ଇସ୍ରାଏଲ ଆକ୍ରମଣରେ ବେରୁଟସ୍ଥିତ ହିଜବୁଲ ସେଣ୍ଟ୍ରାଲ କମାଣ୍ଡ ସେଣ୍ଟର ଧ୍ୱଂସ୍ତ, ଭୂତଳ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଭୀଷଣ ବୋମାମାଡ଼

Published By : Prameya-News7 Bureau | October 20, 2024 IST

ବେରୁଟ ୨୦।୧୦: ଇସ୍ରାଏଲ ରବିବାର ଲେବାନନ ରାଜଧାନୀ ବେରୁଟରେ ଥିବା ହିଜବୁଲ କମାଣ୍ଡ ସେଣ୍ଟର ଓ ଅଣ୍ଡରଗ୍ରାଉଣ୍ଡ ଅସ୍ତ୍ରଶସ୍ତ୍ର ନିର୍ମାଣ କାରଖାନା ଉପରେ ଭୀଷଣ ଆକ୍ରମଣ କରିଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ବିମାନ ଆକ୍ରମଣ ପୂର୍ବରୁ ଲୋକଙ୍କୁ ଅଞ୍ଚଳ ଖାଲି କରି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲା ବୋଲି କହିଛି। ଏ ନେଇ ସେନା ଏକ ବୟାନ ଜାରି କରିଛି। ଏଥିରେ ଇସ୍ରାଏଲ ବାୟୁସେନା ରବିବାର ବେରୁଟରେ ହିଜବୁଲ୍ଲା ଗୁଇନ୍ଦା ମୁଖ୍ୟାଳୟର ଏକ କମାଣ୍ଡ ସେଣ୍ଟର ଓ ଏକ ଅଣ୍ଡରଗ୍ରାଉଣ୍ଡ ୱାର୍କସପ ଉପରେ ଆକ୍ରମଣ କରିଥିବା କହିଛି। 

ଗୁଇନ୍ଦା ସୂଚନା ଆଧାରରେ ଏହି ଆକ୍ରମଣ କରାଯାଇଥିବା ଆଇଡିଏଫ କହିଥିବା ବେଳେ ଲେବାନନ ସରକାରୀ ଗଣମାଧ୍ୟମ ରବିବାର ସକାଳେ ହାରେଟ ହରେକରେ ୨ ଓ ହଦାଥରେ ଏକ ଇସ୍ରାଏଲୀ ଆକ୍ରମଣ ହୋଇଥିବା କହିଛି। ଏହି ସବୁ ଆକ୍ରମଣ ହିଜବୁଲର ଦକ୍ଷିଣ ବେରୁଟ ଗଡ ଦହିୟାହରେ  ହୋଇଛି। ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ଅଲଗା ଅଲଗା ଆକ୍ରମଣ କରିଛି। ଏଥିରେ ହିଜବୁଲର ୩ ମୁଖ୍ୟ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। 


ମୃତ ଆତଙ୍କବାଦୀମାନଙ୍କୁ ହିଜବୁଲ ଦକ୍ଷିଣ ମୋର୍ଚ୍ଚାର ବରିଷ୍ଠ ସଦସ୍ୟ ଅଲ-ହଜ ଅବାସ ସଲାମେହ, ସଞ୍ଚାର ବିଶେଷଜ୍ଞ ରେଡା ଅବ୍ବାସ ଔଦା ଏବଂ ଅସ୍ତ୍ର ନିର୍ମାଣ ୟୁନିଟରେ କାମ କରୁଥିବା ଅହମଦ ଅଲ୍ଲୀ ହୁସେନ ରୂପେ ଚିହ୍ନଟ କରାଯାଇଛି। ଜାତୀୟ ଗଣମାଧ୍ୟ ସୂତ୍ର ଅନୁସାରେ ଯୁଦ୍ଧ ବିମାନମାନେ ନାବତିୟେହ ସହର ଉପରେ ୭ ଥର ଆକ୍ରମଣ କରିଛନ୍ତି। ଯେଉଁଥିରେ ଏକ ଆବାସିକ ଭବନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଦଳ ଧ୍ୱଂସସ୍ତୁପ ତଳେ ଜୀବିତ ପିଲା ଓ ଲୋକଙ୍କ ସନ୍ଧାନ କରୁଛନ୍ତି। 


ଏନଏନଏ ଅନୁସାରେ ଇସ୍ରାଏଲୀ ସେନା ମେସ୍ ଅଲ-ଜବଲର ତରାସେ ଅଞ୍ଚଳକୁ ଧ୍ୱଂସସ୍ତୁପରେ ପରିଣତ କରିଛନ୍ତି। କୁହାଯାଉଛି ଏହି ଆକ୍ରମଣ ଅତ୍ୟାଧିକ ବିସ୍ଫୋରକ ଦ୍ୱାରା କରାଯାଇଥିଲା। ସେପଟେ ରବିବାର ଲେବାନନ ପକ୍ଷରୁ ଇସ୍ରାଏଲ ଉପରକୁ ୩୦ଟି ରକେଟ୍ ମାଡ଼ କରାଯାଇଛି। ଏଥିରୁ କେତେକକୁ ଏୟାର ଡିଫେନ୍ସ ସିଷ୍ଟମ ରୋକି ଦେଇଥିବା ବେଳେ ଆଉ କେତେକ ଅନ୍ୟ କ୍ଷେତ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ତେବେ ଏହି ଆକ୍ରମଣରେ ଇସ୍ରାଏଲରେ କେହି ମୃତାହତ ଗୋଇ ନାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.