଥାନା ପରମପାଙ୍ଗା ପଞ୍ଚାୟତ ଇଶ୍ରାଏଲ ନଗର କିଳୁପଡା ଘର ପଛ ପଟେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇଥିଲା ପୋଲିସ । ବାଲିଗୁଡା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦଙ୍କ ନେତୃତ୍ବରେ ବାଲିଗୁଡା ଥାନା ଅଧିକାରୀ ସମ୍ବିତ ସ୍ବାଇଁ , ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା,ଏସ୍‌ଆଇ ପି.କେ ଜେନାଙ୍କ ମିଳିତ ଟିମ୍‌ ଚଢାଉ କରିଥିଲେ । ଘଟଣାସ୍ଥଳରୁ ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଅଭିଯୁକ୍ତ ପୁଜାରା ଦିଗଲକୁ ଗିରଫ କରିଛି ପୋଲିସ । ଅନ୍ୟଜଣେ ବେପାରୀ ପାଉଲା ଦିଗଲ ଘଟଣାସ୍ଥଳରୁ ଚଂପଟ ମାରିଛି ।

ଘଟଣା ପରେ ବାଲିଗୁଡା ଏସ୍‌ପି ପ୍ରେସମିଟ୍‌ କରି ଗଞ୍ଜେଇ ବେପାରୀଙ୍କୁ ଏଥିରୁ ନିବୃତ୍ତ ରହିବା ସହ ଗଞ୍ଜେଇ ବଦଳରେ ଲାଭଦାୟକ ଷ୍ଟ୍ରବେରୀ,ଡ୍ରାଗନ ଫୁଡ୍‌ ଓ ହଳଦୀ ଚାଷ କରିବାକୁ ଅପିଲ କରିଛନ୍ତି ।  ପୋଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଅପରାଧୀ । କଡା ନିୟମ ସତ୍ତ୍ବେ ରାଜ୍ୟରେ ଥମୁନି ଗଞ୍ଜେଇ ବେପାର । ଗଞ୍ଜେଇର ହବ୍‌ କୁହାଯାଉଥିବା କନ୍ଧମାଳରୁ ପୁଣି ଗଞ୍ଜେଇ ଜବତ ହେବା ଚିନ୍ତାର କାରଣ ପାଲଟିଛି ।

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.