ଭୁବନେଶ୍ୱର ୨୭/୧୧: ଛୁଟିକୁ ବଢାଇଲେନି ସରକାର । ଶେଷରେ ଆଜିଠାରୁ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗଦେଲେ ସୁଜାତା। ଛୁଟି ଆଉ ୬ ମାସ ବଢ଼ାଇବାକୁ ଆବେଦନ କରିଥିଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ । ହେଲେ ଛୁଟିକୁ ବଢାଇଲେନି ସରକାର ।
ବୁଧବାର ସାନି ଛୁଟି ଆବେଦନ ଅଗ୍ରାହ୍ୟ କରିଥିଲେ ସରକାର । ଗତ ମେ ମାସରୁ ୬ମାସ ଛୁଟିରେ ଯାଇଥିଲେ ସୁଜାତା । ତାଙ୍କର ଅବଧି ସରିବା ପରେ ସେ ପୁଣିଥରେ ନିଜର ଛୁଟିକୁ ଆଉ ୬ମାସ ବଢାିବାକୁ ଆବେଦନ କରିଥିଲେ। ନଭେମ୍ବର ୨୭ରୁ ଚାକିରିରେ ଯୋଗ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଥାଉକି, ନିଜ ସନ୍ତାନର ଯତ୍ନ ନେବା ଦର୍ଶାଇ ସୁଜାତା ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟି ମାଗିଥିଲେ । ଯାହାକୁ ତତକାଳୀନ ମୁଖ୍ୟ ସଚିବ ଅନୁମୋଦନ କରିଥିଲେ । ସୁଜାତା ନଭେମ୍ବର ୨୭ ରୁ ଆଉ ୬ମାସ ପାଇଁ ଛୁଟିରେ ଯିବାକୁ ଗତ ନଭେମ୍ବର ୪ତାରିଖରେ ମୁଖ୍ୟ ସଚିବଙ୍କୁ ଲିଖିତ ଅନୁରୋଧ କରିଥିଲେ । ହେଲେ ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି, ଏନେଇ ତାଙ୍କୁ ଅବଗତ କରାଯାଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ୨୦୦୦ ବ୍ୟାଚ୍ ସୁଜାତାଙ୍କୁ ଚିଠି ଲେଖି ଜଣାଇଥିଲେ ।
ତାଙ୍କୁ ଅଧିକ ଛୁଟି ଦେବା ପାଇଁ ସରକାର ରାଜି ନଥିବା ନେଇ ସୁଜାତାଙ୍କୁ ଲିଖିତ ଭାବେ ସ୍ପଷ୍ଟ କରିଥିଲେ । ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସାଧାରଣ ନିର୍ବାଚନବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଯାଇଥିଲା । ଏହାପରେ ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା ।