ଇରାନ ଉପରେ ଆକ୍ରମଣ ଯୋଜନା କରୁଛି ଇସ୍ରାଏଲ; ଆଇଡିଏଫର ଗୁପ୍ତ ଦସ୍ତାବିଜ୍ ଲିକ୍

Published By : Prameya-News7 Bureau | October 20, 2024 IST

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବା ବଦଳରେ ତୀବ୍ର ହେବାରେ ଲାଗିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବାସଭବନ ଉପରେ ଡ୍ରୋନ ହମଲା କରିଛି ହିଜବୁଲ୍ଲା । ସିସେରିଆ ସହରକୁ ଘନଘନ ଆକ୍ରମଣ କରିଛି । ଉତ୍ତର ଇସ୍ରାଏଲ ଉପରେ ପ୍ରାୟ ୫୫ଟି ରକେଟ୍ ମାଡ଼ କରିଛି ହିଜବୁଲ୍ଲା ଆତଙ୍କୀ ସଂଗଠନ । ସେପଟେ କାଉଣ୍ଟର ଆଟାକ୍ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ ।

କ’ଣ ଇସ୍ରାଏଲ ସେନା ଇରାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି ? ଆଇଡିଏଫର ସିକ୍ରେଟ୍ ପ୍ଲାନ୍ ଆମେରିକା ଗୁଇନ୍ଦା ରିପୋର୍ଟରୁ ସଙ୍କେତ ମିଳିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଇରାନ ଉପରେ ବଡ଼ ଆକ୍ରମଣ କରିବାକୁ ଯୋଜନା କରୁଛି । ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଆମେରିକା ଗୁଇନ୍ଦା ଏଜେନ୍ସିର ସିକ୍ରେଟ୍ ରିପୋର୍ଟ ଲିକ୍ ହୋଇଛି । ହମଲା ନେଇ ପୂର୍ବରୁ ଇରାନ ସେନା ମଧ୍ୟ ସୂଚନା ଦେଇଥିଲା । ଏହି  ଗୁଇନ୍ଦା ତଥ୍ୟ ଡକ୍ୟୁମେଣ୍ଟ ଜିଓସ୍ପୋଟିକ୍ ଇଣ୍ଟେଲିଜେନ୍ସି ଏଜେନ୍ସି ନିକଟରୁ ମିଳିଛି । ଏହି ଏଜେନ୍ସି ଆମେରିକା ଗୁଇନ୍ଦା ସାଟେଲାଇଟର ଚିତ୍ର ଏବଂ ସୂଚନାକୁ ଆଧାର କରି ବିଶ୍ଲେଷଣ କରିଥାଏ । ଏହି ଗୁପ୍ତ କାଗଜପତ୍ରରୁ ଇସ୍ରାଏଲ ସେନାର  ଗତିବିଧି ଏବଂ ଆଗାମୀ ପ୍ରସ୍ତୁତି ବାବଦରେ ସୂଚନା ମିଳିଛି । 

ଅକ୍ଟୋବର ୧୫ ଏବଂ ୧୬ ତାରିଖରେ ଏହି ଗୁପ୍ତ କାଗଜ ପତ୍ର ଇରାନୀ ସମର୍ଥକଙ୍କ ଟେଲିଗ୍ରାମରେ ଭାଇରାଲ୍ ହୋଇଥିଲା । ଏଥିରେ ଆଇଡିଏଫର ସାଟେଲାଇଟ୍ ଚିତ୍ର ରହିଛି । ଇସ୍ରାଏଲ ସେନା କୌଣସି ଯୋଜନା କରୁଥିବା ଦେଖିବାକୁ ମିଳିଛି । ଅକ୍ଟୋବର ପହିଲାରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ଇସ୍ରାଏଲ ଉପରେ ହମଲା କରିଥିଲା । କୁହାଯାଇଛି, ଇସ୍ରାଏଲ ଏହାର ବଦଲା ନେବାରୁ ଆକ୍ରମଣ ପ୍ଲାନ୍ ପ୍ରସ୍ତୁତି କରୁଛି । ବର୍ତ୍ତମାନ ସମୟରେ ଇସ୍ରାଏଲ ସେନା ଗାଜାପଟ୍ଟୀ ଏବଂ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.